ନୂଆଦିଲ୍ଲୀ, ୮।୧: ରାଜଧାନୀ ଦିଲ୍ଲୀର ତୁର୍କମାନ ଗେଟ୍ ଅଞ୍ଚଳରେ ଦଙ୍ଗା । ଫୈଜ-ଏ-ଇଲାହି ମସଜିଦ ନିକଟରେ ଜବରଦଖଲ ବିରୋଧୀ ଅଭିଯାନ ହିଂସାତ୍ମକ ପାଲଟିଥିଲା । ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଦିଲ୍ଲୀ ମୁନିସିପାଲ କର୍ପୋରେସନ (MCD) ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ସ୍ଥାନୀୟ ବାସିନ୍ଦା ଏହି ଅଭିଯାନକୁ ବିରୋଧ କରିଥିଲେ, ଫଳରେ ଅଣାୟତ୍ତ ପରିସ୍ଥିତି ଉପୁଜିଥିଲା । ଆନ୍ଦୋଳନକାରୀ ପୁଲିସ ଏବଂ ଏମ୍ ସିଡି ଦଳ ଉପରେ ପଥର ମାଡ଼ କରିଥିଲେ । ଏହି ହିଂସାତ୍ମକ ଘଟଣା ପରେ, ଆଖପାଖ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ବେଳେ ପଥର ଫିଙ୍ଗା ଘଟଣାରେ ୫ ପୁଲିସ ଆହତ ହୋଇଛନ୍ତି ।
ଘଟଣାକୁ ଗମ୍ଭୀରତାର ସହ ନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ଦୁର୍ବୃତ୍ତମାନଙ୍କ ସନ୍ଧାନ ଜାରି ରହିଛି । ପ୍ରାଥମିକ ତଦନ୍ତ ଏବଂ ସିସିଟିଭି ଫୁଟେଜ୍ ଆଧାରରେ, ଅନେକ ଦୁର୍ବୃତ୍ତଙ୍କୁ ଅଟକ ରଖାଯାଇଛି ଏବଂ ସେମାନଙ୍କୁ ପଚରାଉଚରା କରାଯାଉଛି । ପୁଲିସ କହିଛି ଯେ, ଏହି ଘଟଣାରେ ସମ୍ପୃକ୍ତ ଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । କୋର୍ଟଙ୍କ ନିର୍ଦ୍ଦେଶରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ କରାଯାଉଥିଲା, କିନ୍ତୁ କିଛି ଲୋକ ଏହାକୁ ହିଂସାତ୍ମକ କରି ଆଇନ ଶୃଙ୍ଖଳାକୁ ଚ୍ୟାଲେଞ୍ଜ କରିଥିଲେ । ଦିଲ୍ଲୀ ପୁଲିସ ପ୍ରାୟ ୧୦ ଜଣଙ୍କୁ ଅଟକ ରଖିଛି । ପଥର ମାଡ଼ କରିଥିବା ଲୋକମାନଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍ରେ ସନ୍ଧାନ କରାଯାଉଛି । ବର୍ତ୍ତମାନ ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
କହିରଖୁଛୁ ଯେ, ଜାନୁଆରୀ ୬ତାରିଖ ରାତି ପ୍ରାୟ ୧ଟା ସମୟରେ ଦିଲ୍ଲୀର ରାମଲୀଳା ମଇଦାନ ନିକଟରେ ଥିବା ଏକ ମସଜିଦ୍ ଏବଂ କବରସ୍ଥାନ ସଂଲଗ୍ନ ଜମିରୁ ଜବରଦଖଲ ହଟାଯାଇଥିଲା । ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ, ଏମ୍ସିଡି ୧୭ଟି ବୁଲଡୋଜର ବ୍ୟବହାର କରି ଏଠାରେ ଥିବା ବିବାହ ହଲ୍, ଡାଇଗ୍ନୋଷ୍ଟିକ୍ ସେଣ୍ଟର ଏବଂ ଦୋକାନ ଭାଙ୍ଗି ଦେଇଥିଲା । ଭଙ୍ଗା କାର୍ଯ୍ୟ ଆରମ୍ଭ କରିବା ମାତ୍ରେ କିଛି ଉତ୍ତ୍ୟକ୍ତ ଲୋକେ ସ୍ଲୋଗାନ୍ ଦେବା ଆରମ୍ଭ କରିଥିଲେ । ପୁଲିସ ଲୋକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ଏହା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା ।