ନୂଆଦିଲ୍ଲୀ –ଭାରତ ମଣ୍ଡପମରେ ହୋଇଥିବା ବିରୋଧ ପ୍ରଦର୍ଶନ ମାମଲାରେ ଦିଲ୍ଲୀ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ଏଫଆଇଆର ରୁଜୁ କରିଛି। ପୁଲିସ ଅନୁସାରେ , ଇଣ୍ଡିଆନ ୟୁଥ୍ କଂଗ୍ରେସର ବିରୋଧ ପ୍ରଦର୍ଶନ ବେଳେ ସାର୍ବଜନିକ ସେବକଙ୍କୁ ଆହତ କରିବା ଏବଂ ଆକ୍ରମଣ କରିବା , ସରକାରୀ କର୍ମଚାରୀଙ୍କ ଆଦେଶକୁ ଅବମାନନା କରିବା , ବେଆଇନ ଭାବେ ସମାବେଶ କରିବା ଏବଂ ପ୍ରତିବାଦ ସମୟରେ ନିଷିଦ୍ଧ ଆଦେଶ ଉଲ୍ଲଙ୍ଘନ କରିବାର ଅଭିଯୋଗ ଆସିଛି। ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୬୧ (୨) ଅନୁସାରେ , ଏକ ମାମଲା ରୁଜୁ କରାଯାଇଛି। ପୁଲିସ କହିଛି, ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଆବଶ୍ୟକୀୟ ଆଇନଗତ ପଦକ୍ଷେପ ନିଆଯାଇଛି। ଉକ୍ତ ମାମଲାରେ ପରବର୍ତ୍ତୀ ଯାଞ୍ଚ ଜାରି ରହିଛି।
ଦିଲ୍ଲୀ ପୁଲିସ ଶୁକ୍ରବାର ଏଆଇ ଇମ୍ପାକ୍ଟ ସମିଟ୍ ସ୍ଥଳରେ ହୋଇଥିବା ବିରୋଧ ପ୍ରଦର୍ଶନ ମାମଲାରେ ଯୁବ କଂଗ୍ରେସର ୪ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଛି। ଏହି ମାମଲାରେ ବ୍ୟାପକ ଷଡ଼ଯନ୍ତ୍ରର ଦିଗର ଯାଞ୍ଚ କରୁଛି। ଜଣେ ଅଧିକାରୀ କହିଛନ୍ତି ଯେ, ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ବିହାରରୁ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଚିବ କୃଷ୍ଣା ହରି , ବିହାରର ରାଜ୍ୟ ସଚିବ କୁନ୍ଦନ ଯାଦବ , ଉତ୍ତର ପ୍ରଦେଶର ରାଜ୍ୟ ଅଧ୍ୟକ୍ଷ ଅଜୟ କୁମାର ଓ ତେଲେଙ୍ଗାନାରୁ ନରସିମହା ଯାଦବ। ଦିଲ୍ଲୀ ପୁଲିସ ଭାରତୀୟ ଯୁବ କଂଗ୍ରେସର ଅଧ୍ୟକ୍ଷ ଉଦୟ ଭାନୁ ଚିବଙ୍କୁ ମଧ୍ୟ ପଚରାପଚରି କରୁଛି। ଏହି ପଚରାପଚରି ସଂସଦ ମାର୍ଗ ଥାନାରେ ହେଉଛି।
ଫେବୃଆରୀ ୨୦ (ଶୁକ୍ରବାର) ଦିନ ପ୍ରାୟ ୧୨ଟା ୩୦ ସମୟରେ ଭାରତ ମଣ୍ଡପମର ପ୍ରଦର୍ଶନୀ ହଲରେ ଏହି ଘଟଣା ଘଟିଥିଲା । ଯୁବ କଂଗ୍ରେସର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ବିରୋଧରେ ପ୍ରତିବାଦ କରିଥିଲେ । କଂଗ୍ରେସ ନେତାମାନେ ‘ପ୍ରଧାନମନ୍ତ୍ରୀଙ୍କ ସହ ବୁଝାମଣା ହୋଇଛି’, ‘ଏପଷ୍ଟିନ୍ ଫାଇଲ୍ସ,’ ଏବଂ ‘ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି’ ଭଳି ସ୍ଲୋଗାନ ଲେଖାଥିବା ଟି-ସାର୍ଟ ପିନ୍ଧିଥିଲେ। ସେମାନେ ସେମାନଙ୍କର ସାର୍ଟ ଓହ୍ଲାଇ ପ୍ରତିବାଦ କରିଥିଲେ । ସ୍ଲୋଗାନ ଦେଇଥିଲେ ଏବଂ ହଙ୍ଗାମା କରିଥିଲେ । ଫଳରେ ଉପସ୍ଥିତ ଅନ୍ତର୍ଜାତୀୟ ପ୍ରତିନିଧି ଏବଂ ଅତିଥିମାନଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।