ଭୁବନେଶ୍ଵର, ୨୫/୧୧ : ଆଉ ବିଜୁ ଲିଗାସି ନାହିଁ, ଏବେ ଭିନ୍ନ ଆଦର୍ଶରେ ଦଳ ଚାଲିଛି... ବରିଷ୍ଠଙ୍କୁ ଗୁରୁତ୍ଵ ମିଳୁନି। ବିଜୁ ଜନତା ଦଳର ବରିଷ୍ଠ ନାଗରିକ ସେଲ୍ ଉପସଭାପତି ପଦରୁ ଇସ୍ତଫା ଦେବା ପରେ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ। ସେ କହିଛନ୍ତି ଯେ, ବହୁତ ସମୟ ଅପେକ୍ଷା କଲି। ୫ ମାସ ଆଗରୁ ଚିଠି ଦେଇଥିଲି। ନବୀନ ବାବୁ ଅସୁସ୍ଥ ଥିବାରୁ ଭେଟି ପାରିନଥିଲି। ନବୀନ ବାବୁ ସୁସ୍ଥ ହେବାପରେ ମଧ୍ୟ ମୋତେ ଦେଖା କରିବା ପାଇଁ ଦିଆଗଲା ନାହିଁ। ଦଳର ପ୍ରତି କର୍ମୀଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଦଳକୁ କିଏ ଚଳାଉଛି ?

ଦେବାଶିଷ ସାମନ୍ତରାୟ ଅଭିଯୋଗ ଆଣିଛନ୍ତି ଯେ, ପ୍ରସନ୍ନ ଆଚାର୍ଯ୍ୟଙ୍କ ପରି ବରିଷ୍ଠ ନେତାଙ୍କୁ ମଧ୍ୟ ଦଳରେ ଅଣଦେଖା କରାଯାଉଛି। ମତେ ଦିଆଯାଇଥିବା ପଦବିଟି ରାଜନୈତିକ ନୁହେଁ ବ୍ୟୁରୋକ୍ରାଟିକ୍। ମୁଁ ବିଜୁ ଜନତା ଦଳ ଛାଡ଼ି ନାହିଁ। ନବୀନ ବାବୁ ମୁଖିଆ ଥିବା ପର୍ଯ୍ୟନ୍ତ ମୁଁ ଦଳରେ ଅଛି ଓ ରହିବି। ବିଜୁ ଜନତା ଦଳ ଏକ ବ୍ୟୁରୋକ୍ରାଟିକ ଦଳରେ ପରିଣତ ହୋଇଯାଇଛି। ଆଉ ବିଜୁ ଲିଗାସି ନାହିଁ, ଏବେ ଭିନ୍ନ ଆଦର୍ଶରେ ଦଳ ଚାଲିଛି। ଓ୍ବାକଫ ବୋର୍ଡ ବିଲ୍ ବେଳେ ଦଳର ନିଷ୍ପତ୍ତି ଠିକ୍ ନଥିଲା। ନୂଆପଡ଼ା ନିର୍ବାଚନ ବେଳେ ବହୁତ୍ ଭୁଲ୍ ନିଷ୍ପତ୍ତି ନିଆଗଲା। ମୋତେ ତାତ୍ସଲ୍ୟ କଲା ପରି ପଦବି ଦିଆଗଲା ଏହାକୁ ମୁଁ କିପରି ଗ୍ରହଣ କରିବି ବୋଲି ଦେବାଶିଷ ପ୍ରଶ୍ନ କରିଛନ୍ତି। 

ପ୍ରକାଶ ଥାଉକି, ବିଜୁ ଜନତା ଦଳର ବରିଷ୍ଠ ନାଗରିକ ସେଲ୍ ଉପସଭାପତି ପଦରୁ ଦେବାଶିଷ ସାମନ୍ତରାୟ ଆଜି ଇସ୍ତଫା ଦେଇଛନ୍ତି। ବିଜେଡି ସୁପ୍ରିମୋଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି। ଦଳ ତାଙ୍କୁ ଗୁରୁତ୍ୱ ଦେଉନଥିବା ଦର୍ଶାଇ ଇସ୍ତଫା ଦେଇଥିବା ଉଲ୍ଲେଖ ରହିଛି। ବିଜେଡି ସମ୍ପର୍କରେ ଏହି ଚିଠିରେ ଦେବାଶିଷ ଲେଖିଛନ୍ତି ଯେ, ବିଜେଡି ଗୋଟିଏ ନୂଆ ଚିନ୍ତାଧାରା ସହ ଆଗକୁ ବଢ଼ୁଛି । ଯାହାକୁ ନେଇ ସେ ନିରାଶ ଅଛନ୍ତି । ତେବେ ନବୀନ ହିଁ ହଜାର ହଜାର କର୍ମୀଙ୍କ ପାଇଁ ଏକମାତ୍ର ଆଶା ବୋଲି ଦେବାଶିଷ କହିଛନ୍ତି।

ଦୀର୍ଘ ଦିନ ହେଲା ବିଜେଡି ଆଉ ଦେବାଶିଷଙ୍କ ଭିତରେ କିଛି ବି ଠିକ୍ ନାହିଁ। ୨୦୨୪ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ହୋଇଥିଲା। ନିର୍ବାଚନରେ ହାର ଜିତ ରହିଥାଏ। ମାତ୍ର ଦଳ ଏହାକୁ ଗ୍ରହଣ କରି କୌଣସି ପଦକ୍ଷେପ ନେବା ବଦଳରେ ବରିଷ୍ଠଙ୍କୁ ଅଣଦେଖା କରିଚାଲିଛି। ଯାହାକୁ ନେଇ ଦେବାଶିଷ ସାମନ୍ତରାୟ ଅସନ୍ତୁଷ୍ଟ ଅଛନ୍ତି ।