ବାରିପଦା,୨୯/୧୦: ବାତ୍ୟା ଦାନାର ପ୍ରଭାବ କମିବା ପରେ ଜିଲ୍ଲାରୁ ବର୍ଷା ମଧ୍ୟ  ଅପସରିଯାଇଛି । ତେବେ ଧୀରେ ଧୀରେ  ପରିସ୍ଥିତି ସ୍ୱାଭାବିକ ହେବା ପରେ ପୁଣି ମଙ୍ଗଳବାରଠୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିଲା।

ପର୍ଯ୍ୟଟନ ଋତୁରେ ସାମୁଦ୍ରିକ ଝଡ଼ବାତ୍ୟା ଓ  ବର୍ଷା ଯୋଗୁ ଶିମିଳିପାଳକୁ ବନ୍ଦ କରିବାକୁ ପଡ଼ିଥିଲା । ବର୍ଷା ହେଲେ ପାହାଡିଆ  ରାସ୍ତାଗୁଡିକ ଶିମିଳିପାଳକୁ ଯୋଗାଯୋଗ  ବିଚ୍ଛିନ୍ନ ହେବାର ଆଶଙ୍କା କରି ନୀତିଗତ  ଭାବେ ଶିମିଳିପାଳକୁ ବନ୍ଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଦାନା ପାଇଁ ପ୍ରଥମେ ୨୩ରୁ ୨୫  ତାରିଖ ପୁଣି ଦାନା ପ୍ରଭାବରେ ଶିମିଳିପାଳରେ  ଭାରି ବର୍ଷା ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ  ୨୬ରୁ ୨୮ ତାରିଖ ଯାଏଁ ଶିମିଳିପାଳକୁ  ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି  ସମୟରେ ପୂର୍ବରୁ କଟେଜ ରହଣି ପାଇଁ  ହୋଇଥିବା ସମସ୍ତ ବୁକିଙ୍ଗକୁ ବାତିଲ କରାଯିବା  ସହିତ ପର୍ଯ୍ୟଟକଙ୍କୁ ଶିମିଳିପାଳ ଭିତରକୁ  ପ୍ରବେଶ ପାଇଁ ବାରଣ କରାଯାଇଥିଲା ଏବଂ  ଅନୁମତି ନଥିଲା । ବାତ୍ୟା ପରବର୍ତ୍ତୀ ସ୍ଥିତି  ଅନୁଧ୍ୟାନ ପରେ ଶିମିଳିପାଳ ପୁଣି ପୂର୍ବପରି  ପର୍ଯ୍ୟଟକମାନଙ୍କ ନିମନ୍ତେ ଖୋଲିବ ବୋଲି  ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକଙ୍କ  କାର୍ଯ୍ୟାଳୟ ପକ୍ଷରୁ ସେତେବେଳେ ସୂଚେଇ  ଦିଆଯାଇଥଲା । 

ତେବେ ବର୍ତ୍ତମାନ ପାଗ ସମ୍ପୂର୍ଣ୍ଣ  ଅନୁକୂଳ ଥିବାରୁ ମଙ୍ଗଳବାରଠାରୁ ଶିମିଳିପାଳ  ପୂର୍ବଭଳି ପର୍ଯ୍ୟଟକଙ୍କ ନିମନ୍ତେ ଖୋଲିଥିବାରୁ  ପର୍ଯ୍ୟଟକ ମହଲରେ ଖୁସିର ଲହରୀ  ଖେଳିଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଦୁର୍ଗାପୂଜା ପୂର୍ବରୁ ଗତ ୧୦ ତାରିଖରେ ଶିମିଳିପାଳ ଖୋଲିଥିବାବେଳେ ରାଜ୍ୟ ତଥା  ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା ।  ତେବେ ହଠାତ୍‌ ସାମୁଦ୍ରିକ ଝଡ଼ ଦାନା ପାଇଁ  ଦୀର୍ଘ ୬ଦିନ ଧରି ପର୍ଯ୍ୟଟକଙ୍କୁ ଶିମିଳିପାଳ  ଭିତରକୁ ପ୍ରବେଶ ଅନୁମତି ମିଳିନଥିଲା ।