ହାତୀ ଉପଦ୍ରବ ପାଇଁ ଚାଷ ବନ୍ଦ । ଗାଁରେ ରୋଜଗାର ମିଳୁନି । ସେପଟେ ଅଧାରୁ ପାଠ ଛାଡ଼ି ଘରେ ବସିଛନ୍ତି ଜୁଆଙ୍ଗ ଯୁବକ ଯୁବତୀ । ଅଧିକ ରୋଜଗାର ଆଶାରେ କେନ୍ଦୁଝର ଜିଲ୍ଲା ତେଲକୋଇ, ବାଂଶପାଳ ବ୍ଲକର ବିଭିନ୍ନ ଗାଁରୁ ଶତାଧିକ ଜୁଆଙ୍ଗ ଯୁବତୀ ରୋଜଗାର ଆଶାରେ ସୁଦୂର ତାମିଲନାଡୁ ଯାଇଥିଲେ । ସେଠାରେ ଚିଙ୍ଗୁଡି କାରଖାନାରେ ଗ୍ୟାସ୍ ଲିକ୍ ହୋଇ ୧୩ (କେନ୍ଦୁଝର ୧୨, ଅନୁଗୋଳରୁ ୧) ଯୁବତୀ ପ୍ରାଣ ହରାଇଲେ । ୩୦ ଜଣ ଏବେ ବି ଡାକ୍ତରଖାନାରେ ମୃତ୍ୟୁ ସଂଗ୍ରାମ କରୁଛନ୍ତି । ୬୬ ଜଣଙ୍କୁ ରାଜ୍ୟ ସରକାର ଉଦ୍ଧାର କରି ଗାଁକୁ ଫେରାଇ ଆଣିଛନ୍ତି । କିନ୍ତୁ ସମସ୍ୟାର ସମାଧାନ ହେଲାନି । ଅଧାରୁ ସ୍କୁଲ ଛାଡ଼ିଥିବା ଯୁବତୀମାନେ କ’ଣ ଆଉ ଥରେ ପାଠ ପଢ଼ିବେ ? ନଚେତ୍ ଏବେ ସେମାନଙ୍କୁ ରୋଜଗାର କିଏ ଦେବ ? ବଢ଼ିଲା ଝିଅଙ୍କୁ ହରାଇ ପରିବାରଗୁଡ଼ିକ ଦୁଃଖରେ ଥିବା ବେଳେ ଏହି ଅସମାହିତ ପ୍ରଶ୍ନର ଉତ୍ତର ଖୋଜି ପାଉନାହାନ୍ତି ଆଦିବାସୀମାନେ । ଓଡ଼ିଶାରେ ୧୩ଟି ଅବହେଳିତ ଆଦିବାସୀ ଜନଜାତିଙ୍କ ମଧ୍ୟରେ ଅଛନ୍ତି ଜୁଆଙ୍ଗ । ପେଟପାଟଣା ପାଇଁ ଏହି ଜନଜାତି ତାଡ଼ନାର ଶିକାର ହୋଇଆସୁଛନ୍ତି ।...
