ନୂଆଦିଲ୍ଲୀ: ରବିବାରର ରିପୋର୍ଟ ଅନୁଯାୟୀ, ମାଉଣ୍ଟ ଏଭରେଷ୍ଟର ତିବ୍ଦତୀୟ ପାର୍ଶ୍ୱରୁ ନେପାଳର ସହର ଗୁଡ଼ିକ ଠାରୁ ଆରମ୍ଭ କରି ଭାରତର ଦାର୍ଜିଲିଂ ହିଲ୍ ଷ୍ଟେସନ ପର୍ଯ୍ୟନ୍ତ ବର୍ଷା ଏବଂ ତୁଷାରପାତ ଘଟିଛି । ଯାହା ଭୂସ୍ଖଳନର କାରଣ ହୋଇଛି। ଆଉ ଏଥି ପାଇଁ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ଶହ ଶହ ଲୋକ ଫସି ରହିଛନ୍ତି।
ଚୀନର ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଏକ ତୁଷାରପାତ ଯୋଗୁଁ ଏଭରେଷ୍ଟର ପୂର୍ବ ତିବ୍ଦତୀୟ ପାର୍ଶ୍ୱରେ ପ୍ରାୟ ୧,୦୦୦ ଲୋକ ଫସି ରହିଛନ୍ତି, ଯାହା ପଥ ଅବରୋଧ କରିଛି। ୪,୯୦୦ ମିଟର (୧୬,୦୦୦ ଫୁଟ) ଉପରେ ଉଚ୍ଚତାରେ ଅବସ୍ଥିତ ଏହି ଅଞ୍ଚଳରେ ବରଫ ହଟାଇବା ପାଇଁ ଉଦ୍ଧାରକାରୀ ଦଳ ଏବଂ ଶହ ଶହ ସ୍ଥାନୀୟ ଗ୍ରାମବାସୀଙ୍କୁ ନିୟୋଜିତ କରାଯାଇଛି ।
ସ୍ଥାନୀୟ ଟିଙ୍ଗ୍ରି କାଉଣ୍ଟି ପର୍ଯ୍ୟଟନ କମ୍ପାନୀର WeChat ଆକାଉଣ୍ଟରେ ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ପ୍ରବଳ ତୁଷାରପାତ ଆରମ୍ଭ ହୋଇଥିଲା ଏବଂ ଶନିବାର ସାରା ଏହା ଜାରି ରହିଥିଲା। ଏହି କାରଣରୁ ଏଭରେଷ୍ଟ ସିନିକ୍ ଅଞ୍ଚଳରେ ଟିକେଟ୍ ବିକ୍ରି ଏବଂ ପ୍ରବେଶ କରିବାର ଅନୁମତି ଶନିବାର ବିଳମ୍ବିତ ରାତିରୁ ବନ୍ଦ କରିଦିଆଯାଇଛି ବୋଲି ରଏଟର୍ସ ରିପୋର୍ଟ କରିଛି। ଶନିବାର ଅପରାହ୍ନ ୪ଟା ସୁଦ୍ଧା ମିଳିଥିବା ଅପଡେଟ୍ ଅନୁଯାୟୀ, ନେପାଳ ସୀମାନ୍ତରେ, ଶୁକ୍ରବାର ଠାରୁ ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ୪୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।
ସେହିଭଳି ଭାରତରେ ମଧ୍ୟ, ପଶ୍ଚିମବଙ୍ଗ ରାଜ୍ୟର ଏକ ଲୋକପ୍ରିୟ ହିଲ୍ ଷ୍ଟେସନ୍ ଦାର୍ଜିଲିଂରେ ଏପର୍ଯ୍ୟନ୍ତ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ କରାଯାଇଛି । ହଠାତ୍ ପ୍ରବଳ ବର୍ଷା ଯୋଗୁଁ ଉତ୍ତର ବଙ୍ଗ ଏବଂ ଦକ୍ଷିଣ ବଙ୍ଗ ଉଭୟ ଅଞ୍ଚଳ ବନ୍ୟାରେ ବୁଡ଼ି ଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସେ "ଗମ୍ଭୀର ଚିନ୍ତିତ", ଏବଂ ତୁରନ୍ତ ପ୍ରଭାବିତ ପରିବାରକୁ ସମସ୍ତ ଆବଶ୍ୟକୀୟ ସହାୟତା ପଠାଯିବ ବୋଲି ଆଶ୍ୱାସନା ଦେଇଛନ୍ତି।
ସେ ଆହୁରି କହିଛନ୍ତି ଯେ ଆକଳନ ଠାରୁ ଅଧିକ ପ୍ରବଳ ବର୍ଷା ପରେ ବିପର୍ଯ୍ୟୟ ଘଟିଛି। "ଗତକାଲି (ଶନିବାର) ରାତିରେ ଉତ୍ତର ବଙ୍ଗରେ ୧୨ ଘଣ୍ଟା ମଧ୍ୟରେ ହଠାତ୍ ୩ ଶହ ମିମିରୁ ଅଧିକ ବର୍ଷା ହୋଇଥିଲା ଏବଂ ଏକକାଳୀନ ସଙ୍କୋଶ ନଦୀରେ ଅତ୍ୟଧିକ ପାଣି ପ୍ରବାହିତ ହୋଇଥିଲା ଏବଂ ସାଧାରଣତଃ ଭୁଟାନ ଏବଂ ସିକିମରୁ ନଦୀ ଜଳ ପ୍ରବାହିତ ହେଉଥିଲା। ଏହା ବିପର୍ଯ୍ୟୟ ସୃଷ୍ଟି କରିଥିଲା।"ଦୁଇଟି ଲୁହା ପୋଲ ଭାଙ୍ଗି ଯାଇଛି, ଅନେକ ରାସ୍ତା କ୍ଷତିଗ୍ରସ୍ତ ହୋଇଛି ଏବଂ ବନ୍ୟା ହୋଇଛି । ଦାର୍ଜିଲିଂ, କାଲିମପଙ୍ଗ, ଜଳପାଇଗୁଡ଼ି, ଆଲିପୁରଦୁଆର ଜିଲ୍ଲାରେ ବିପୁଳ ପରିମାଣର ଜମି ଜଳମଗ୍ନ ହୋଇଛି।