ନୂଆଦିଲ୍ଲୀ,୧୩/୦୪; ନିଜ ଜିଦରେ ଅଟଳ ଆମେରିକା ଓ ଇରାନ । ପାକିସ୍ତାନର ଇସଲାମାବାଦରେ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ବିନ୍ଦ ଲାଗି ଚାଲିଥିବା ଶାନ୍ତି ଆଲୋଚନା ବିଫଳ ହୋଇଛି । ଦୀର୍ଘ ୨୧ ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ଚାଲିଥିବା ମାରାଥନ ବୈଠକ ପରେ କୌଣସି ଫଳ ବାହାରି ପାରିନାହିଁ । ବିନ ବୁଝାମଣାରେ ଆମେରିକା ପ୍ରତିନିଧି ଟିମ୍ ୱାସିଂଟନ ଫେରି ଯାଇଛନ୍ତି । କାହିଁକି ଆଲୋଚନା ବିଫଳ ହେଲା ତାକୁ ନେଇ ଇରାନ ବୈଦେଶିକ ମନ୍ତ୍ରୀ ଆରାଘଚି କହିଛନ୍ତି ଯେ, ଦୁଇ ପକ୍ଷ ଏକ ଚୁକ୍ତିରେ ପହଞ୍ଚିବାକୁ ମାତ୍ର କିଛି ଇଞ୍ଚ ଦୂରରେ ଥିଲା କିନ୍ତୁ ଶେଷ ମୁହୂର୍ତ୍ତରେ ଆମେରିକାର ବିବାଦ ଯୋଗୁଁ ଆଲୋଚନା ବନ୍ଦ ହୋଇଗଲା । ଆରାଘଚି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ଏକ ପୋଷ୍ଟରେ ଏହା ଲେଖିଛନ୍ତି ।

​​​​​​​ସେ କହିଛନ୍ତି ଯେ, ଯୁଦ୍ଧ ସମାପ୍ତ କରିବା ପାଇଁ ଇରାନ ଆନ୍ତରିକ ଆଲୋଚନାରେ ସାମିଲ ହୋଇଛି, କିନ୍ତୁ ଅତ୍ୟଧିକ ଦାବି, ପରିବର୍ତ୍ତନଶୀଳ ଲକ୍ଷ୍ୟ ଏବଂ ଆମେରିକାର ବାଧା ଯୋଗୁଁ ଏକ ଚୁକ୍ତି ହୋଇପାରିଲା ନାହିଁ । ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଅନିର୍ଦ୍ଦିଷ୍ଟ ରହିବାର ଗୋଟିଏ ଦିନ ପରେ ଆରାଘଚିଙ୍କ ମନ୍ତବ୍ୟ ଆସିଛି । ପୂର୍ବରୁ, ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧର ସମାଧାନ ଖୋଜିବା ପାଇଁ ଉଭୟ ପକ୍ଷ ଇସଲାମାବାଦରେ ମୁହାଁମୁହିଁ ହୋଇଥିଲେ, କିନ୍ତୁ କୌଣସି ସଫଳତା ମିଳିନଥିଲା । ପ୍ରାୟ ୫୦ ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସର୍ବୋଚ୍ଚ ସ୍ତରୀୟ ଆଲୋଚନା ଥିଲା । "୪୭ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ସବୁଠାରୁ ତୀବ୍ର ଆଲୋଚନାରେ, ଇରାନ ଯୁଦ୍ଧ ସମାପ୍ତ କରିବା ପାଇଁ ସଦ୍ଭାବନା ସହିତ ଆମେରିକା ସହିତ ଆଲୋଚନା କରିଥିଲା । କିନ୍ତୁ ଯେତେବେଳେ ଆମେ 'ଇସଲାମାବାଦ ବୁଝାମଣାପତ୍ର'ରୁ ଇଞ୍ଚ ଦୂରରେ ଥିଲୁ, ଆମେ ଅତ୍ୟଧିକ ଦାବି, ପରିବର୍ତ୍ତନଶୀଳ ଲକ୍ଷ୍ୟ ଏବଂ ବାଧାପ୍ରାପ୍ତିର ସମ୍ମୁଖୀନ ହେଲୁ । 

ଏହା ବି ପଢନ୍ତୁ...ଶେହବାଜ ରୋକି ପାରିବେନି ଆମେରିକା-ଇରାନ ଯୁଦ୍ଧ, ଏବେ ‘ଟ୍ରମ୍ପ କାର୍ଡ’ ବାହାର କରିବାକୁ ଯାଉଛନ୍ତି ୟୁଏସ୍ ରାଷ୍ଟ୍ରପତି  

କ’ଣ ଏମିତି ଘଟିଥିଲା ଯାହା ଆଲୋଚନାକୁ ଅଟକାଇ ଦେଇଥିଲା, ଯାହା ପ୍ରାୟ ଏକ ଚୁକ୍ତିର ନିକଟତର ହୋଇଥିଲା, ସେ ବିଷୟରେ ବିସ୍ତୃତ ଭାବରେ କିଛି କହି ନଥିଲେ ଇରାନ ବୈଦେଶିକ ମନ୍ତ୍ରୀ । କିନ୍ତୁ ସେ ସ୍ପଷ୍ଟ କରିଥିଲେ ଯେ ଆମେରିକାର ଜିଦ୍ ଏବଂ ଅତ୍ୟଧିକ ଦାବି ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି ଏବଂ ଏକ ଚୁକ୍ତି ହେବାରେ ବାଧା ସୃଷ୍ଟି କରିଛି । ସେ ଆହୁରି ମଧ୍ୟ କହିଛନ୍ତି, "ସଦିଚ୍ଛା ସଦ୍ଭାବନାକୁ ଜନ୍ମ ଦିଏ । ଶତ୍ରୁତା ଶତ୍ରୁତାକୁ ଜନ୍ମ ଦିଏ । "