ବାଘ ବଜାରୀ Dance of Tigers ଫିଲ୍ମର ରିଲିଜ ହେଲା ପୋଷ୍ଟର ଓ ଟ୍ରେଲର

ଭୁବନେଶ୍ୱର,୦୭/୦୨: ବାଘ ବଜାରୀ Dance of Tigers ଫିଲ୍ମର ପୋଷ୍ଟର ଓ ଟ୍ରେଲର ରିଲିଜ ହୋଇଛି। ଭୁବନେଶ୍ବରର ଗୀତ ଗୋବିନ୍ଦ ଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରମେୟ ଓ ନ୍ୟୁଜ-୭ ଏଡିଟର ଗୋପାଳ କୃଷ୍ଣ ମହାପାତ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ପ୍ରତିଷ୍ଠିତ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ପ୍ରଣବ ଦାସ ଓ ନାଟ୍ୟକାର ବିଜୟ ଦାସ ମଧ୍ୟ ଏଥିରେ ସମ୍ନାନିତ ଅତିଥୀ ଭାବେ ଯୋଗ ଦେଇଥିଲେ ।
ଚଳଚ୍ଚିତ୍ର କାହାଣୀ ୪ ବନ୍ଧୁ ସେମାନଙ୍କର ବାଲ୍ୟକାଳର ଶିକ୍ଷକଙ୍କୁ ମନେ ପକାଇ ତାଙ୍କୁ ଦେଖାକରିବା ଲାଗି ବାହାରିଛନ୍ତି । ତେବେ ଘଟଣାଚକ୍ରରେ ଏମାନେ ବାଘ ବଜାରୀ ଖେଳର ଛକାପଞ୍ଝା ମଧ୍ୟରେ ଫସି ଯାଇଛନ୍ତି । ଓଡ଼ିଶାର ଜଙ୍ଗଲରୁ ଗୋଟିଏ ପରେ ଗୋଟିଏ ବନ୍ୟ ଜନ୍ତୁଙ୍କୁ ହତ୍ୟା କରାଯାଉଛି, ବିଭିନ୍ନ ସମୟରେ ବାଘଛାଲ ଜବତ ହେଉଛି। ୱାଇଲଡ ଲାଇଫ ଟ୍ରାଫିକିଂ ଓଡ଼ିଶା ପାଇଁ ଏକ ବଡ଼ ସମସ୍ୟା ହୋଇ ଉଭା ହେଲାଣି। ଏସବୁ କଥା ଫିଲ୍ମଟିର କାହାଣୀ ଛୁଇଁଥିବା ବେଳେ ମଣିଷର ବାଘ ଭଳି ହିଂସ୍ର ଆଚରଣକୁ ଏହା ଦେଖାଉଛି।
ଫିଲ୍ମରେ ହର ରଥ, ପ୍ରିତିରାଜ ଶତପଥୀ, ଚିତ୍ତରଞ୍ଜନ ବିଶ୍ବାଳ, ତିଳୋତ୍ତମା ସାହୁ, ବୁଲୁ ପଣ୍ଡା, ଜୟନ୍ତ ସାନ୍ତରା, ଶିବାନୀ ଖରା, ଦୁର୍ଯ୍ୟୋଧନ, ଦେବଦତ୍ତ ପ୍ରଧାନ ପ୍ରମୁଖ ଅଭିନୟ କରିଛନ୍ତି। ଭଞ୍ଜନଗରର ପ୍ରସିଦ୍ଧ ମହେନ୍ଦ୍ର ପାତ୍ରଙ୍କ ବାଘ ନାଚ ଗ୍ରୁପ ମଧ୍ୟ ଏଥିରେ ସେମାନଙ୍କର ନାଚ ପ୍ରଦର୍ଶନ କରିଛନ୍ତି । ଶ୍ରୁତିରେଖା ମିଶ୍ରଙ୍କ ପ୍ରଯୋଜିତ ଏହି ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ମିହିର ରଞ୍ଜନ ଆଚାର୍ଯ୍ୟ ଲେଖିଥିବା ବେଲେ ଦେବଦତ୍ତ ପ୍ରଧାନ ଓ ମିହିର ରଞ୍ଜନ ଆଚାର୍ଯ୍ୟ ମିଳିତ ଭାବେ ଏହା ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ଦୁଇଟି ଗୀତ ଅଛି ଯାହାକୁ ନାଟ୍ୟକାର ବିଜୟ ଦାସ ଲେଖିଥିବା ବେଳେ ସଂଗୀତ ମଧ୍ୟ ଦେଇଛନ୍ତି । ଫିଲ୍ମର ଅଧିକାଂଶ ଭାଗ ବଡ଼ମ୍ବା, ଖୋର୍ଦ୍ଧା ଓ ଭୁବନେଶ୍ବର ଉପକଣ୍ଠରେ ସୁଟିଂ କରାଯାଇଛି ।
ବାଘ ବଜାରୀ Dance of Tigers ଫିଲ୍ମଟି ନିକଟରେ ସେନସର ହୋଇଛି । ଥିଏଟର କିମ୍ବା ବିଭିନ୍ନ ଫେଷ୍ଟିଭାଲରେ ଏହା ତାର ଯାତ୍ରା ଆରମ୍ଭ କରିବା ପୂର୍ବରୁ ଭୁବନେଶ୍ବରର ଗୀତଗୋବିନ୍ଦ ଭବନରେ ଏହାର ପ୍ରିଭ୍ୟୁ ରଖିଛି ପ୍ରଯୋଜନା ସଂସ୍ଥା।