କେନ୍ଦୁଝର, ୩୦/୦୬ (ତାପସ ରଥ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ଏ ଘଟଣା ବହୁ ଗରିବ ପରିବାରର ମେରୁଦଣ୍ଡ ଦୋହଲାଇ ଦେଇଛି । ରୋଜଗାର ପାଇଁ କଁଅଳ ବୟସରେ ଘରୁ ଗୋଡ କାଢ଼ିଥିବା ପିଲାଙ୍କ ମୃତଦେହ ଘରେ ପହଞ୍ଚିବା ପରେ ଆଖିରୁ ଲୁହ ଶୁଖୁନି । କିଏ ବାପା ଛେଉଣ୍ଡ ତ କିଏ ଅତ୍ୟନ୍ତ ଅଭାବୀ । ସେମାନଙ୍କ ରୋଜଗାରରେ ଘରେ ଚୁଲି ଜଳୁଥିଲା । ହଠାତ୍ ରୋଜଗାରିଆ ପିଲାଙ୍କୁ ହରାଇ ପରିବାର ହତାଶ ହୋଇପଡିଛନ୍ତି ।
ଜିଲ୍ଲାର ବାଂଶପାଳ, ତେଲକୋଇ, ହରିଚନ୍ଦନପୁର ଓ ଘଟଗାଁରୁ ଅଧିକାଂଶ ଶ୍ରମିକ ଥିଲେ । କିନ୍ତୁ ପ୍ରଶାସନ କେବଳ ମୃତଦେହ ଗୁଡିକ ଗାଁରେ ପହଞ୍ଚି ନିଜର କର୍ତ୍ତବ୍ୟକୁ ଶେଷ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ବାଂଶପାଳ ବ୍ଲକ୍ କୋଡିପଶା ଗ୍ରାମର ସୁଜନୀ ଜୁଆଙ୍ଗଙ୍କ ବିଧବା ମା’ ଜହ୍ନ ଜୁଆଙ୍ଗ ଆଣିଛନ୍ତି । ଏକମାତ୍ର ରୋଜଗାରକ୍ଷମ ଝିଅକୁ ହରାଇବା ପରେ ଘର ଅନ୍ଧାର ହୋଇଯାଇଛି । ମୃତଦେହ ପହଞ୍ଚାଇବା ପରେ ପ୍ରଶାସନର ଆଉ ଦେଖାନାହିଁ । କ୍ଷତିପୂରଣ ତ’ ଦୂରର କଥା ସାମାନ୍ୟ ସହାୟତା ଦେବାକୁ ମଧ୍ୟ ଉଚିତ୍ ମନେ କରିନି । ସର୍ବନିମ୍ନ ସୁବିଧା ହରିଶ୍ଚନ୍ଦ୍ର ସହାୟତା ମଧ୍ୟ ପରିବାରକୁ ମିଳିନି । ସାଇପଡିଶାଙ୍କ ସହାୟତାରେ ମୃତଦେହକୁ ସଂସ୍କାର କରିଥିବା ବେଳେ ଶାସକ ଦଳର କେତେକ ନେତା ଘର ଚଳିବା ପାଇଁ ରାସନ୍ ପହଞ୍ଚାଇ ଦେଇଥିବା ଜହ୍ନ କହିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି, ଫେରିଆସିଥିବା ୬୬ ଶ୍ରମିକଙ୍କ ପରିବାର ଏବେ ଚଳିବେ କେମିତି ? ଗ୍ୟାସ୍ ଦୁର୍ଘଟଣା ପରେ ଫ୍ୟାକ୍ଟ୍ରି ବନ୍ଦ ହୋଇଯିବାରୁ ଶ୍ରମିକ ଫେରିଆସିଲେ । ପୁଣି କିଛି ମାସ ପରେ ଦଲାଲଙ୍କ କଥାରେ ଦାଦନ ଘଟିବାକୁ ଯିବେନି ତ !
