PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ଢାଙ୍କିଦେଲା କୁହୁଡ଼ି

ଭୁବନେଶ୍ୱର,୧୯ା୧(ବ୍ୟୁରୋ): ଚାରିଆଡ଼ ଧୂଆଁ ଧୂଆଁ । ଯେମିତି ଧଳା ଚାଦର ