ପାଟଣାଗଡ,୪/୭ : ସରକାର ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଗାନା ପ୍ରଣୟନ କରିଛନ୍ତି । ହେଲେ ପ୍ରକୃତ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ଗୁଡ଼ିକ ପହଞ୍ଚି ପାରୁ ନାହିଁ I ଫଳରେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି ବଲାଙ୍ଗୀର ଜିଲ୍ଲା ପାଟଣଗଡ଼ ବ୍ଲକ ବନେଇମୁଣ୍ଡା ପଞ୍ଚାୟତ ଖୁସାବାହାଲି ଗାଁର ବୃଦ୍ଧା ସୁରଭି ବିଶ୍ଵାଳ(୬୫)।
ସୂଚନା ଅନୁସାରେ ଦୀର୍ଘ ବର୍ଷ ତଳେ ସୁରଭି ଉକ୍ତ ଗ୍ରାମର ମାଞ୍ଚନ ବିଶ୍ଵାଳଙ୍କୁ ସାମାଜିକ ରିତିନୀତିରେ ବିବାହ କରି ହସ ଖୁସିରେ ତାଙ୍କର ଜୀବନ ବିତାଉଥିଲେ । କିନ୍ତୁ ହଠାତ୍ ତାଙ୍କ ଉପରେ ଦୁଃଖର କଳାବାଦଳ ମାଡ଼ି ଆସିଲା । ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ସେହିଦିନଠାରୁ ବହୁ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି ସୁରଭି। ସ୍ବାମୀଙ୍କ ମୃତ୍ୟୁ ହେଲା ପରେ ତାଙ୍କର ଆଉ କେହିନାହାନ୍ତି । ଓଳିଏ ଖାଇଲେ ଆର ଓଳିକୁ ଭୋକ ଉପାସରେ ଜୀବନ ବିତାଇବାକୁ ପଡୁଛି । ଗାଁରେ ସୁରଭି ଭିକ୍ଷା ବୃତ୍ତି କରି ଆଣିଲେ ମୁଠାଏ ଖାଇଥାନ୍ତି, ନ ହେଲେ ସେ ଭୋକ ଉପାସରେ ରହିଥାନ୍ତି । ନିଜସ୍ବ ଉଦ୍ୟମରେ ଏକ ଝାଟିମାଟି କୁଡ଼ିଆ କରି ଜରିପାଲ ତଳେ ଗାଁରେ ରହି ଆସୁଛନ୍ତି । ବର୍ଷା ଦିନ ହେଲେ ସେ ପର ଘର ବାରଣ୍ଡାରେ ଦିନ ବିତାଇଥାନ୍ତି । ଏ ବିଷୟରେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲା ପରେ ବି ତାଙ୍କୁ ପ୍ରତିଶ୍ରୁତି ଛଡା ଆଉ କିଛି ମିଳିନି। କିନ୍ତୁ ଭତ୍ତା ଟଙ୍କାକୁ ଖାଲି ଛାଡ଼ି ଦେଲେ ଆବାସ ଘର, ରାଶନ କାର୍ଡ଼ ମଧ୍ଯ ନ ଥିବାରୁ ଚାଉଳ ମଧ୍ୟ ପାଇ ପାରୁ ନାହାନ୍ତି । ତାଙ୍କ ଅବସ୍ଥା ଦେଖି ସାହି ପଡିଶା ଲୋକେ କେବେ କେମିତି ରନ୍ଧା ଖାଦ୍ୟ ଦେଇଥାନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ସୁରଭିଙ୍କ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।