ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦମୀ ପାର୍ଟି (AAP)କୁ ବଡ଼ ଝଟକା ଲାଗିଛି । ଦଳରୁ ୭ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ସେମାନଙ୍କୁ ଆଗାମୀ ନିର୍ବାଚନ ଲାଗି ଆପ୍‌ ପକ୍ଷରୁ ଟିକେଟ୍‌ ମିଳିନଥିଲା । ଏଥିରେ ଅସନ୍ତୁଷ୍ଟ ହୋଇ ୭ ଜଣ ଆପ୍‌ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି । ବିଧାୟକ ରାଜେଶ ରିଷି, ନରେଶ ଯାଦବ, ରୋହିତ ମେହରାଉଲିଆ, ଭାବନା ଗୌଡ଼, ମଦନ ଲାଲଙ୍କ ସମେତ ଶୁକ୍ରବାର ସାତ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ଜନକପୁରୀରୁ ଦୁଇ ଥର ବିଧାୟକ ରାଜେଶ ରିଷି ଆମ୍ ଆଦମୀ ପାର୍ଟିର ସବୁ ପଦରୁ ଇସ୍ତଫା ଦେଇଛନ୍ତି । ଟିକେଟ୍ କଟିବାରୁ ଅସନ୍ତୁଷ୍ଟ ଥିବା ରାଜେଶ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ପାର୍ଟି ନିଜର ମୂଳ ସିଦ୍ଧାନ୍ତକୁ ତ୍ୟାଗ କରି ଦୁର୍ନୀତିରେ ବୁଡ଼ି ରହିଛି । 




ଇସ୍ତଫା ଦେଇଥିବା ୭ ବିଧାୟକ

୧. ଭାବନା ଗୌଡ଼

୨.ନରେଶ ଯାଦବ

୩. ରାଜେଶ ରିଷି

୪.ମଦନ ଲାଲ

୫.ରୋହିତ ମେହରାଉଲିଆ

୬. ବିଏସ୍‌ ଜୁନ୍‌

୭. ପଓ୍ବନ ଶର୍ମା

ମହରୌଲିର ବିଧାୟକ ନରେଶ ଯାଦବ ମଧ୍ୟ ପାର୍ଟି ଉପରେ ଦୁର୍ନୀତିର ଅଭିଯୋଗ ଲଗାଇଛନ୍ତି। ନରେଶ ଯାଦବଙ୍କୁ ପାର୍ଟି ଟିକେଟ୍ ଦେଇଥିଲା, ମାତ୍ର ପରେ ଫେରାଇ ନେଇଥିଲା। ଯାଦବଙ୍କ କୁରାନକୁ ଅପମାନ ସଂପର୍କିତ ଏକ ମାମଲାରେ ପଞ୍ଜାବର ଏକ ଅଦାଲତ ଦଣ୍ଡାଦେଶ ଶୁଣାଇଥିଲେ। କିନ୍ତୁ ଉପର ଅଦାଲତ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଲଗାଇଥିଲେ । ନରେଶ ଯାଦବଙ୍କୁ ଟିକେଟ୍ ଦେବାରୁ ଆପ୍‌କୁ କଂଗ୍ରେସ  ଓ ଏଆଇଏମଆଇଏମ ସମାଲୋଚନା କରିଥିଲେ । ତ୍ରିଲୋକପୁରୀରୁ ଆପ୍ ବିଧାୟକ ତଥା ଦଳିତ ନେତା ରୋହିତ କୁମାର ମେହରାଉଲିଆ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ଏଥର ବିଧାନସଭା ନିର୍ବାଚନରେ ତାଙ୍କୁ ଆପ୍‌ ଟିକେଟ ଦେଇନଥିଲା । ସେ ଏକ୍ସରେ ଲେଖିଛନ୍ତି, ବାବା ସାହେବଙ୍କ କେବଳ ଫଟୋ ଦରକାର, ତାଙ୍କର ବିଚାର ଦରକାର ନାହିଁ। ଏମିତି ଲୋକଙ୍କ ସହିତ ମୋର ସଂପର୍କ ଆଜିଠୁ ଶେଷ । ସେହିପରି ପାଲମର ବିଧାୟକ ଭାବନା ଗୌଡ଼, କସ୍ତୁରବା ନଗରର ବିଧାୟକ ମଦନ ଲାଲ, ବିଜବାସନର ବିଧାୟକ ବିଏସ ଜୁନ୍‌ ଓ ଆଦର୍ଶ ନଗର ବିଧାୟକ ପଓ୍ବନ ଶର୍ମା ମଧ୍ୟ ଆପ୍‌ରୁ ଇସ୍ତଫା ଦେଇଛନ୍ତି ।