ନୂଆଦିଲ୍ଲୀ,୨୮/୦୯: ସରିଗଲା ୩ ଦିନର ଲୁଚକାଳି ଖେଳ । ଶେଷରେ ବନ୍ଧା ହେଲେ ବାବା । ୧୭ ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ, ଯୌନ ଉତ୍ପୀଡ଼ନ ଏବଂ ଜାଲିଆତି ଅଭିଯୋଗରେ ଗିରଫ ହୋଇଛନ୍ତି ସ୍ୱାମୀ ଚୈତନ୍ୟାନନ୍ଦ । ଆଗ୍ରାର ଏକ ହୋଟେଲରେ ଲୁଚିଥିଲେ । ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀ ପୁଲିସ ବାବାଙ୍କୁ ଗିରଫ କରିଛି । ଇଡବ୍ଲ୍ୟୁଏସ ସ୍କଲାରସିପରେ ପିଜିଡିଏମ କରାଇଦେବାକୁ କହି ଛାତ୍ରୀଙ୍କୁ ଶୋଷଣ କରୁଥିଲେ ବାବା ।

ପୂରା ଘଟଣା କ’ଣ ? ଦିଲ୍ଲୀର ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ପୂର୍ବତନ ମୁଖ୍ୟ ତଥା ସାଉଥଦିଲ୍ଲୀର ବସନ୍ତକୁଞ୍ଜର ଥିବା ଆଶ୍ରମ ପ୍ରମୁଖ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ହୋଇଥିଲା । ୧୭ ଜଣ ଛାତ୍ରୀ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ ।  ଏହି ଛାତ୍ରୀମାନେ ଇନ୍‌ଷ୍ଟିଚ୍ୟୁଟରେ ଇଡବ୍ଲ୍ୟୁଏସ୍ ସ୍କଲାର୍‌ଶିପ୍‌ରେ ପିଜିଡିଏମ୍‌ କରୁଛନ୍ତି । ସ୍ୱାମୀ ଚୈତନ୍ୟାନନ୍ଦ ସେମାନଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଇବା ସହ ଜବରଦସ୍ତି ଛୁଉଁଥିବା ଅଭିଯୋଗ କରିଥିଲେ । ବିରୋଧ କଲେ କ୍ୟାରୟର ବର୍ବାଦ କରିଦେବାକୁ ଧମକାଉଥିଲେ । ଅଭିଯୋଗ ପରେ ପୁଲିସ ମୋଟ ୩୨ ଛାତ୍ରୀଙ୍କ ବୟାନ ରେକର୍ଡ କରିଥିଲା । ବାବାଙ୍କ ହ୍ୱାର୍ଟ୍ସଅପ ଚାଟ୍‌ରୁ ଅନେକ କଥା ପଦାକୁ ଆସିଛି । ସେ ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ କରୁଥିଲେ । କେତେକ ମେସେଜରେ ସେ ଲେଖିଛନ୍ତି, ମୋ ପାଖକୁ ଆସିଯାଅ । ବିଦେଶ ବୁଲେଇ ନେବି । ଏଥିରେ ତୁମର ଟଙ୍କା ଖର୍ଚ୍ଚ ହେବ ନାହିଁ । ଯଦି ମୋ କଥା ନମାନ ତେବେ ତୁମକୁ ଫେଲ କରାଇଦେବି । ଅଭିଯୋଗ ଅନୁସାରେ ଯେଉଁମାନେ ତାଙ୍କୁ ବିରୋଧର କରୁଥିଲେ ସେମାନଙ୍କୁ ପରୀକ୍ଷାରେ ଫେଲ୍ କରାଇଦେବା ସହିତ କ୍ୟାରିୟର ବର୍ବାଦ କରିଦେବେ ବୋଲି ଧମକାଉଥିଲେ । ଘଟଣାରେ ଇନ୍‌ଷ୍ଟିଚ୍ୟୁଟର ୩ ମହିଳା ୱାଡେନ୍‌ ବି ସାମିଲ ଅଛନ୍ତି । ସେମାନେ ଚୁପ୍‌ ରହିବାକୁ ଛାତ୍ରୀଙ୍କୁ ଚାପ ପକାଉଥିଲେ ।

ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସରଥୀଙ୍କ ବିରୋଧରେ ଅଗଷ୍ଟ ୪ରେ ଏତଲା ହୋଇଥିଲା । ସେହି ସମୟରେ ସେ ଇନ୍‌ଷ୍ଟିଚ୍ୟୁଟ ପ୍ରମୁଖ ଥିଲେ । ଅଗଷ୍ଟ ୯ରେ ତାଙ୍କୁ ପଦରୁ ହଟାଯାଇଥିଲା । ସରଜା ଇନ୍‌ଷ୍ଟିଚ୍ୟୁଟ କର୍ଣ୍ଣାଟକର ଶୃଙ୍ଗେରୀ ସ୍ଥିତ ଦକ୍ଷିଣାମନ୍ୟ ଶ୍ରୀ ସାରଦା ପୀଠର ଶାଖା । ଚୈତନ୍ୟାନନ୍ଦ ଓଡିଶାର ହୋଇଥିବାବେଳେ ସେ ୧୨ ବର୍ଷ ହେବ ଶ୍ରୀ ଶୃଙ୍ଗେରୀ ଆଶ୍ରମରେ ରହୁଥିଲେ । ଆଶ୍ରମର ପରିଚାଳନା ଓ ତଦରଖ କାମରେ ନିୟୋଜିତ ଥିଲେ । ଏତଲା ପରଠୁ ବାବା ଫେରାର ଥିଲେ । ଆଗ୍ରାର ଏକ ହୋଟେଲରେ ଲୁଚିଥିବା ବେଳେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଛି । ପୁଲିସ ଆଜି ଚୈତନ୍ୟାନନ୍ଦଙ୍କୁ ଦିଲ୍ଲୀ କୋର୍ଟରେ ହାଜର କରିବ । ଗିରଫଦାରୀ ଏଡାଇବା ପାଇଁ ଚୈତନ୍ୟାନନ୍ଦ କୋର୍ଟରେ ଜାମିନ ଆବେଦନ ମଧ୍ୟ ଦାଖଲ କରିଥିଲେ । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ଆଗୁଆ ଜାମିନକୁ ଖାରଜ କରିଦେଇଥିଲେ । ଚୈତନ୍ୟାନନ୍ଦଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ୧୮ଟି ଆକାଉଣ୍ଟରେ ଜମା ହୋଇଥିବା ପ୍ରାୟ ୮ କୋଟି ଟଙ୍କା ଏବଂ ୨୮ଟି ସ୍ଥାୟୀ ଜମାକୁ ଫ୍ରିଜ୍ କରାଯାଇଥିଲା ।