ବାରମ୍ବାର ନିର୍ଯାତନା ପରେ ମଧ୍ୟ ବ୍ୟବସ୍ଥା ଥମୁନି:
ତାମିଲନାଡୁ ରାଜ୍ୟକୁ ସର୍ବମୋଟ କେନ୍ଦୁଝର ଜିଲ୍ଲାରୁ କେତେ ଶ୍ରମିକ କାମ କରିବାକୁ ଯାଇଥିଲେ ତାର ବର୍ତ୍ତମାନ ସୁଦ୍ଧା ସଠିକ୍ ତଥ୍ୟ ନାହିଁ । ବିଷାକ୍ତ ଗ୍ୟାସ୍ ଲିକ୍ ହେବା ଫଳରେ ତାମିଲନାଡୁରେ କାର୍ଯ୍ୟ କରିବାକୁ ଯାଇଥିବା ଶ୍ରମିକ ମାନଙ୍କ ମଧ୍ୟରୁ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଓଡ଼ିଶା ସରକାର ୧୦ ଲକ୍ଷ ଟଙ୍କା ଓ ତାମିଲନାଡୁ ସରକାର ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଜିଲ୍ଲାରୁ ଏତେ ସଂଖ୍ୟକ ଶ୍ରମିକ ଦଲାଲଙ୍କ ମାଧ୍ୟମରେ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା ବେଳେ ଜିଲ୍ଲା ଶ୍ରମବିଭାଗ ନିକଟରେ ଏହାର ସଠିକ୍ ତଥ୍ୟ ନାହିଁ । ଅନ୍ୟ ପଟେ ଜିଲ୍ଲାରେ ଅଧିକରୁ ଅଧିକ ଶ୍ରମ ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ଅନେକ ଉନ୍ନୟନ କାର୍ଯ୍ୟ ପାଇଁ ଅର୍ଥ ଯୋଗାଉଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ଏହି ଜିଲ୍ଲାର ଶ୍ରମିକ ମାନେ ଏଠାରେ କାମ ନ ପାଇ ବାହାର ରାଜ୍ୟକୁ ବାଧ୍ୟ ହୋଇ ଚାଲି ଯାଉଛନ୍ତି । ବାହାର ରାଜ୍ୟରେ ଅନେକ ସମୟରେ ଶ୍ରମିକମାନେ ଶୋଷଣର ଶିକାର ହେଉଛନ୍ତି ।
ତାମିଲନାଡୁ ଯାଇଥିବା ଶ୍ରମିକମାନେ ୧୨ ଘଣ୍ଟା କାମ କଲେ ୫ଶହ ଟଙ୍କା ପାରିଶ୍ରମିକ ମିଳୁଥିଲା । ରାଜ୍ୟ ସରକାର ୮ ଘଣ୍ଟା କାମ ପାଇଁ ସେହି ପାଖାପାଖି ମଜୁରି ଦେଉଛନ୍ତି । ହେଲେ ଶ୍ରମିକ ମାନଙ୍କୁ ସଚେତନ କରିବା ଓ କାମ ଯୋଗାଇ ଦେବା ପ୍ରଶାସନର ଦାୟିତ୍ୱ । ପ୍ରଶାସନର ବିଫଳତା ଯୋଗୁ ବାରମ୍ବାର ନିର୍ଯାତନାର ଶିକାର ହେବା ପରେ ମଧ୍ୟ ଦାଦନ ବ୍ୟବସ୍ଥା ଥମିବାର ନାଁ ଧରୁନି ।
କାହିଁକି ଗଠନ ହୋଇଥିଲା ଜେଡିଏ ?
