ନୂଆଦିଲ୍ଲୀ,୧୧/୧୦: ଅନେକ ପିଲାଙ୍କ ଜୀବନ ଜୀବନ ନେଇଥିବା କୋଲଡ୍ରିଫ୍ କଫ୍ ସିରପ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆଉ ଏହାରି ମଧ୍ୟରେ ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହି ଔଷଧର ବିକ୍ରୟକୁ ନିଷେଧ କରାଯାଇଛି। ଦିଲ୍ଲୀ ସରକାର ଏକ ଆଦେଶ ମାଧ୍ୟମରେ କୋଲଡ୍ରିଫ୍ ସିରପ୍ ବିକ୍ରୟ ଏବଂ ବଣ୍ଟନକୁ ନିଷେଧ କରିଛନ୍ତି। ପୂର୍ବରୁ, ପଶ୍ଚିମବଙ୍ଗ ସରକାର ଖୁଚୁରା ଏବଂ ପାଇକାରୀ ଔଷଧ ବ୍ୟବସାୟୀଙ୍କ ଦ୍ୱାରା କୋଲଡ୍ରିଫ୍ କଫ୍ ସିରପ୍ ବିକ୍ରୟ ଏବଂ କ୍ରୟକୁ ନିଷେଧ କରିଥିଲେ। ସେହିପରି ମଣିପୁର "ଅତ୍ୟଧିକ ବିଷାକ୍ତ" ରାସାୟନିକ ପଦାର୍ଥ ଥିବା ଦୁଇଟି କଫ୍ ସିରପ୍ ବ୍ରାଣ୍ଡକୁ ନିଷେଧ କରିଥିଲା।
ଦିଲ୍ଲୀ ସରକାରଙ୍କ ଡ୍ରଗ୍ସ ନିୟନ୍ତ୍ରଣ ବିଭାଗ ଏକ ସାର୍ବଜନୀନ ନୋଟିସରେ କୋଲଡ୍ରିଫ୍ କଫ୍ ସିରପ୍ କୁ "ମାନକ ଗୁଣବତ୍ତାର ନୁହେଁ" ବୋଲି ଘୋଷଣା କରିଛି। ଏହି ସିରପ୍ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଜଣାପଡିଛି କାରଣ ଏଥିରେ ୪୬.୨୮ % ଡାଇଥାଇଲିନ୍ ଗ୍ଲାଇକଲ୍ ରହିଛି, ଯାହା ଶରୀର ପାଇଁ ଅତ୍ୟନ୍ତ ବିଷାକ୍ତ। ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ଔଷଧ ବିକ୍ରେତା, ବିତରକ ଏବଂ ହୋଲସେଲରଙ୍କୁ ଏହି କଫ୍ ସିରପ୍ ର କ୍ରୟ, ବିକ୍ରୟ ଏବଂ ବଣ୍ଟନ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନସାଧାରଣଙ୍କୁ ଏହାକୁ ବ୍ୟବହାର ନକରିବାକୁ ମଧ୍ୟ ଅନୁରୋଧ କରାଯାଇଛି। ତେବେ ମଧ୍ୟପ୍ରଦେଶରେ ୨୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ପାଇଁ ଦାୟୀ କମ୍ପାନୀ ଶ୍ରୀସେନ ଫାର୍ମାର ମାଲିକ ରଙ୍ଗନାଥନ ଗୋବିନ୍ଦନଙ୍କୁ ଶୁକ୍ରବାର ଛିନ୍ଦୱାଡ଼ାର ଏକ କୋର୍ଟ ୧୦ ଦିନର ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି। ସ୍ୱତନ୍ତ୍ର ତଦନ୍ତ ଦଳ ର ମୁଖ୍ୟ ଜିତେନ୍ଦ୍ର ଜାଟ କହିଛନ୍ତି ଯେ, ରଙ୍ଗନାଥନଙ୍କୁ ଦୁଇ ଦିନ ପୂର୍ବରୁ ଗୁରୁବାର ତାମିଲନାଡୁରୁ ହେପାଜତକୁ ନିଆଯାଇଥିଲା। ଚେନ୍ନାଇ କୋର୍ଟରୁ ଟ୍ରାଞ୍ଜିଟ୍ ରିମାଣ୍ଡ ପାଇବା ପରେ ତାଙ୍କୁ ପରସିଆ ନଗରର ଅତିରିକ୍ତ ସେସନ୍ସ ଜଜ୍ ଗୌତମ ଗୁର୍ଜରଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ଏନେଇ ଛିନ୍ଦୱାଡ଼ାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଧୀରେନ୍ଦ୍ର ସିଂହ ନେତ୍ରୀ କହିଛନ୍ତି ଯେ, ଦୂଷିତ କୋଲଡ୍ରିଫ୍ ସିରପ୍ ଯୋଗୁଁ ଏପର୍ଯ୍ୟନ୍ତ ୨୨ ଜଣ ପିଲାଙ୍କ ମୃତ୍ୟୁ ହୋଇଛି। ରାଜ୍ୟର କିଛି ପିଲା ନାଗପୁରରେ ଚିକିତ୍ସାଧୀନ ଅଛନ୍ତି। ସେ କହିଛନ୍ତି ଯେ ଯେଉଁ କାରଖାନାରେ କଫ୍ ସିରପ୍ ତିଆରି ହେଉଥିଲା ତାହାକୁ ସିଲ୍ କରାଯାଇଛି।