ଧର୍ମଶାଳା,୦୮/୧୧: ବୟସ ଥିଲା ବେଳେ ଦାସକାଠିଆ ଦଳରେ ପାଳିଆ ଭାବେ କାମ କରି  ପରିବାରର ଗୁଜୁଲାଣ ମେଣ୍ଟାଉଥିଲେ । ବୟସ ବଢ଼ିଲା ସ୍ୱାସ୍ଥ୍ୟ ସାଥ୍‌ ଦେଲାନି । ଦଳ ଆଉ ସାଙ୍ଗରେ  ନେଲାନି । ଜମି କହିଲେ ଗୁଣ୍ଠେ ନାହିଁ । ପରିବାର  କହିଲେ ୫ପ୍ରାଣୀ କୁଟୁମ୍ବ । କିଭଳି ଚଳିବେ, ତାକୁ  ନେଇ ଚିନ୍ତା ଘାରିଲା । ନିଜର କଳାକୁ ବୃତ୍ତି କରି  ଗାଁରୁ ଗାଁକୁ ବୁଲି ଦାସକାଠିଆ ବଜାଇ ଭିକ୍ଷାବୃତ୍ତି  କରି ପରିବାର ଚଳାଉଛନ୍ତି । ଅନ୍ୟପଟେ ରୋଗ  ମାଡ଼ିବସିଲା । ଆଉ ଚାଲିବାକୁ ବଳ ପାଉନି ।  ଏଭଳି ସ୍ଥିତିରେ ଦାସକାଠିଆ କଳାକାର ତାଙ୍କ  ପରିବାର ସହ ଦୁର୍ଦ୍ଦିନରେ କାଳାତିପାତ କରୁଥିବା  ଭଳି ଦୃଶ୍ୟ ଧର୍ମଶାଳା ବ୍ଲକ୍‌ ଅଭୟପୁର ପଞ୍ଚାୟତ  ରତନପୁର ଗ୍ରାମରେ ଦେଖିବାକୁ ମିଳୁଛି । 

ରତନପୁର ଗ୍ରାମର ଏକନ ଗୁରୁ । ଦୀର୍ଘ  ବର୍ଷ ହେବ ଭଦ୍ରକରୁ ଆସି ପରିବାର ସହ ଏଠାରେ ବସତି ସ୍ଥାପନ କରିଛନ୍ତି । ପରିବାର  କହିଲେ ପତ୍ନୀ, ଦୁଇପୁଅ ଓ ଝିଅଙ୍କୁ ନେଇ  ତାଙ୍କ ସଂସାର । ଜମି କହିଲେ ଗୁଣ୍ଠେ ନାହିଁ ।  ପାଲା ଦଳରେ ପାଳିଆ ଭାବେ କାମ କରି  ପରିବାର ଚଳାଉଥିଲେ । ଏହାସହ ଦାସକାଠିଆ  ଦଳରେ ମଧ୍ୟ ପାଳିଆ ଭାବେ କାମ କରି କିଛି  ଅର୍ଥ ରୋଜଗାର କରୁଥିଲେ । ବୟସ ବଢ଼ିବା  ସହିତ ସ୍ୱାସ୍ଥ୍ୟଗତ ସମସ୍ୟା ବଢ଼ିବାରୁ ଦଳ ଆଉ  ସାଙ୍ଗରେ ନେଉନି । ଅନ୍ୟପଟେ ଦୀର୍ଘବର୍ଷ ହେବ  ରକ୍ତହୀନତା ରୋଗରେ ପୀଡ଼ିତ । ଅର୍ଥାଭାବ ଯୋଗୁ ଚିକିତ୍ସା କରି ପାରୁନଥିବା ଏକନ  ପରିବାରର ଗୁଜୁରାଣ ମେଣ୍ଟାଇବାକୁ ହାତରେ  ଦୁଇଖଣ୍ଡ କାଠି ଧରି ଗାଁକୁ ଗାଁ ବୁଲି ଭିକ୍ଷାବୃତ୍ତି କରୁଛନ୍ତି । 

ମୁଁ ତ ବଡ଼ ଦେଉଳର ପାରାରେ,  ନୀଳଚକ୍ର ମୋର ଆସରା... ଭକ୍ତି ସଂଗୀତକୁ  ଦାସକାଠିଆ ମାଧ୍ୟମରେ ଗାନ କରି ଛକ ବଜାର  ବୁଲି ଯାହା ଭିକ ଗଣ୍ଡେ ଆଣୁଛନ୍ତି, ସେଥିରେ  ତାଙ୍କ ପରିବାରର ଗୁଜୁରାଣ ବଡ଼ କଷ୍ଟରେ  ଚଳୁଛି । ଅନ୍ୟପଟେ ସରକାର କଳାକାରମାନଙ୍କୁ  କଳାକାର ଭତ୍ତା ପ୍ରଦାନ କରୁଥିବା ବେଳେ ଏକନ  ପରିବାରକୁ ସରକାରୀ ସହାୟତା କହିଲେ ଖାଦ୍ୟ  ସୁରକ୍ଷା କାର୍ଡ ଯାହା ଗଣ୍ଡେ ଚାଉଳ ମିଳୁଛି । ଏଭଳି  ସ୍ଥିତିରେ ଏକନଙ୍କ ପିଲାମାନେ ଶିକ୍ଷାରୁ ବଞ୍ଚିତ  ହୋଇଥିବାଳ ବେଳେ ଆଗାମୀ ଦିନରେ କିଭଳି  ପରିବାର ଚଳାଇବେ ତାକୁ ନେଇ ଚିନ୍ତାଗ୍ରସ୍ତ  ହୋଇପଡ଼ିଛନ୍ତି । ଏକନଙ୍କ ଏଭଳି ଅବସ୍ଥାକୁ  ନେଇ ବହୁବୁଦ୍ଧିଜୀବୀ ଦୁଃଖ ପ୍ରକାଶ କରୁଥିବା  ବେଳେ ତାଙ୍କୁ ଚିକିତ୍ସା ସହାୟତା ସହିତ ସରକାରୀ  ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି।