ନୂଆଦିଲ୍ଲୀ,୧୨।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଇରାନ - ଆମେରିକା ଯୁଦ୍ଧ ରୋକିବାରେ ବିଫଳ ହୋଇଛନ୍ତି। ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ହୋ ଟ୍ରମ୍ପ ପୁଣିଥରେ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ କଥା କହିଛିନ୍ତି। ଟ୍ରମ୍ପ ଏହି କଥା ଇରାନ ଓ ଆମେରିକା ଭିତରେ ଶାନ୍ତି ବାର୍ତ୍ତା ବିଫଳ ହେବା ପରେ କହିଛନ୍ତି। ଆମେରିକା ରାଷ୍ଟ୍ରପତି ନିଜର ଟ୍ରୁଥ ସୋସିଆଲ ଆକାଉଣ୍ଟରେ ‘ଜଷ୍ଟ ଦ ନ୍ୟୁଜ’ ଓ୍ବେବସାଇଟ୍‌ରେ ଏକ ଆର୍ଟିକିଲ ରିପୋଷ୍ଟ କରିଛନ୍ତି।

ଏହି ଆର୍ଟିକିଲ୍‌ରେ ସେହି ସମ୍ଭାବିତ ପଦକ୍ଷେପ ଉପରେ ସୂଚନା ଦିଆଯାଇଛି, ଯାହାକି ଇରାନ-ଆମେରିକା ବାର୍ତ୍ତା ବିଫଳ ହେବା ପରେ ଟ୍ରମ୍ପ ଉଠାଇ ପାରନ୍ତି। ଏଥିରେ କୁହାଯାଇଛି, ଯଦି ଇରାନ ଆମେରିକା ସହ ଚୁକ୍ତି ସ୍ବୀକାର କରିବାକୁ ମନା କରେ ତେବେ ଟ୍ରମ୍ପ ପୁଣିଥରେ ବୋମା ଓ ମିସାଇଲ ମାଡ଼ କରି ପ୍ରସ୍ତର ଯୁଗକୁ ନେଇଯିବେ। ଉଲ୍ଲେଖନୀୟ ଯେ, ଟ୍ରମ୍ପ ଇରାନକୁ ପୂର୍ବରୁ ଏହି ଧମକ ଦେଇସାରିଛନ୍ତି।

ଓ୍ବେବସାଇଟ୍‌ର ଆର୍ଟିକିଲରେ କୁହାଯାଇଛି ଯେ, ଟ୍ରମ୍ପ ପୂର୍ବରୁ ଇରାନର ବିପର୍ଯ୍ୟସ୍ତ ଅର୍ଥବ୍ୟବସ୍ଥାକୁ ଦବାଇବା ପାଇଁ ନିଜର ସଫଳ ନାକାବନ୍ଦୀ ରଣନୀତିକୁ ଦୋହରାଇ ପାରନ୍ତି। ଏହାଛଡା ଚୀନ୍ ଓ ଭାରତ ଉପରେ କୁଟନୈତିକ ଚାପ ବଢାଇ ପାରନ୍ତି। ଏହା ଅନୁସାରେ, ତାଙ୍କୁ ଇରାନରୁ ତୈଳ ନେବାକୁ ମନା କରାଯାଇପାରେ। ଏହି ଲେଖାରେ ଏହା ମଧ୍ୟ କୁହାଯାଇଛି ଯେ, ଆମେରିକା ନୌସେନା ହୋର୍ମୁଜ ଉପରେ ମଧ୍ୟ କନଟ୍ରୋଲ କରିବା ନେଇ ପଦକ୍ଷେପ ଗ୍ରହଣ କରିପାରେ। ଯୁଦ୍ଧ ଆରମ୍ଭ ହେବାପରେ ଇରାନ ଷ୍ଟେ୍ରଟ୍ ଅଫ୍ ହର୍ମୁଜ ବନ୍ଦ କରି ରଖିଛି। ଏହାଦ୍ବାରା ପୁରା ଦୁନିଆରେ ଏନର୍ଜୀ ସପ୍ଲାଇ ଚେନ୍‌କୁ ପ୍ରଭାବିତ କରିଛି।

