ପୁନରୁଦ୍ଧାର ହେବ ଦରଘାବଜାର ସ୍ଥିତ ପୁରୁଣା ଜେଲ୍ : ନିର୍ମାଣ ହେବ ଶିଶୁ ଉଦ୍ୟାନ, ଗଙ୍ଗା ପୋଖରୀରେ ହେବ ବୋଟିଂ ବ୍ୟବସ୍ଥା

କଟକ, ୩୦/୧୧ : ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡିରହିଛି ସ୍ଵାଧୀନତା ସଂଗ୍ରାମର ସ୍ମାରକୀ କଟକ ଦରଘାବଜାର ସ୍ଥିତ ପୁରୁଣା ଜେଲ୍। ଏହି ଜେଲ୍ର ପୁନରୁଦ୍ଧାର କରାଯିବ। ଏହାକୁ ଐତିହ୍ୟସ୍ଥଳୀ ଭାବେ ବିକାଶ କରିବାକୁ ପ୍ରଶାସନ ଖୁବ୍ ଶୀଘ୍ର କାମ ଆରମ୍ଭ କରିବ। ଆଜି କଟକ ସାଂସଦ ଭର୍ତ୍ତୃହରି ମହତାବ, ସିଡିଏ ଉପାଧ୍ୟକ୍ଷ ଅନିଲ ସାମଲ, ସିଏମସି କମିଶନର ନିଖିଳ ପୱନ କଲ୍ୟାଣ ପ୍ରମୁଖ ପହଞ୍ଚି ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୁରୁଣା ଜେଲ୍ ବୁଲିବା ସହ ଏହାର ବିକାଶ କେମିତି କରାଯାଇ ପାରିବ ସେନେଇ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି।
ସୂଚନାନୁଯାୟୀ, ପୁରୁଣା ଜେଲ୍ ପରିସରରେ ଏକ ଶିଶୁ ଉଦ୍ୟାନ କରାଯିବ। ଜେଲ୍ର ୧୮ ନମ୍ବର ୱାର୍ଡର ବିକାଶ କରାଯିବ। ନିକଟରେ ଥିବା ଗଙ୍ଗା ପୋଖରୀର ପୁନରୁଦ୍ଧାର କରାଯାଇ ଏଠାରେ ବୋଟିଂ ବ୍ୟବସ୍ଥା କରାଯିବ। ଯାହାଦ୍ଵାରା ନିକଟରେ ଥିବା ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ମନୋରଞ୍ଜନ ହୋଇପାରିବ। ମୋଟ୍ ଉପରେ ଏକ କମ୍ପୋଜିଟ୍ ଆକ୍ସନ ପ୍ଲାନ୍ କରି ସମ୍ପୂର୍ଣ୍ଣ ଅଞ୍ଚଳର ବିକାଶ କରାଯିବ ବୋଲି ସାଂସଦ ଶ୍ରୀ ମହତାବ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ଅନେକ ଥର ପୁରୁଣା ଜେଲ୍ ବିକାଶ ସମ୍ପର୍କରେ ଆଲୋଚନା କରାଯାଇଛି। ଏହାର ପୁନରୁଦ୍ଧାର ନେଇ ୨୦୧୦ ଜାନୁଆରୀ ୨୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। କିନ୍ତୁ ଏହାରି ଭିତରେ ୧୨ ବର୍ଷ ବିତିଯାଇଥିଲେ ବି ଏହାର ବିକାଶ କରାଯାଇ ନାହିଁ।