ନୂଆଦିଲ୍ଲୀ, ୨୩।୩: ଦିଲ୍ଲୀ ବିଧାନସଭାରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ପ୍ରାୟ ୧,୦୩,୭୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍କୁ ସରକାର ଏକ 'ଗ୍ରୀନ୍ ବଜେଟ୍' ଭାବରେ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ପରିବେଶ ସୁରକ୍ଷାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି । ବଜେଟ୍ର ମୋଟ ଅଂଶର ୨୧% ଅର୍ଥ କେବଳ ପରିବେଶ ଏବଂ ଗ୍ରୀନ୍ ଇନିସିଏଟିଭ୍ ପାଇଁ ଖର୍ଚ୍ଚ ହେବ । ବଜେଟ୍ ଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ପ୍ରତ୍ୟେକ ଯୋଜନାକୁ 'ଗ୍ରୀନ୍ ଲେନ୍ସ' ମାଧ୍ୟମରେ ଦେଖିଛନ୍ତି, ଯାହାଫଳରେ ବିକାଶ ଏବଂ ପରିବେଶ ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଇପାରିବ ।
ଏହା ବି ପଢ଼ନ୍ତୁ... ଧର୍ମ ବଦଳିଲେ ଯିବ ସଂରକ୍ଷଣ ସୁବିଧା: ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଅଣ-ହିନ୍ଦୁ ଧର୍ମ ଗ୍ରହଣ କଲେ ମିଳିବନି SC ମାନ୍ୟତା
ଦିଲ୍ଲୀ ବଜେଟ୍ରେ ୧୦ଟି ବଡ଼ ଘୋଷଣା:
୧. ବିଶାଳ ବଜେଟ୍: ଆଗାମୀ ଆର୍ଥିକ ବର୍ଷ ପାଇଁ ୧.୦୩ ଲକ୍ଷ କୋଟିର ବଜେଟ୍ ଆଗତ । ଏଥିରେ ୯,୦୯୨ କୋଟି ଟଙ୍କାର ରାଜସ୍ୱ ବଳକା ରହିବା ନେଇ ଆଶା କରାଯାଉଛି ।
୨. ଗ୍ରୀନ୍ ପ୍ରକଳ୍ପ: ପରିବେଶ ସୁରକ୍ଷା ପାଇଁ ବଜେଟ୍ର ୨୧% ଅର୍ଥ ବ୍ୟୟବରାଦ କରାଯାଇଛି ।
୩. ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ: ଶିକ୍ଷା ପାଇଁ ସର୍ବାଧିକ ୧୯,୧୪୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଅଧୀନରେ ୯ମ ଶ୍ରେଣୀର ଛାତ୍ରୀଙ୍କୁ ସାଇକେଲ ଏବଂ ୧୦ମ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ କରାଯିବ ।
୪. ମହିଳା ଓ କନ୍ୟା ସନ୍ତାନଙ୍କ ପାଇଁ ଖୁସି ଖବର: 'ମହିଳା ସମୃଦ୍ଧି ଯୋଜନା' ଜରିଆରେ ମହିଳାଙ୍କୁ ମାସିକ ୨,୫୦୦ ଟଙ୍କା ମିଳିବ । ଏଥିପାଇଁ ୫,୧୧୦ କୋଟି ବ୍ୟୟ ହେବ । ଏହା ସହିତ କନ୍ୟା ସନ୍ତାନର ଜନ୍ମରୁ ଗ୍ରାଜୁଏସନ୍ ପର୍ଯ୍ୟନ୍ତ ଆର୍ଥିକ ସହାୟତା ପାଇଁ 'ଲଖପତି ବିଟିଆ ଯୋଜନା' ଘୋଷଣା କରାଯାଇଛି ।
୫. ନଗର ନିଗମକୁ ବଡ଼ ଅନୁଦାନ: ଦିଲ୍ଲୀ ମୁନିସିପାଲ୍ କର୍ପୋରେସନ୍କୁ ୧୧,୬୬୬ କୋଟି ଟଙ୍କା ଦେବାକୁ ଘୋଷଣା କରାଯାଇଛି, ଯାହା ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ରାଶି ।
୬. ସ୍ୱାସ୍ଥ୍ୟ ସେବାରେ ନୂତନତ୍ୱ: ନବଜାତ ଶିଶୁଙ୍କ ୫୬ ପ୍ରକାର ପରୀକ୍ଷା ପାଇଁ 'ଅନମୋଲ ଯୋଜନା' ଆରମ୍ଭ ହେବ । ଏହାସହ ଡିଜିଟାଲ୍ ବ୍ଲଡ୍ ବ୍ୟାଙ୍କ ଏବଂ ରିଅଲ୍-ଟାଇମ୍ ICU ବେଡ୍ ମନିଟରିଂ ବ୍ୟବସ୍ଥା କରାଯିବ ।
୭. ରାସ୍ତା ଓ ଇନଫ୍ରାଷ୍ଟ୍ରକଚର: PWD ପାଇଁ ୫,୯୨୧ କୋଟି ଏବଂ ୭୫୦ କିମି ରାସ୍ତାର କାର୍ପେଟିଂ ପାଇଁ ୧,୩୯୨ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।
୮. ସହରୀ ବିକାଶ: ଆବାସ ଓ ସହରୀ ବିକାଶ ପାଇଁ ୭,୮୮୭ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
୯. ପରିବହନ ଓ ଇଭି: ପରିବହନ ବିଭାଗ ପାଇଁ ୮,୩୭୪ କୋଟି ଏବଂ ନୂତନ ଇଲେକ୍ଟ୍ରିକ୍ ଭେହିକିଲ୍ ପଲିସି ପାଇଁ ୨୦୦ କୋଟି ଟଙ୍କାର ପ୍ରାବଧାନ ରହିଛି ।
୧୦. ସୁରକ୍ଷା ବ୍ୟବସ୍ଥା: ସହରର ସୁରକ୍ଷା ବୃଦ୍ଧି ପାଇଁ ଆହୁରି ୫୦,୦୦୦ ନୂଆ CCTV କ୍ୟାମେରା ଲଗାଯିବ ।