ଉଲ୍ଲେଖନୀୟ ଯେ, ଆମେରିକା ଉପ-ରାଷ୍ଟ୍ରପତି ଜେଡି ଭାନ୍ସ ସ୍ଥାନୀୟ ସମୟ ଅନୁସାରେ ସକାଳ ୭ ଟା ୮ ମିନିଟ୍‌ରେ ଇସଲାମାବାଦରୁ ନିଜ ସରକାରୀ ବିମାନ ଯୋଗେ ସ୍ବଦେଶ ଗସ୍ତ କରିଛନ୍ତି। ଭାନ୍ସ କହିଛନ୍ତି, ଇରାନର ପରମାଣୁ ହତିଆର ବିକଶିତ କରିବା ନେଇ ନିଜ ପଦକ୍ଷେପ ପଛକୁ ହଟାଇ ନେବା ଯିବା ପରେ ସେ ପାକିସ୍ତାନରୁ ବାହାରିବାର ନିଷ୍ପତ୍ତି ନେଇଛନ୍ତି। ଭାନ୍ସ କହିଛନ୍ତି, ଆମେରିକାର ପକ୍ଷ ନିଜର ଅନ୍ତିମ ଓ ସର୍ବଶ୍ରେଷ୍ଠ ପ୍ରସ୍ତାବ ଇରାନକୁ ଦେଇଥିଲେ, କିନ୍ତୁ ତାକୁ ସ୍ବୀକାର କରାଯାଇ ନାହିଁ। ଇରାନ ଓ ଆମେରିକାର ପ୍ରତିନିଧିଙ୍କ ଭିତରେ ଆଲୋଚନା ୨୧ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ଦୁଇ ଦେଶ ଆଲୋଚନା ପାଇଁ ୮ ଏପ୍ରିଲରେ ଦୁଇ ସପ୍ତାହର ଅସ୍ତ୍ରବିରତି ପରେ ସହମତି ପ୍ରକାଶ କରିଥିଲା।

ଇରାନର ଶୀର୍ଷ ଅଧିକାରୀ ରବିବାର କହିଛନ୍ତି ଯେ, ଆମେରିକା ପକ୍ଷରୁ ଅତ୍ୟାଧିକ ଦାବି କାରଣରୁ ଇରାନ ଓ ଆମେରିକା ଭିତରେ ପାକିସ୍ତାନରେ ହୋଇଥିବା ବାର୍ତ୍ତା ରବିବାର କୌଣସି ବୁଝାମଣା ବିନା ସମାପ୍ତ ହୋଇଯାଇଛି। ସରକାରୀ ‘ପ୍ରେସ୍ ଟିଭି’ ଇରାନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସ୍ମାଇଲ ବକାଇ କହିଛନ୍ତି, ବାର୍ତ୍ତା କୌଣସି ଚୁକ୍ତି ପର୍ଯ୍ୟନ୍ତ ପହଁଞ୍ଚି ପାରିନାହିଁ। ବକାଇ କହିଛନ୍ତି, କିଛି ପ୍ରସଙ୍ଗରେ ଦୁଇ ପକ୍ଷ ଭିତରେ ସହମତି ପ୍ରକାଶ ପାଇଛି, କିନ୍ତୁ ଦୁଇ-ତିନି ଗୁରୁତ୍ବପୂର୍ଣ୍ଣ ମାମଲାରେ ମତଭେଦ ସୃଷ୍ଟି ହୋଇଛି। ତେବେ ବକାଇ କହିଛନ୍ତି, କୁଟନୀତି କେବେ ଶେଷ ହେବ ନାହିଁ।