ନୂଆଦିଲ୍ଲୀ, ୩୦।୬: ଘର ଭଡ଼ା ଦେବା ପୂର୍ବରୁ ସାବଧାନ ! ଆପଣଙ୍କର ଗୋଟିଏ ସାଧାରଣ ଭୁଲ୍ ଆପଣଙ୍କୁ କାଙ୍ଗାଳ କରିଦେଇପାରେ । ପୂର୍ବ ଦିଲ୍ଲୀର ବିବେକ ବିହାର ଅଞ୍ଚଳରୁ ଏଭଳି ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଜଣେ ୫୫ ବର୍ଷୀୟା ମହିଳା ନିଜର ଦୁଇଟି ଫ୍ଲାଟ୍ ଭଡ଼ା ଦେଇଥିଲେ, ହେଲେ ଚତୁର ଭଡ଼ାଟିଆ ସେହି ମହିଳାଙ୍କ ଜାଲ୍ ଦସ୍ତାବିଜ୍ ପ୍ରସ୍ତୁତ କରି ତାଙ୍କ ନାମରେ ପ୍ରାୟ ୧୮ କୋଟି ଟଙ୍କାର ମୋଟା ଅଙ୍କର ଋଣ ନେଇ ଚମ୍ପଟ ମାରିଛନ୍ତି । ମିଳିଥିବା ସୂଚନା ମୁତାବକ, ବିବେକ ବିହାରର ଉଷା ରାନୀ ସେଠୀ ନାମକ ଜଣେ ମହିଳା ୨୦୧୨ ମସିହାରେ ନିଜର ଦୁଇଟି ଫ୍ଲାଟ୍ ସଚିନ ଏବଂ ସଞ୍ଜୟ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଭଡ଼ାରେ ଦେଇଥିଲେ । ସଚିନ ନିଜକୁ ଏକ ବଡ଼ କମ୍ପାନୀର ମାଲିକ କହି ଫ୍ଲାଟ୍ ନେଇଥିଲା । କିଛି ମାସ ରହିବା ପରେ ଦୁହେଁ ହଠାତ୍ ଘର ଛାଡ଼ି ଚାଲିଯାଇଥିଲେ ।

ସୁପ୍ରିମକୋର୍ଟଙ୍କ ଓକିଲ ପହଞ୍ଚିବା ପରେ ଖୋଲିଲା ପୋଲ୍:

୨୦୧୩ ମସିହାରେ ହଠାତ୍ ସୁପ୍ରିମକୋର୍ଟର ଦୁଇ ଜଣ ଓକିଲ ଉଷା ରାନୀଙ୍କ ଘରେ ପହଞ୍ଚିଥିଲେ । ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କରୁ ୭୦ ଲକ୍ଷ ଟଙ୍କାର ଋଣ ନେଇ ନଶୁଝିବା ଅଭିଯୋଗରେ ସେମାନେ ନୋଟିସ୍ ଦେଇଥିଲେ । ଏହା ଶୁଣି ଉଷା ରାନୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ତୁରନ୍ତ ପୁଲିସର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଯେତେବେଳେ ଏହି ମାମଲାର ତଦନ୍ତ ଆରମ୍ଭ କଲା, ସେତେବେଳେ ସମସ୍ତଙ୍କ ପାଦତଳୁ ମାଟି ଖସିଯାଇଥିଲା । ତଦନ୍ତରୁ ଜଣାପଡ଼ିଥିଲା ଯେ ମହିଳାଙ୍କ ନାଁରେ କେବଳ ୭୦ ଲକ୍ଷ ନୁହେଁ, ବରଂ ଅଲଗା ଅଲଗା ବ୍ୟାଙ୍କରୁ ମୋଟ ୧୮ କୋଟି ଟଙ୍କାର ଋଣ ନିଆଯାଇଛି । ଋଣର ଏହି ବିପୁଳ ଅର୍ଥକୁ ୧୧ଟି ଜାଲ୍ କମ୍ପାନୀ ଜରିଆରେ ଏପଟ ସେପଟ କରାଯାଇଥିଲା । ଅଭିଯୁକ୍ତମାନେ ଉଷା ରାନୀଙ୍କ ସମ୍ପତ୍ତିର ନକଲି କାଗଜପତ୍ର ପ୍ରସ୍ତୁତ କରିବା ସହ ତାଙ୍କ ସ୍ୱାମୀଙ୍କ ପାନ୍ କାର୍ଡ ବ୍ୟବହାର କରି ଜାଲ୍ ଦସ୍ତଖତ କରିଥିଲେ । ସବ୍-ରେଜିଷ୍ଟ୍ରାର୍ ଅଫିସକୁ ଠକିବା ପାଇଁ ଅଭିଯୁକ୍ତମାନେ ଉଷା ରାନୀଙ୍କ ବଦଳରେ ଅନ୍ୟ ଜଣେ ମହିଳାଙ୍କୁ ନକଲି ଉଷା ରାନୀ ସଜାଇ ସେଠାକୁ ପଠାଇଥିଲେ ।

