ନୂଆଦିଲ୍ଲୀ,୦୩/୧୨; ଦିଲ୍ଲୀ ଏମସିଡି ଉପନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ବିଜେପି ୭ଟି ଆସନ ଜିତିଛି ଏବଂ ୨ରେ ହାରିଛି । ଆମ ଆଦମୀ ପାର୍ଟି ଖାତାକୁ ୩ଟି ଆସନ ଯାଇଛି । ଏହି ଫଳାଫଳ କଂଗ୍ରେସ ପାଇଁ ମଧ୍ୟ ଭଲ ଖବର ଆଣିଛି । କଂଗ୍ରେସ ପ୍ରାର୍ଥୀ ସଙ୍ଗମ ବିହାର ୱାର୍ଡରେ ବିଜୟୀ ହୋଇଥିବା ବେଳେ ଏଆଇଏଫବି ମଧ୍ୟ ଗୋଟିଏ ଆସନ ଜିତିଛି । ୧୨ଟି ଏମସିଡି ୱାର୍ଡ ପାଇଁ ନଭେମ୍ବର ୩୦ ତାରିଖରେ ଭୋଟ୍ ହୋଇଥିଲା ।

ଏମସିଡିରେ ୭ଟି ୱାର୍ଡ ଜିତିବା ପରେ, ବିଜେପି ସିଟ୍ ୧୨୦ ଅତିକ୍ରମ କରିଛି । ପୂର୍ବରୁ ବିଜେପିର ୧୧୫ କାଉନସିଲର ଥିଲେ । ଆପ୍‌ର ୯୯, ଇନ୍ଦ୍ରପ୍ରସ୍ଥ ବିକାଶ ପାର୍ଟିର ୧୫ ଏବଂ କଂଗ୍ରେସ ୮ଟି ଥିଲା । ଏହି ଉପନିର୍ବାଚନରେ  ୭ଟି ଆସନ ଜିତିବା ପରେ, ବିଜେପିର କାଉନସିଲର ସଂଖ୍ୟା ୧୨୨ରେ ପହଞ୍ଚିଛି । ଆପ୍‌ କାଉନସିଲର ସଂଖ୍ୟା ୧୦୨କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ, କଂଗ୍ରେସ କାଉନସିଲରଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଯେଉଁ ୧୨ ଆସନରେ ଉପନିର୍ବାଚନ ହୋଇଥିଲା ସେଥିରୁ ୯ଟି ଆସନ ବିଜେପିର ଥିଲା । ତେଣୁ ନିର୍ବାଚନ ପରିଣାମ ଦଳକୁ ଝଟକା ଦେଇଛି । ବିଜେପି ୨ଟି ଆସନ ହରାଇଛି । ୩ଟି ଆସନ ଜିତି ଆପ୍ ତାର ଗଡ଼ ରକ୍ଷା କରିଛି ।

​​​​​​​ଦିଲ୍ଲୀରେ ୨୭ ବର୍ଷ ପରେ ବିଜେପି କ୍ଷମତା ହାସଲ କରିଥିଲା । ରେଖା ଗୁପ୍ତାଙ୍କର ଏହି ପ୍ରଥମ ପରୀକ୍ଷା ଥିଲା ।  ନିର୍ବାଚନ ପରିଣାମ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ୍ସରେ କହିଛନ୍ତି, ଦିଲ୍ଲୀ ନଗର ନିଗର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିକକୁ ଆର୍ଶୀବାଦ ଦେଇ ଦିଲ୍ଲୀ ନାଗରିକଙ୍କୁ ଧନ୍ୟବାଦ । ଏହି ବିଜୟ ଆମର କର୍ମଠ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ, ସମର୍ପଣ ତଥା ସଂଗଠନର ସାମୂହିକ ଶକ୍ତିର ପ୍ରମାଣ ।

ରାଜ୍ୟ ନିର୍ବାଚନ କମିଶନ ଭୋଟ ଗଣତି ପାଇଁ ୧୦ଟି କେନ୍ଦ୍ର ସ୍ଥାପନ କରିଥିଲେ । ଏମସିଡି ନିର୍ବାଚନରେ ଭୋଟରଙ୍କ ହାର ପ୍ରାୟ ୪୦ ପ୍ରତିଶତ ଥିଲା, ଯାହା ୨୦୨୨ ନିର୍ବାଚନରେ ୫୦.୪୭ ପ୍ରତିଶତ ଥିଲା । ୨୦୨୫ ଉପନିର୍ବାଚନରେ, ୨୬ ଜଣ ମହିଳା ସମେତ ୫୧ ଜଣ ପ୍ରାର୍ଥୀ ନିର୍ବାଚନ ମୌଦାନରେ ଥିଲେ । ବିଜେପି ୮ ଜଣ ମହିଳା ପ୍ରାର୍ଥୀଙ୍କୁ ଛିଡ଼ା କରିଥିଲାବେଳେ ଆମ ଆଦମୀ ପାର୍ଟି ୬ ଜଣ ଏବଂ କଂଗ୍ରେସ ୫ ଜଣଙ୍କୁ ମୈଦାନକୁ ଓହ୍ଲାଇଥିଲା ।