ବୁର୍ଲା,୨୮/୧୦: ଅଟୋରେ ବୁଲୁଛି ହାତଗୋଡ଼ ନ ଥିବା ଖଣ୍ଡିଆ  ଶବ । ଦୁଇଦିନ ମଧ୍ୟରେ ଅନୁଗୋଳରୁ  ଆରମ୍ଭ କରି ବୌଦ୍ଧ ଏବଂ ସମ୍ବଲପୁର  ଜିଲ୍ଲାରେ ଘୂରି ବୁଲିଲାଣି । ହେଲେ ଏଯାଏ ଚିହ୍ନଟ ତ ଦୂରର କଥା, ବ୍ୟବଚ୍ଛେଦ ବି ହୋଇପାରି ନାହିଁ ।  ଡାକ୍ତରୀ କାଗଜପତ୍ରରେ ତ୍ରୁଟି ଯୋଗୁଁ  ଅନୁଗୋଳ ଜିଲ୍ଲା କିଆକଟା ଥାନା  ପୁଲିସ୍‌ ମୃତଦେହକୁ ଅଟୋରେ ଧରି  ଘୂରି ବୁଲିବା ଘଟଣା ବୁର୍ଲା ଅଞ୍ଚଳରେ  ଚର୍ଚ୍ଚାର ବିଷୟ ସାଜିଛି । ଶନିବାର ସନ୍ଧ୍ୟାରୁ ଶବ ବୁର୍ଲା ଭିମ୍‌ସାର  ମର୍ଗହାଉସ୍‌ ସମ୍ମୁଖରେ ଥିବାବେଳେ ମୃତଦେହକୁ ଏ କି ସମ୍ମାନ ବୋଲି  ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ  ପାଇଛି । 

ଅନୁଗୋଳ ଜିଲ୍ଲା କିଆକଟା ଥାନା  ଅନ୍ତର୍ଗତ ଜଙ୍ଗଲରେ ଏକ ଗଳିତ  ମୃତଦେହ ପଡ଼ିଥିବା ପୁଲିସ୍‌ ଖବର  ପାଇଥିଲା । ମୃତଦେହର ଗୋଡ଼ ହାତ ନ ଥିଲା । ଶବ ପଚିଯାଇଥିବାରୁ  ମୃତକ ପୁରୁଷ ନାଁ ମହିଳା ତାହା  ମଧ୍ୟ ଜଣାପଡୁ ନ ଥିଲା । ଛାନ୍‌ଭିନ୍‌  ପରେ ପୁଲିସ୍‌ ମୃତଦେହକୁ ଗତ ୨୫ ତାରିଖରେ ଜବତ କରିଥିଲା ।  ଏହାକୁ ବ୍ୟବଚ୍ଛେଦ ପାଇଁ ଅନୁଗୋଳ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନ ନେଇ  ନିକଟବର୍ତ୍ତୀ ବୌଦ୍ଧ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟକୁ ନେଇଥିଲା । ହେଲେ  ସେଠାରେ ସୃଷ୍ଟି ହୋଇଥିଲା ଅଡୁଆ  ସ୍ଥିତି । ସେଠାକାର ଡାକ୍ତର ବ୍ୟବଚ୍ଛେଦ ହୋଇପାରିବ ନାହିଁ କହିବା ସହ ବୁର୍ଲା  ନେବାକୁ ପରାମର୍ଶ ଦେଇଥିଲେ ।  ଏହାପରେ ପୁଲିସ୍‌ ବାଧ୍ୟ ହୋଇ  ମୃତଦେହକୁ ଏକ ଅଟୋ ରିକ୍ସାରେ ଧରି ଶନିବାର ସନ୍ଧ୍ୟାରେ ବୁର୍ଲା ଭିମ୍‌ସାର୍‌  ଶବ ବ୍ୟବଚ୍ଛେଦ ଗୃହ ନିକଟରେ  ପହଞ୍ଚିଥିଲା । ତେବେ ବୌଦ୍ଧରୁ ବୁର୍ଲା  ସ୍ଥାନାନ୍ତର କରିଥିବା ଡାକ୍ତର ରେଫରାଲ  ପେପର୍‌ରେ କୌଣସି ମେମୋ ନମ୍ବର  କିମ୍ବା ସିଲ୍‌ ପକାଇ ନ ଥିଲେ । 

ନିୟମ ଅନୁଯାୟୀ ରେଫେରାଲ୍‌ ହୋଇଥିବା  ଡାକ୍ତରଖାନା ଅର୍ଥାତ୍‌ ବୌଦ୍ଧରୁ ଡାକ୍ତରୀ  ଟିମ୍‌ ଭିମ୍‌ସାର୍‌ ଆସିବା କଥା । ହେଲେ  କୌଣସି ଡାକ୍ତରୀ ଟିମ୍‌ ଆସି ନ ଥିବାରୁ ନିୟମ ଉଲ୍ଲଂଘନ କରି ଶବ ଗ୍ରହଣ  କରିବାକୁ ବୁର୍ଲା ଭିମ୍‌ସାର୍‌ ଡାକ୍ତର ରାଜି ହୋଇ ନ ଥିଲେ । ଫଳରେ ଅଡୁଆରେ ପଡ଼ିଯାଇଥିଲା କିଆକଟା ପୁଲିସ୍‌ । କିଆକଟା ଥାନାଧିକାରୀ ଓ ଅନ୍ୟ ପୁଲିସ୍‌  କର୍ମଚାରୀମାନେ ଶନିବାରଠାରୁ ଭିମ୍‌ସାର ଶବ ବ୍ୟବଚ୍ଛେଦ ଗୃହ  ସମ୍ମୁଖରେ ଜଗି ରହିଛନ୍ତି । ହେଲେ କାଗଜପତ୍ରରେ ତ୍ରୁଟି ଯୋଗୁଁ  ଶବ ବ୍ୟବଚ୍ଛେଦ ହୋଇପାରୁ ନ ଥିବା ଜଣାପଡ଼ିଛି ।  ଏକ ଅଟୋ ରିକ୍ସାରେ ଗଳିତ ମୃତଦେହ ଧରି ପୁଲିସ୍‌ ୩ ଜିଲ୍ଲା  ଚକ୍କର କାଟିବା ଚର୍ଚ୍ଚାର ବିଷୟ ପାଲଟିଛି । କାର୍ଯ୍ୟରେ ଅବହେଳା  କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା  ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।