ଏହା ବି ପଢ଼ନ୍ତୁ... Asaram case: ‘ଆମେ ଏବେ ଜାମିନ୍ ଦେଇପାରିବୁନି’,ଆଶାରାମଙ୍କୁ ସୁପ୍ରିମକୋର୍ଟରୁ ଝଟକା

CBI ଏବଂ ACB ର ଏଣ୍ଟ୍ରି:

ଏହି ମାମଲାର ଗମ୍ଭୀରତାକୁ ଦେଖି ଦିଲ୍ଲୀ ପୁଲିସ ସହ ସିବିଆଇ ଏବଂ ଏସିବି ମଧ୍ୟ ତଦନ୍ତରେ ସାମିଲ ହୋଇଥିଲେ । ଶେଷରେ ୨୦୧୭ ମସିହାରେ ପୁଲିସ ଏହି ମାମଲାର ମୁଖ୍ୟ ସୂତ୍ରଧର ଉପେନ୍ଦ୍ର ଦୀକ୍ଷିତକୁ ଗିରଫ କରିବାରେ ସଫଳ ହୋଇଥିଲା, ଯିଏକି ପୂର୍ବରୁ ମଧ୍ୟ ଅନେକ ଦୁର୍ନୀତି ଏବଂ ଠକେଇ ମାମଲାରେ ସାମିଲ ଥିଲା ।

ଆପଣ ବି ଏଭଳି ଭୁଲ୍ କରୁନାହାନ୍ତି ତ ?

ଯଦି ଆପଣ ମଧ୍ୟ ନିଜ ଘର ଭଡ଼ା ଦେଉଛନ୍ତି, ତେବେ କିଛି ସତର୍କତା ନିଶ୍ଚିତ ଅବଲମ୍ବନ କରନ୍ତୁ । ଭଡ଼ାଟିଆ ରଖିବା ପୂର୍ବରୁ ସ୍ଥାନୀୟ ଥାନାରେ ତାଙ୍କର ପୁଲିସ ଭେରିଫିକେସନ୍ କରାଇବା ବାଧ୍ୟତାମୂଳକ । ଭଡ଼ାଟିଆଙ୍କ ଆଧାର କାର୍ଡ, ପାନ୍ କାର୍ଡ ଏବଂ କର୍ମସଂସ୍ଥାନର ଆଇଡି କାର୍ଡର ଅସଲି ନକଲ ଯାଞ୍ଚ କରନ୍ତୁ । ଭଡ଼ା ଚୁକ୍ତିପତ୍ର ବେଳେ କେବଳ ସୀମିତ ସୂଚନା ଦିଅନ୍ତୁ, ନିଜ ସମ୍ପତ୍ତିର ମୂଳ କାଗଜପତ୍ର କିମ୍ବା ଗୁପ୍ତ ଦସ୍ତାବିଜ୍ କେବେହେଲେ ଭଡ଼ାଟିଆଙ୍କ ହାତରେ ଦିଅନ୍ତୁ ନାହିଁ ।