ନୂପୁର ଶର୍ମାଙ୍କୁ ପଚରାପଚରି ପାଇଁ ଆଉ ଥରେ ନୋଟିସ୍ ପଠାଇ ପାରେ ଦିଲ୍ଲୀ ପୁଲିସ୍ , ୧୮ ଜୁନ୍ରେ ରେକର୍ଡ କରିଥିଲେ ବୟାନ

ନୂଆଦିଲ୍ଲୀ : ପ୍ରୋଫେଟ୍ ମହମ୍ମଦଙ୍କ ବିରୋଧରେ ବିବାଦିତ ଟିପ୍ପଣୀ କରିବା ମାମଲାରେ ଭାରତୀୟ ଜନତା ପାର୍ଟି (ବିଜେପି)ର ନିଲମ୍ୱିତ ନେତା ନୂପୂର ଶର୍ମାଙ୍କର ମୁସ୍କିଲ ବଢ଼ିବାର ଦେଖିବାକୁ ମିଳୁଛି। ଦିଲ୍ଲୀ ପୁଲିସ ଖୁବ୍ ଶୀଘ୍ର ନୂପୁରଙ୍କୁ ପଚରାପଚରି ପାଇଁ ଦ୍ୱିତୀୟ ଥର ନୋଟିସ୍ ପଠାଇପାରେ। ନୂପୁର ଶର୍ମାଙ୍କ ବିରୋଧରେ ଏଫ୍ଆଇଆର ରୁଜୁ ହେବା ପରେ ଦିଲ୍ଲୀ ପୁଲିସ୍ ନୂପୁର ଶର୍ମାଙ୍କୁ ୪୧ଏ ଅନୁସାରେ ତଦନ୍ତରେ ସାମିଲ ହେବାର ନୋଟିସ୍ ପଠାଇ ଥିଲା। ଏହାପରେ ପୁଲିସ ୧୮ଜୁନ୍ ୨୦୨୨ରେ ନୂପୁର ଶର୍ମାଙ୍କ ବୟାନ ବି ରୁଜୁ କରିଥିଲା।
ସୁପ୍ରିମ୍କୋର୍ଟ ନୂପୁର ଶର୍ମାଙ୍କୁ ପ୍ରୋଫେଟ୍ ମହମ୍ମଦଙ୍କ ଉପରେ ବିବାଦିତ ଟିପ୍ପଣୀ ମାମଲାରେ ଶୁକ୍ରବାର କଡ଼ା ତାଗିଦ୍ କରିଥିଲେ ଏବଂ କହିଥିଲେ ଏଥିପାଇଁ ତାଙ୍କୁ ଦେଶକୁ କ୍ଷମା ମାଗିବା ଉଚିତ୍। ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜେ.ବି.ପାର୍ଦିୱାଲାଙ୍କ ଅବକାଶକାଳୀନ ପୀଠ ଏହି କଡ଼ା ଟିପ୍ପଣୀ ସହ ନୂପୁର ଶର୍ମାଙ୍କର ଏହି ପିଟିସନକୁ ମଧ୍ୟ ଖାରଜ କରି ଦେଇଛନ୍ତି , ଯେଉଁଥିରେ ସେ ସାରା ଦେଶରେ ନିଜ ବିପକ୍ଷରେ ରୁଜୁ ମୋକଦମାକୁ ଦିଲ୍ଲୀ ଟ୍ରାନ୍ସଫର କରିବାକୁ ଅନୁରୋଧ କରିଥିଲେ।
ବିଚାରପତି ସୂର୍ଯ୍ୟକାନ୍ତଙ୍କର ଅଧ୍ୟକ୍ଷତାରେ ଏହି ବେଞ୍ଚ କହିଛନ୍ତି କି , ଏକ ଟିଭି କାର୍ଯ୍ୟକ୍ରମ ବେଳେ ପ୍ରୋଫେଟ ମହମ୍ମଦଙ୍କ ଉପରେ କରାଯାଇ ଥିବା ବିବାଦିତ ଟିପ୍ପଣୀରେ ଅନେକ ରାଜ୍ୟରେ ହୋଇଥିବା ଦଙ୍ଗା ଓ ହିଂସାତ୍ମକ ଘଟଣା ଗୁଡ଼ିକ ପାଇଁ ନୂପୁର ଶର୍ମାଙ୍କୁ ଦେଶକୁ କ୍ଷମା ମାଗିବା ଉଚିତ୍ ।