ନୂଆଦିଲ୍ଲୀ, ୧୯/୧୧ : ଦିଲ୍ଲୀରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍‌ ନିକଟରେ ଆତ୍ମଘାତୀ ବିସ୍ଫୋରଣ ମାମଲାରା ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଅନୁସାରେ, ଡାକ୍ତରମାନଙ୍କର ଏହି ‘ହ୍ୱାଇଟ୍‌ କଲାର ଟେରର ମୋଡ୍ୟୁଲ’ କାର୍‌ ବିସ୍ଫୋରଣ ଘଟାଇବା ପୂର୍ବରୁ ପ୍ରଥମେ ହମାସ୍‌ ଆତଙ୍କୀ ସଙ୍ଗଠନ ଭଳି ଡ୍ରୋନ୍‌ ଏବଂ ରକେଟ୍‌ ଯୋଗେ ଆକ୍ରମଣ କରିବାକୁ ଚାହୁଁଥିଲା । ଏହି ଯୋଜନା ୨୦୨୩ ଅକ୍ଟୋବରରେ ହମାସ୍‌ ପକ୍ଷରୁ ଇସ୍ରାଏଲ୍‌ ଉପରେ କରାଯାଇଥିବା ଆକ୍ରମଣ ଶୈଳୀରେ ବନାଯାଇଥିଲା ।

ଏହି ଗୋଷ୍ଠୀ ରକେଟ ଆଧାରିତ ବିସ୍ଫୋରକ ଯୋଗାଣ ବ୍ୟବସ୍ଥା ଲାଗି ଡ୍ରୋନ ଜ୍ଞାନକୌଶଳ ଉପରେ କାମ କରୁଥିଲା । ସେମାନଙ୍କ ଉଦ୍ଦେଶ୍ୟ ଥିଲା ରକେଟ ଭଳି ଜନଗହଳିପୂର୍ଣ୍ଣ ସ୍ଥାନ କିମ୍ବା ସମ୍ବେଦନଶୀଳ ଅଞ୍ଚଳ ଉପରେ ଆକ୍ରମଣ କରି ଅଧିକରୁ ଅଧିକ ଲୋକଙ୍କୁ ହତ୍ୟା କରିବା ଏବଂ ଆତଙ୍କ ସୃଷ୍ଟି କରିବା । ଏହାକୁ କାର୍ଯ୍ୟକାରୀ କରିବା ଲାଗି ସେମାନେ ଏକାଧିକ ବୈଷୟିକ ବିଶେଷଜ୍ଞଙ୍କ ସନ୍ଧାନାରେ ଲାଗିପଡିଥିଲେ । ଉମରର ଜଣେ ସାଥୀ ଜସିର ବିଲାଲ ୱାନି ଓରଫ ଦାନିଶର ଗିରଫଦାରି ପରେ ଏନ୍‌ଆଇଏକୁ ଏହି ସୂଚନା ମିଳିଛି । ସେମାନଙ୍କ ଏହି ଆକ୍ରମଣ ଯୋଜନା ସମ୍ପର୍କରେ ସବିଶେଷ ତଥ୍ୟ ହାସଲ କରିବା ଲାଗି ଏନ୍‌ଆଇଏ ଅଧିକାରୀମାନେ ଡିଜିଟାଲ ଉପକରଣ, ଯୋଗଯୋଗ ମାଧ୍ୟମ ଓ ସନ୍ଦିଗ୍ଧ ବିସ୍ଫୋରକ ସାମଗ୍ରୀ ସଂଗ୍ରହ ଆଦି ଉପରେ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି ।

ଇତିମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଲ୍‌ ଫଲାହ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଜୱାଦ ଅହମ୍ମଦ ସିଦ୍ଦିକିଙ୍କୁ ଗିରଫ କରିଛି । ସଂସ୍ଥାନରେ କାର୍ଯ୍ୟ କରୁଥିବା ୩ ଜଣ ଡାକ୍ତରଙ୍କର ନଭେମ୍ବର ୧୦ ତାରିଖର ଲାଲକିଲ୍ଲା ବିସ୍ଫୋରଣ ସହ ସଂପୃକ୍ତି ଜଣାପଡି଼ବା ପରେ ଏହି ବିଶ୍ୱବିଦ୍ୟାଳୟ ସୁରକ୍ଷା ଏଜେନ୍ସିର ରାଡାରରେ ରହିଛି । ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟର ଧାରା ୧୯ ଅନୁସାରେ ଜୱାଦଙ୍କୁ ଗିରଫ କରାଯାଇଛି । ନାକ୍‌ ଓ ୟୁଜିସିର ସ୍ୱୀକୃତି ପାଇବା ଲାଗି ଜାଲିଆତି କରିବା ଏବଂ ବ୍ୟାପକ ଆର୍ଥିକ ହେରଫେର କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଇଡି ଏଠାରେ ଚଢ଼ଉ କରି ଅନେକ ସମ୍ବେଦନଶୀଳ କାଗଜପତ୍ର ଓ ଅନ୍ୟାନ୍ୟ ଦସ୍ତାବିଜ୍‌ ଜବତ କରିଥିଲା । ୨୦୧୪ରୁ ସେ ଏହି ବିଶ୍ୱବିଦ୍ୟାଳୟର କୁଳପତି ରହିଛନ୍ତି । ସେହିଭଳି ୧୯୯୫ରୁ ଅଲ୍‌- ଫଲାହ ଚାରିଟେବୁଲ ଟ୍ରଷ୍ଟ ନାମରେ ଏକ ଅନୁଷ୍ଠାନର ଚାଲିଥିବା ବେଳେ ଜୱାଦ ଏହାର ଟ୍ରଷ୍ଟି ଅଛନ୍ତି । ସେ ଉଭୟ ଟ୍ରଷ୍ଟ ଓ ବିଶ୍ୱବିଦ୍ୟାଳୟର ସର୍ବେସର୍ବା ଅଛନ୍ତି । ପ୍ରାୟ ୭୨ ଏକର ଜମିରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।