ପୁରୀ, ୧୧/୬ : ବୁଧବାର ଦେବସ୍ନାନ ପୂର୍ଣ୍ଣିମା । ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ । ଏଥିଲାଗି ଭକ୍ତ ବ୍ୟାକୁଳ । ରତ୍ନବେଦି ଛାଡ଼ି ଭାଇ, ଭଉଣୀଙ୍କ ସହ ସ୍ନାନବେଦିରେ ମହାପ୍ରଭୁ ବିଜେ ହେଉଛନ୍ତି। ବଡ଼ ଠାକୁରଙ୍କ ଏହି ଦିବ୍ୟଲୀଳା ଦେଖିବାକୁ ମଙ୍ଗଳବାର ରାତିରୁ ଶ୍ରୀକ୍ଷେତ୍ରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।
ସୂଚନାନୁଯାୟୀ, ସ୍ନାନ ଦିନ ୧୨ଟା ୨୦ରୁ ମଧ୍ୟାହ୍ନ ୧ଟା ୪୫ ପର୍ଯ୍ୟନ୍ତ ଜଳବିଜେ ଚାଲିବ। ଅପରାହ୍ଣ ସାଢ଼େ ୪ଟାରେ ହାତୀବେଶ ହେବାକୁ ଥିବା ବେଳେ ସାହାଣମେଲା ଦର୍ଶନ ସନ୍ଧ୍ୟା ସାଢ଼େ ୭ଟାରୁ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ । ବାହୁଡ଼ା ପହଣ୍ଡି ରାତି ସାଢ଼େ ୧୧ଟାରୁ ହେବ ।
ଧନୀ, ଗରିବ, ତପୀ, ପାପୀ, ଜାତି ଅଜାତିର ବାଛ ବିଚାର ନାହିଁ। ପତିତର ଦୁଃଖ ନିବାରଣ ପାଇଁ ବାହୁ ପ୍ରସାରି ଭକ୍ତଙ୍କୁ କୋଳେଇ ନେବେ ଭାବଗ୍ରାହୀ। ଜଗତକର୍ତ୍ତାଙ୍କୁ ସ୍ନାନବେଦିରେ ସମସ୍ତେ ଦର୍ଶନ କରିବେ । ଠାକୁରେ ମଧ୍ୟ ସେମାନଙ୍କୁ ଅପଲକ ନୟନରେ ଅଭୟ ପ୍ରଦାନ କରିବେ । ଦାରୁବ୍ରହ୍ମଙ୍କୁ ୧୦୮ ଗରା ସୁନା କୂଅ ଜଳ ଲାଗି ହେବ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଜାନନ ବେଶରେ ଠାକୁରଙ୍କୁ ଦର୍ଶନ କରି ଧନ୍ୟ ହେବେ ଭକ୍ତ । ମର୍ତ୍ତ୍ୟମଣ୍ଡଳରେ ମଣିମାଙ୍କ ଏଭଳି ଦିବ୍ୟଲୀଳା ସାରା ବିଶ୍ୱ ଦେଖିବ । ଠାକୁରଙ୍କ ଅତି ପ୍ରିୟ ପଦ୍ମ ପୁଷ୍ପ । ଏଣୁ ପାରମ୍ପରିକ ଚିତ୍ରକାର ସେବକ ସ୍ନାନ ମଣ୍ଡପରେ ଓଲଟ ପଦ୍ମ ଚିତ୍ର କରିଛନ୍ତି।