ପୁରୀ, ୨୫/୦୨: ପ୍ରଦୂଷିତ  ଦୟା ନଦୀ ପାଣି ବ୍ୟବହାର କରି କଣାସରେ ଡାଇରିଆ ବ୍ୟାପିବା ଯୋଗୁ  ପ୍ରାୟ ୭ ଜଣଙ୍କ ମୃତ୍ୟୁ ଓ ତିନିଶହରୁ ଅଧିକ ଆକ୍ରାନ୍ତ ହେବା ମାମଲା ରାଜ୍ୟ  ମାନବାଧିକାର କମିଶନଙ୍କ କୋର୍ଟରେ  ପହଞ୍ଚିଛି । ସୋମବାର ଏହି ମାମଲା  ଶୁଣାଣି ବେଳେ ନୋଟିସ୍‌ ପାଇବା ସତ୍ତେ୍ୱ  ପ୍ରଶାସନିକ ଅଭିମୁଖ୍ୟ ସମ୍ପର୍କରେ  ଜଣାଇବାକୁ କୌଣସି ଅଧିକାରୀ  ହାଜର ହୋଇନଥିଲେ । ସ୍ୱାସ୍ଥ୍ୟ ସଚିବ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ  ସଚିବ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ  ଅଧିକାରୀ ଓ ଜିଲ୍ଲାପାଳଙ୍କୁ କଣାସ  ହଇଜା ମୃତ୍ୟୁ ମାମଲାରେ ପଦକ୍ଷେପ  ସମ୍ପର୍କରେ ଜଣାଇବାକୁ ମାନବଧିକାର  ଆୟୋଗ ନିର୍ଦ୍ଦେଶ ଦେଇଥିଲେ ।  କୌଣସି ଅଧିକାରୀ ନଆସିବାରୁ ଆସନ୍ତା  ମାର୍ଚ୍ଚ ୩ ତାରିଖରେ ଏହି ମାମଲାର  ପରବର୍ତ୍ତୀ ଶୁଣାଣି ରହିଛି । ସ୍ୱାସ୍ଥ୍ୟ ସଚିବ,  ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ  ସଚିବ ଓ ଜିଲ୍ଲାପାଳ ପ୍ରମୁଖଙ୍କୁ ବ୍ୟକ୍ତିଗତ  ହାଜର ହୋଇ ଅଭିମୁଖ୍ୟ ରଖିବାକୁ  ନିର୍ଦ୍ଦେଶ ହୋଇଥିବା ଜଣାପଡ଼ିଛି ।  ସେପଟେ ଏହି ସମ୍ବେଦନଶୀଳ ଘଟଣାରେ ପ୍ରଶାସନିକ ଅଧିକାରୀମାନେ ଆୟୋଗଙ୍କ  ନିର୍ଦ୍ଦେଶକୁ ଅଣଦେଖା କରିବା ହଇଜାରେ  ମୃତ ବ୍ୟକ୍ତିଙ୍କ ପରିଜନଙ୍କୁ ଭିତରେ  ଅସନ୍ତୋଷ ସୃଷ୍ଟି କରିଛି । 

ସୂଚନା ଥାଉକି, ଭୁବନେଶ୍ୱରରୁ  ନିର୍ଗତ ନର୍ଦ୍ଦମାଜଳ ଗଙ୍ଗୁଆ ନାଳ ଯୋଗେ  ଆସି ଦୟାରେ ମିଶିବା ଯୋଗୁ ଏହା  ବିଷାକ୍ତ ହୋଇଯାଇଛି । ଏହାକୁ ସ୍ନାନ,  ଶୌଚ, ପାନୀୟ ପ୍ରଭୃତିରେ ବ୍ୟବହାର  କରି କଣାସର ବିଭିନ୍ନ ପଞ୍ଚାୟତର  ଶତାଧିକ ଲୋକେ ଡାଇରିଆରେ ଆକ୍ରାନ୍ତ  ହୋଇଥିଲେ । ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣଙ୍କ  ମୃତ୍ୟୁ ହେବାରୁ ପ୍ରସଙ୍ଗ ଆଲୋଚନାକୁ  ଆସିଥିଲା । ସରକାର ଠାରୁ କ୍ଷତିପୂରଣ  ଦାବିରେ ଲୋକେ ମାନବାଧିକାର ଆୟୋଗଙ୍କ  ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ହଇଜାରେ  ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ  ଏପର୍ଯ୍ୟନ୍ତ ଟଙ୍କାଟିଏ ସହାୟତା ପ୍ରଶାସନ  ପକ୍ଷରୁ ମିଳିନି । ଯାହା ଅସନ୍ତୋଷର ଆଉ  ଏକ କାରଣ ହୋଇଛି । ଲୋକଙ୍କୁ ଶୁଦ୍ଧ  ପାନୀୟଜଳ ଯୋଗାଇ ଦେବାରେ ପ୍ରଶାସନ  ଫେଲ ମାରିଥିବା ବେଳେ ପ୍ରାକୃତିକ ନଦୀ  ଉତ୍ସକୁ ପ୍ରଦୂଷିତ କରିବା ସାଧାରଣରେ  ଉଦ୍‌ବେଗର ବିଷୟ ହୋଇଛି ।