ଛେଣ୍ଡିପଦା,୨୯।୫(ଆପ୍ର): ଶୁନ୍ୟରୁ ଖସିଲା ମୃତ୍ୟୁ । ବଜ୍ରାଘାତରେ ଚାଲି ଗଲା ବୃଦ୍ଧଙ୍କ ଜୀବନ। ବାଗେଡିଆ ଥାନା ଇଲାକା ପାତ୍ରପଡ଼ା ଗ୍ରାମରେ ଗୁରୁବାର ଗୋଟାଏ ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ସେହି ଗ୍ରାମର କରୁଣା ନାଏକ I
ସୂଚନା ମୁତାବକ କରୁଣା ଆଜି ମଧ୍ୟାହ୍ନରେ ଘର ପାଖ ଖଳାକୁ ଗୋରୁଙ୍କୁ ପାଳ ଦେବାକୁ ଯାଇଥିଲେ । ଏହି ସମୟରେ ହଠାତ୍ କଳାହାଣ୍ଡିଆ ମେଘ ମାଡ଼ି ଆସିଥିଲା। ଫଳରେ କରୁଣା ଗୁହାଳରେ ଆଶ୍ରୟ ନେଇଥିଲେ। ହେଲେ ହଠାତ୍ ବଜ୍ରପାତ ହେବାରୁ କରୁଣା ଟଳି ପଡିଥିଲେ। ପରିବାର ଲୋକ ଏକ ବାଇକ ଯୋଗେ ତାଙ୍କୁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସେହିପରି ବାଗେଡିଆ ଥାନା ନୂଆଗାଁ ଗ୍ରାମର ଚଞ୍ଚଳା ମାଝି ମଧ୍ୟ ବଜ୍ରାଘାତର ଶିକାର ହୋଇ ଗୁରୁତର ହୋଇଛନ୍ତି। ଅବସ୍ଥା ଗୁରୁତର ଥିବାରୁ ଛେଣ୍ଡିପଦା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।