କେସିଙ୍ଗା,୪|୧୨: ଚଳିତ ଖରିଫ ଋତୁର କଳାହାଣ୍ଡି ଜିଲ୍ଲାରେ ଧାନ ମଣ୍ଡି ଖୋଲିବାରେ ବିଳମ୍ବ ହୋଇଛି। ବରଗଡ଼, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାରେ ଚଳିତ ଖରିଫ ଋତୁର ମଣ୍ଡି ଖୋଲି ଧାନ ସଂଗ୍ରହ ଆରମ୍ଭ ହୋଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର  ଶୀତକାଳୀନ ବିଧାନସଭା ଅଧିବେଶନରେ ଗତକାଲି ସୂଚନା ଦେଇଥିଲେ । ହେଲେ ବାସ୍ତବରେ ଦେଖିବାକୁ ଗଲେ ଚଳିତ ବର୍ଷ ଖରିଫ ଋତୁରେ କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହୋଇପାରି ନାହିଁ। କଷ୍ଟମ ମିଲିଂ ପାଇଁ ସରକାରଙ୍କ ଠାରେ ମିଲରଙ୍କ ଏଗ୍ରିମେଣ୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇପାରିନାହିଁ । ଯାହା ଫଳରେ କଳାହାଣ୍ଡି ଜିଲ୍ଲାରେ ମଣ୍ଡି ଖୋଲିବାରେ ବିଳମ୍ବ ହୋଇଥିବା ଜଣାପଡିଛି । ମଣ୍ଡି ଖୋଲିବାରେ ବିଳମ୍ବ ହୋଇଥିବା ଯୋଗୁଁ ଚାଷୀ ମହଲରେ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ ପାଇଛି ।

 କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଉପଖଣ୍ଡ ଅନ୍ତର୍ଗତ କେସିଙ୍ଗା ବ୍ଲକ୍ ଅଞ୍ଚଳରେ ଥିବା ୭ଟି ପାକ୍ସରେ ଚଳିତବର୍ଷ ଖରିଫ୍ ଋତୁର ଧାନ ବିକ୍ରି ପାଇଁ ୮,୧୯୭ ଜଣ ଚାଷୀ ନିଜର ନାମ ପଞ୍ଜୀକରଣ କରିଛନ୍ତି। ହେଲେ କେସିଙ୍ଗା ବ୍ଲକ ଅଞ୍ଚଳରେ ଏପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲାଯାଇ ନାହିଁ । ଚାଷୀଙ୍କ ଅମଳ ଧାନ ଖଳାରେ ପଡ଼ିରହିଥିବା ଦେଖିବାକୁ ମିଳିଛି। ମଣ୍ଡି ଖୋଲିବାରେ ବିଳମ୍ବ ହୋଇଥିବା ଯୋଗୁଁ ଧାନ ସଂଗ୍ରହ ହୋଇପାରି ନାହିଁ। ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚାଷୀମାନେ ନିଜର ନାମ ପଞ୍ଜୀକରଣ କରିଛନ୍ତି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କେସିଙ୍ଗା ବ୍ଲକ ଅଞ୍ଚଳରେ ମଣ୍ଡି ଆରମ୍ଭ ହୋଇନାହିଁ। ମଣ୍ଡି କେବେ ଖୋଲିବ ସେ ନେଇ ଚାଷୀମାନେ ଅପେକ୍ଷା କରିଛନ୍ତି। ଚାଷୀ ନିଜର ପରିବାର ପୋଷଣ, ପିଲାଙ୍କ ପାଠପଢା, ଋଣ ସୁଝା ଆଦି ପାଇଁ ଟଙ୍କା ଦରକାର ପଡୁଥିବା ବେଳେ ଅମଳ ହୋଇଥିବା ଧାନକୁ ବିକ୍ରି କରିନପାରି ଚାଷୀ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଚାଷୀ ମାନଙ୍କ ସୁବିଧା ଦୃଷ୍ଟିରୁ ବିଳମ୍ବ ନକରି ଯଥାଶୀଘ୍ର ମଣ୍ଡି ଖୋଲି ଧାନ ସଂଗ୍ରହ କରିବା ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ କେସିଙ୍ଗା ବ୍ଲକ୍ ଅଞ୍ଚଳର ଚାଷୀ ମହଲରେ ଦାବି ହେଉଛି ।