​​​​​​​ରାଜସ୍ଥାନ, ୩୦।୪: ରାଜସ୍ଥାନର ଅଲୱର ଜିଲ୍ଲା ଅନ୍ତର୍ଗତ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଗୁରୁବାର ବିଳମ୍ବିତ ରାତିରେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି । ଚଳନ୍ତା କାର୍‌ରେ ନିଆଁ ଲାଗିଯିବା ଫଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଜୀବନ୍ତ ଜଳିଯାଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ଜଣେ ପୁରୁଷ ଓ ଜଣେ ଶିଶୁ କନ୍ୟା ଅଛନ୍ତି । ଏହି ପରିବାରଟି ଜମ୍ମୁରୁ ବୈଷ୍ଣୋ ଦେବୀ ଦର୍ଶନ ସାରି ନିଜ ଘର ମଧ୍ୟପ୍ରଦେଶକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ଶ୍ୟୋପୁର ଜିଲ୍ଲା ଚୈନପୁରା ଗାଁର ଏହି ପରିବାର ଏକ ଭଡ଼ା ଟ୍ୟାକ୍ସି ଯୋଗେ ବୈଷ୍ଣୋ ଦେବୀ ଯାଇଥିଲେ । ଫେରିବା ବାଟରେ ରାତି ପ୍ରାୟ ୧୧ଟା ସମୟରେ ଅଲୱରର ଲକ୍ଷ୍ମଣଗଡ଼ ଥାନା ଅନ୍ତର୍ଗତ ମୌଜପୁର ନିକଟରେ କାର୍‌ଟିରେ ନିଆଁ ଲାଗିଥିଲା । କାର୍‌ଟି ସିଏନଜି ଏବଂ ପେଟ୍ରୋଲ୍ ଉଭୟରେ ଚାଲୁଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗ୍ୟାସ୍ ଲିକ୍ ହେବା ଯୋଗୁଁ କାର୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଶୀଘ୍ର ବ୍ୟାପିଥିଲା ଯେ କାହାକୁ ବାହାରିବାକୁ ସୁଯୋଗ ମିଳିନଥିଲା ।

କାର୍‌ରେ ନିଦରେ ଶୋଇଥିଲେ ପରିବାର ଲୋକେ:

ଦୁର୍ଘଟଣା ସମୟରେ ପରିବାରର ଅଧିକାଂଶ ସଦସ୍ୟ ଶୋଇପଡ଼ିଥିଲେ । ଡ୍ରାଇଭର ବିନୋଦ କୁମାର ଗାଡ଼ି ଚଳାଉଥିଲେ । ନିଆଁ ଲାଗିବା ମାତ୍ରେ ଡ୍ରାଇଭର ଜଣକ ଗାଡ଼ିରୁ ବାହାରକୁ ଡେଇଁ ପଡ଼ିଥିଲେ, ଯାହା ଫଳରେ ତାଙ୍କ ଜୀବନ ବଞ୍ଚିଯାଇଛି । କିନ୍ତୁ, ହଠାତ୍ ନିଆଁ ଲାଗିବାରୁ ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ି ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଓ ପରେ ଜୟପୁରର ଏସଏମଏସ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

​​​​​​​

ପାଉଁଶ ହୋଇଗଲେ ପରିବାରର ୫ ସଦସ୍ୟ, ଚିହ୍ନଟ ପାଇଁ ହେବ ଡିଏନଏ ଟେଷ୍ଟ:

ଅଗ୍ନିକାଣ୍ଡର ଭୟାବହତା ଏତେ ଅଧିକ ଥିଲା ଯେ ଗାଡ଼ି ଭିତରେ ଥିବା ଲୋକଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ପାଉଁଶ ହୋଇଯାଇଛି । ପୁଲିସର କହିବା ଅନୁଯାୟୀ, ମୃତଦେହଗୁଡ଼ିକ ଏମିତି ନିଆଁରେ ଜଳିଛି ଯେ କଙ୍କାଳ ବି ନାହିଁ । ହାଡ଼ ପର୍ଯ୍ୟନ୍ତ ତରଳି ଯାଇଥିବାରୁ ମୃତକଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଛି । ସେଥିପାଇଁ ଫରେନସିକ୍ (FSL) ଟିମ୍ ଏବଂ ମେଡିକାଲ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି । ଡିଏନଏ ପରୀକ୍ଷା ମାଧ୍ୟମରେ ହିଁ ସେମାନଙ୍କର ପରିଚୟ ସ୍ପଷ୍ଟ କରାଯିବ । "ସିଏନଜି ଗ୍ୟାସ୍‌ର ତାପମାତ୍ରା ଏତେ ଅଧିକ ଯେ ଏହା ହାଡ଼ ମାଂସର ବି ଚିହ୍ନବର୍ଣ୍ଣ ମିଳୁନି । ଆମେ କେବଳ କିଛି ଅବଶେଷ ପାଇଛୁ । ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି ।" ବୋଲି ଲକ୍ଷ୍ମଣଗଡ଼ ଥାନା ଅଧିକାରୀ ନେକି ରାମ କହିଛନ୍ତି । ଘଟଣାସ୍ଥଳରେ ଅଲୱର ଏସପି ସୁଧୀର ଚୌଧୁରୀ ଏବଂ ଡିଏସପି କୈଳାଶ ଜିନ୍ଦଲ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦୁଇଟି ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିଥିଲେ ହେଁ, ସେତେବେଳକୁ ସବୁକିଛି ଶେଷ ହୋଇଯାଇଥିଲା । ଏହି ଘଟଣା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଟ୍ରାଫିକ୍ ନିୟମ ଏବଂ ଗାଡ଼ିରେ ଗ୍ୟାସ୍ କିଟ୍‌ର ଯାଞ୍ଚକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 ​​​​​​ଆହୁରି ପଢ଼ନ୍ତୁ... ଇଥାନଲ୍ ବିପ୍ଳବ ଆଣିବ ଉତ୍କଟ ଜଳ ସଙ୍କଟ, ୧ ଲିଟର ଇଥାନଲ୍ ପାଇଁ ଖର୍ଚ୍ଚ ୧୦ ହଜାର ଲିଟର ପାଣି