କେନ୍ଦୁଝର ଜିଲ୍ଲାର ପ୍ରାୟତଃ ତିନିଗୋଟି ବ୍ଲକ୍ରେ ବସବାସ କରୁଥିବା ଆଦିମ ଜନଜାତି ଜୁଆଙ୍ଗଙ୍କ ବିକାଶ ଏବେ ସାତସପନ ହୋଇଛି । ଆଜି ନୁହେଁ ପ୍ରତିବର୍ଷ ତାମିଲନାଡୁ ଯାଉଛନ୍ତି ଏହି ଜୁଆଙ୍ଗ ସମ୍ପ୍ରଦାୟର କଅଁଳ ଶ୍ରମିକ । ୨୦୧୭ ମସିହାରେ ମଧ୍ୟ ୯ ଜଣ ଶିଶୁ ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ତାମିଲନାଡୁରୁ ଉଦ୍ଧାର କରିଥିଲା । ଏସବୁ ଘଟଣା ପରେ ଜୁଆଙ୍ଗ ଉନ୍ନୟନ ସଂସ୍ଥା(ଜେଡିଏ) କାର୍ଯ୍ୟଦକ୍ଷତା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତାମିଲନାଡୁର ଏକ ଚିଙ୍ଗୁଡି କାରଖାନାରେ ୧୨ ଜଣ ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ପରେ ଜେଡିଏ ବିଫଳ ହୋଇଥିବା ପ୍ରମାଣିତ ହୋଇଛି । ସାମାଜିକ, ଆର୍ଥିକ କ୍ଷେତ୍ରରେ ଜୁଆଙ୍ଗମାନେ ସ୍ୱାବଲମ୍ବୀ ହୋଇ ନଥିବା ଏପରିକି କାମ ନପାଇ ରାଜ୍ୟ ବାହାରକୁ ଅତି କମ୍ ଦରମାରେ ଦାଦନ ଖଟିବାକୁ ଯାଉଥିବା ପ୍ରତୀୟମମାନ ହୋଇଛି ।
ଆଦିମ ଜନଜାତି ଜୁଆଙ୍ଗମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଥମଥର ୧୯୭୮ ମସିହାରେ ବାଂଶପାଳ ବ୍ଲକ୍ ଅନ୍ତର୍ଗତ ଗୋନାସିକାଠାରେ ପ୍ରତିଷ୍ଠା ହୋଇଥିଲା ଜେଡିଏ ବା ଜୁଆଙ୍ଗ ଉନ୍ନୟନ ସଂସ୍ଥା । ବାଂଶପାଳ ବ୍ଲକର ୬ଟି ପଞ୍ଚାୟତ ଗୋନାସିକା, ବାରାହାଗଡ, କୋଡିପଶା, ତଳଚମ୍ପେଇ, କୁଅଁର ଓ ବାହାକୁମୁଟିଆ ପଞ୍ଚାୟତରେ ବାସ କରୁଥିବା ଜୁଆଙ୍ଗଙ୍କ ବିକାଶ ପାଇଁ ବର୍ଷକୁ ପ୍ରାୟ ୨କୋଟି ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଆସୁଥିଲା । ୨୦୨୩ ମସିହା ମାର୍ଚ୍ଚ ୩୧ ତାରିଖ ଠାରୁ ଏହାର ଅନୁଦାନ ରାଜ୍ୟ ସରକାର ବନ୍ଦ ରଖିଛନ୍ତି । ତେବେ ରାଜ୍ୟ ସରକାର ଜେଡିଏ ଗଠନର ୪୮ ବର୍ଷ ପରେ ମଧ୍ୟ ଜୁଆଙ୍ଗ ମାନଙ୍କର ସାମଗ୍ରିକ ବିକାଶ ହୋଇପାରିନାହିଁ । ଜୁଆଙ୍ଗ ମାନଙ୍କର ଆର୍ଥିକ ଏବଂ ଶିକ୍ଷାଗତ ଉନ୍ନତି ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତାଙ୍କର ବିକାଶ ହୋଇପାରିନାହିଁ ।
ପିଲାଙ୍କ ଦକ୍ଷତା ବୃଦ୍ଧି କରାଯିବ, କାମ ଯୋଗାଇ ଦିଆଯିବ : ବିଧାୟକ
ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ ତାମିଲନାଡୁରୁ ଫେରିଥିବା ଶ୍ରମିକଙ୍କୁ ଭେଟି ଆଲୋଚନା କରିବା ସହିତ ସେମାନଙ୍କ ଭବିଷ୍ୟତକୁ ନେଇ ପ୍ରଶାସନ ସହିତ ଆଲୋଚନା କରିଛନ୍ତି । ବିଧାୟକ କେନ୍ଦୁଝର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଫେରି ଆସିଥିବା ଶ୍ରମିକମାନଙ୍କୁ ଉଦ୍ୟମୀ କାର୍ଯ୍ୟକ୍ରମ ଜରିଆରେ ଏମ୍ଏସ୍ଏମ୍ଇ ମାଧ୍ୟମରେ ସହାୟତା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମହିଳା ଶ୍ରମିକଙ୍କ ଦକ୍ଷତାକୁ ବୃଦ୍ଧି ପାଇଁ ତାଲିମ ଦେବା ସହିତ ସ୍ୱାବଲମ୍ବୀ ହେବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଯେଉଁ ଶ୍ରମିକ ବ୍ୟବସାୟ କରିବାକୁ ଆଗ୍ରହ ଦେଖାଇବେ ତାଙ୍କୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ବିଧାୟକ କହିଛନ୍ତି । ଏହାସହିତ ଅନ୍ତିମ ସଂସ୍କାର ପାଇଁ ପ୍ରଶାସନ ପକ୍ଷରୁ ସହାୟତା ଦିଆଯାଇନଥିବା ଶୁଣି ବିଧାୟକ କ୍ଷୋଭ ପ୍ରକାଶ କରିଛନ୍ତି ।
ତୁରନ୍ତ ଦଶାହ କର୍ମ ପାଇଁ ୩ ହଜାର ଟଙ୍କା ସହିତ ରେଡକ୍ରସରୁ ପ୍ରତ୍ୟେକ ମୃତକ ଶ୍ରମିକ ପରିବାରକୁ ୧୦ ହଜାର ଟଙ୍କା ଲେଖାଁଏ ଦେବାକୁ ସେ ଜିଲ୍ଲାପାଳଙ୍କ ସହିତ ସୋମବାର ଆଲୋଚନା କରିଥିବା କହିଛନ୍ତି । ଶ୍ରମିକମାନଙ୍କୁ ରୋଜଗାର ବାଟ ନଦେଖାଇଲେ ସେମାନେ ପୁଣି ଦାଦନ ପାଇଁ ଆଗ୍ରହ ଦେଖାଇବେ ବୋଲି ବିଧାୟକ କହିଛନ୍ତି । ଏହସହିତ ଫେରି ଆସିଥିବା ଶ୍ରମିକ ମାନେ ଉପାନ୍ତ ଅଞ୍ଚଳରେ ରହୁଛନ୍ତି । ସେମାନଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚି ପାରୁନି । ତେଣୁ ସଚେତନତା ସୃଷ୍ଟି କରିବା ସହିତ ଆଦିବାସୀମାନଙ୍କ ପାଇଁ ସରକାର କରିଥିବା ଯୋଜନା କିଭଳି ପହଞ୍ଚି ପାରିବ ସେନେଇ ପ୍ରଶାସନ ସହିତ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ।
ସୀମାନ୍ତ ଗାଁ କୋଡ଼ିପଶା:
ବାଂଶପାଳ ବ୍ଲକର ସବୁଠାରୁ ସୀମାନ୍ତବର୍ତ୍ତୀ ପଞ୍ଚାୟତ କୋଡିପଶା । ବ୍ଲକ୍ ମୁଖ୍ୟାଳୟ ଠାରୁ ୫୦ କିଲୋମିଟର ଦୂରରେ ଅବସ୍ଥିତ । ବ୍ଲକ୍ ଅଧିକାରୀମାନେ ମଧ୍ୟ ବର୍ଷରେ ଥରୁଟିଏ ପାଦ ଗାଁରେ ପଡିନଥାଏ । କୋଡିପଶା ଗ୍ରାମରେ ଜୁଆଙ୍ଗ ଓ ଗୋପାଳ ଲୋକେ ବାସ କରୁଛନ୍ତି । କୋଡିପଶାରେ ୧୦୬ ପରିବାର, ମୁଣ୍ଡାସାହିରେ ୨୬ ପରିବାର ଓ ମାଝୀସାହିରେ ୩୫ ପରିବାର ବାସ କରୁଛନ୍ତି । ଏହି ଅଞ୍ଚଳ ଲୋକେ କେବଳ ଜଙ୍ଗଲ ଉପରେ ନିର୍ଭର କରି ଜୀବନ ବିତାଉଛନ୍ତି । ଜଙ୍ଗଲ ଦ୍ରବ୍ୟ ସହିତ କାଠ ସଂଗ୍ରହ କରି ବଜାରକୁ ନେଇ ବିକ୍ରି କଲେ ଚୁଲି ଜଳିଥାଏ ବୋଲି ଗ୍ରାମର ଲୋକେ କହିଛନ୍ତି । ପୂର୍ବରୁ ସେମାନେ ଚାଷ କରି ଗୁଜୁରାଣ ମେଣ୍ଟାଉଥିଲେ । କୋଡିପଶାରେ ଧାନ ସହିତ ମକା, କାକୁଡି, ବିରି, କୋଳଥ, ସୋରିଷ, ହରଡ଼, ରାଶି ପ୍ରଭୃତି ବହୁଳ ଭାବେ ଉତ୍ପାଦନ ହେଉଥିଲା । କାକୁଡି କେନ୍ଦୁଝର ବଜାରକୁ ନିୟମିତ ଯାଉଥିଲା । ନିକଟରେ କୋଟିପଶା ଡ୍ୟାମ୍ ରହିଥିବାରୁ ଭଲ ଚାଷ ହେଉଥିଲା । ମାତ୍ର ୧୦ବର୍ଷ ହେବ ଚାଷୀଙ୍କ ପେସାକୁ ହାତୀମାନେ ଛଡାଇ ନେଇଛନ୍ତି । ନିୟମିତ ହାତୀ ଗାଁକୁ ଆସି ବିତ୍ପାତ କରିଥିବାରୁ ହାତୀ ଭୟରେ ଲୋକେ ଚାଷ ଛାଡି ଦେଇଥିବା ଗ୍ରାମର ନରସିଂହ ଅଧିକାରୀ କହିଛନ୍ତି ।
ପାଇପ୍ ଅଛି, ପାଣି ନାହିଁ:
ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ୨୦୧୦ ମସିହାରେ ତଳେ ପାଇପ୍ ପକାଯାଇଛି । କିଛିଦିନ ସେହି ପାଇପ୍ରେ ପାଣି ଘରର ଦ୍ୱାର ମୁହଁକୁ ପହଞ୍ଚିଥିଲା । ମାତ୍ର ୧୦ବର୍ଷ ହେବ ପାଣି ଯୋଗାଣ ବନ୍ଦ ହୋଇଯାଇଛି । ରକ୍ଷଣାବେକ୍ଷଣ ଅଭାବରୁ ଅନେକ ସ୍ଥାନରେ ପାଣି ପାଇପ୍ ଫାଟି ଯିବା ପରେ କେହି ମରାମତି ଦିଗରେ ଆଗ୍ରହ ଦେଖାଇନାହାନ୍ତି । ବ୍ଲକ୍ ପ୍ରଶାସନ ସହିତ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଏହି ପ୍ରକଳ୍ପ ବନ୍ଦ ହୋଇପଡିଛି । ଗାଁରେ ବାସ କରୁଥିବା ୬୫୦ ଲୋକଙ୍କ ପାଇଁ ୨ଟି ନଳକୂପ ରହିଛି । ଏହି ନଳକୂପ ଗୁଡିକ କେବଳ ବର୍ଷାଦିନରେ ପାଣି ଯୋଗାଇଥାଏ । ଅବଶିଷ୍ଟ ଦିନରେ ଚୁଆପାଣି ଉପରେ ଲୋକେ ଭରସା କରି ଚଳୁଛନ୍ତି । ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ମଧ୍ୟ ଗାଁରେ ପୁଣି ପାଇପ୍ ପକା ଯାଇଥିଲା । ୭ ଦିନରେ ଥରେ ସେହି ପାଇପ୍ରେ ପାଣି ଆସୁଥିବା ବେଳେ ୩୫ଟି ଷ୍ଟାଣ୍ଡପୋଷ୍ଟ କରାଯାଇଛି । ମାତ୍ର ତାହା ଶୁଖିଲା ପଡିଛି । ଜିଲ୍ଲାର ସବୁଠାରୁ ଉପାନ୍ତ ଅଞ୍ଚଳ କୁହାଯାଉଥିବା କୋଡିପଶା ପ୍ରତି ପ୍ରଶାସନିକ ଉଦାସୀନତା ଯୋଗୁ ଅଭିଶପ୍ତ ଜୀବନ ବିତାଉଥିବାରୁ ଲୋକେ କାମ ଅନ୍ୱେଷଣରେ ବାହାରକୁ ଯିବାକୁ ବାଧ୍ୟ ହେଉଥିବା କହିଛନ୍ତି ।
ବୟସ ଗଡ଼ିଗଲେ ବି ଭତ୍ତା ମିଳୁନି:
ଉପାନ୍ତ ଅଞ୍ଚଳ ଓ ନିରକ୍ଷରତା ଯୋଗୁ ସରକାରୀ ଯୋଜନାକୁ ବାଟବଣା କରି ପକାଉଛନ୍ତି କିଛି ଅସାଧୁ କର୍ମଚାରୀ । ଏପରିକି ବୟସ ଅତିକ୍ରମ ପରେ ମଧ୍ୟ ଭତ୍ତାରୁ ବଞ୍ଚିତ ପ୍ରାୟ ୧୮ ଜଣ ବରିଷ୍ଠ ନାଗରିକ । ଭତ୍ତାରୁ ବଞ୍ଚିତ ହେବା ପରେ ଜଣେ ୮୫ ବର୍ଷର ବୃଦ୍ଧା ଗତମାସରେ ପ୍ରାଣ ହରାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରିବାର । ଏହି ଗ୍ରାମର ଝାଳମାଇଁ ଜୁଆଙ୍ଗ ନିୟମିତ ୫ଶହ ଟଙ୍କା ଭତ୍ତା ପାଉଥିଲେ । ମାତ୍ର ୪ ବର୍ଷ ହେବ ତାଙ୍କର ଭତ୍ତା ଟଙ୍କା ଗାଏବ୍ ହୋଇ ଯାଇଥିଲା । ଅଭିଯୋଗ କରିବାକୁ ୫୦ କିଲୋମିଟର ଦୂର ବାଂଶପାଳ ବ୍ଲକକୁ ଦୁଇଥର ଯିବା ପରେ ସମସ୍ୟା ସମାଧାନ ହୋଇନଥିଲା । ଦାୟିତ୍ୱରେ ଥିବା ଜିଆରଏସ୍ ଭତ୍ତା କାଗଜପତ୍ର ନେଇ ଯିବା ପରେ ଆଉ ଭତ୍ତା ମିଳିନଥିଲା । ଝାଳମାଇଁ ନାତି ପାଖରେ ରହି ଆସୁଥିବା ବେଳେ ଦାୟିତ୍ୱରେ ଥିବା ପଞ୍ଚାୟତ କର୍ତ୍ତୃପକ୍ଷ ତାଙ୍କର ଭତ୍ତା ଟଙ୍କାକୁ ଖାଇ ଯାଇଥିବା ତାଙ୍କ ନାତି କହିଛନ୍ତି ।
ଅଧିକ ପଢନ୍ତୁ-J haraphula Death Case Verdict: ପାଞ୍ଚ ବର୍ଷ ପରେ ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ମିଳିଲା ନ୍ୟାୟ, ରାୟ ପ୍ରକାଶ ପରେ କାନ୍ଦିଲେ ବାପା-ମା’