ଭୁବନେଶ୍ୱର,୦୬/୦୮: ଖାଦ୍ୟ ପାର୍ସଲ ଦେବାକୁ ଡାକିଲେ । ହେଲେ ପାର୍ସଲ ବିଷୟରେ କିଛି ଜାଣିନଥିବା ମହିଳାଜଣଙ୍କ କହିଲେ । ବାରମ୍ବାର ଡାକିବାରୁ ମହିଳା ଠିକଣାରେ ପହଞ୍ଚି ଡେଲିଭରି  ବୟଙ୍କୁ ଦେଖାକଲେ । ହେଲେ ଡେଲିଭରିବୟ ତାଙ୍କୁ ନାଲିଆଖି ଦେଖାଇବାସହ ପାର୍ସଲ ନେଇ ଖାଇବାକୁ ଧମକ ଦେଲେ । ନହେଲେ ବଳି ପଡ଼ିବେ ବୋଲି ଧମକ ଦେଲେ । ଯେତେବେଳେ ମହିଳା ଉକ୍ତ ପାର୍ସଲ ଖୋଲିଲେ ଭିତରେ ଖାଦ୍ୟ ନୁହେଁ ବରଂ ଏକ ଛୁରି ଥିଲା । ଯାହା ଦେଖି ମହିଳା ତାଜୁବ । ନିକୋପାର୍କ ନିକଟ ଶବରସାହିରେ ଏଭଳି ଏକ ଘଟଣା ଘଟିଛି । ସାହିର ଅନୁପମା ନାୟକ ଏନେଇ  ସହିଦନଗର ଥାନାରେ ଏତଲା ଦେଇଛନ୍ତି ।  

ଅଭିଯୋଗ ଅନୁସାରେ, ଗତ ୧ ତାରିଖ ରାତିରେ ଅନୁପମା ଘରେ ଥିଲେ । ଏହି ସମୟରେ ବିକାଶ ପ୍ରଧାନ ନାମକ ଜଣେ ଯୁବକ  ତାଙ୍କୁ ଫୋନ କରି ନିଜକୁ ଏକ ଖାଦ୍ୟ ଡେଲିଭରି ସଂସ୍ଥାର ଡେଲିଭରି ବୟ ବୋଲି ପରିଚୟ ଦେଇଥିଲେ । ତାଙ୍କ ନାମରେ ଖାଦ୍ୟ ଆସିଛି  ବୋଲି ସେ କହିଥିଲେ । ହେଲେ ଅନୁପମା କୌଣସି ଖାଦ୍ୟ ଅର୍ଡର  କରିନଥିବା କହିବା ପରେ ବିକାଶ ଜୋରଜବରଦସ୍ତ ତାଙ୍କୁ ପାର୍ସଲ  ନେବାକୁ କହିଥିଲେ । ପରେ ବାଧ୍ୟ ହୋଇ ଅନୁପମା ପାର୍ସଲ ଆଣିବାକୁ ଯାଇ ଜାଣିଲେ ସେଥିରେ ଛୁରି ଅଛି । ଅନୁପମା ବିରୋଧ କରିବାରୁ  ବିକାଶ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହି ଘଟଣାର ଦିନକ ପରେ ଅନୁପମା ଘରକୁ ଫେରୁଥିଲେ । ଏହି ସମୟରେ ଜଣେ  ଅପରିଚିତ ଯୁବକ ଆସି ଅନୁପମାଙ୍କୁ ମାଡ଼ ମାରିଥିଲା । ଥାନାରେ କହିଲେ ତାଙ୍କ ଜୀବନ ପ୍ରତି ବିପଦ ଆସିବ ବୋଲି ଧମକ ଦେଇଥିଲା ।  ତେବେ ଛୁରି କିଏ ପଠାଇଲା ଓ ଧମକ ଦେବା ପଛରେ ଉଦ୍ଦେଶ୍ୟ  କଣ ଅନୁପମା ଏ ବିଷୟରେ କିଛି ଜାଣିନାହାନ୍ତି । ପୁଲିସ ଏକ ମାମଲା  ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।