ନୂଆଦିଲ୍ଲୀ,୧୪/୧୨ : ପୁଣି ଥରେ ଜାତୀୟ ରାଜଧାନୀ ଦିଲ୍ଲୀକୁ  ବୋମା ଧମକ ।  ଦିଲ୍ଲୀରେ ତୃତୀୟ ଥର ପାଇଁ ସ୍କୁଲକୁ ବୋମା ଧମକ ମିଳିଛି  ।ଆଜି ସକାଳ ପ୍ରାୟ ୬ ଟାରେ ଇମେଲ ମାଧ୍ୟମରେ ଆସିଛି ଏହି ଧମକପୂର୍ଣ୍ଣ ମେସେଜ । ଯାହାକୁ ନେଇ ସ୍କୁଲ ଛୁଟି ଘୋଷଣା ହେବା ସହ  ଦିଲ୍ଲୀ ପୋଲିସକୁ ସୂଚନା ଦେଇଛନ୍ତି ସ୍କୁଲ କର୍ତ୍ତୁପକ୍ଷ । 

ତେବେ ଇମେଲ ମାଧ୍ୟମରେ ଏହି ଧମକପୂର୍ଣ୍ଣ ମେସେଜ ଆସିଥିବା ବେଳେ ପୋଲିସ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି । ସ୍କୁଲ ପରିସରରେ ପୋଲିସ ଓ ଦଳକଳବାହିନୀ ପହଞ୍ଚି ଯାଞ୍ଚ ଜାରି ରଖିଥିବା ବେଳେ ଏବେ ସୁଦ୍ଧା ଯାଞ୍ଚରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ଠାବ ହୋଇନଥିବା ସୂଚନା ରହିଛି ।ତଥାପି ଦିଲ୍ଲୀ ପୋଲିସ ଏବଂ ସ୍କୁଲ ପ୍ରଶାସନ ମଧ୍ୟରେ  ଖେଳିଯାଇଛି ଆତଙ୍କ। ତେବେ ଗତ କିଛି ମାସ ଧରି କ୍ରମାଗତ ଭାବେ ଧମକ ଆସୁଥିବାରୁ ଦିଲ୍ଲୀ ପୋଲିସ ସଜାଗ ରହିଛି। ପ୍ରକାଶ ଥାଉକି, ଡିସେମ୍ବର ୧୩ ଅର୍ଥାତ ଗତକାଲି ମଧ୍ୟ ରାଜଧାନୀର ପ୍ରାୟ ୩୦ଟି ଘରୋଇ ବିଦ୍ୟାଳୟରେ ବୋମା ଧମକ ମିଳିଥିଲା। ପ୍ରତ୍ୟେକ ଥର ପରି, ଏକ ଇମେଲ ପଠାଇ ଧମକ ଦିଆଯାଇଥିଲା । ଇମେଲରେ ଲେଖାଥିଲା ଯେ,  ଆଜି ଏବଂ ଆସନ୍ତାକାଲି ଯେଉଁ ବିଦ୍ୟାଳୟରେ ପିତାମାତାଙ୍କ ବୈଠକ ହେବାକୁ ଯାଉଛି ସେହି ସ୍କୁଲରେ ବୋମା ବିସ୍ଫୋରଣ ହେବ। ଯଦି ଆପଣ ଲୋକଙ୍କୁ ମୃତ୍ୟୁରୁ ରକ୍ଷା କରିପାରିବେ ତେବେ ସେମାନଙ୍କୁ ବଞ୍ଚାନ୍ତୁ ।ଯେଉଁ ବିଦ୍ୟାଳୟରେ ସମାବେଶ ହେବ ସେଠାରେ ବୋମା ବିସ୍ଫୋରଣ ହେବ । ଅନୁସନ୍ଧାନରୁ ଜଣାପଡିଛି ଯେ ଇମେଲଗୁଡିକ ବିଦେଶୀ ID ରୁ ପଠାଯାଇଛି। କିନ୍ତୁ ସେମାନଙ୍କୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି।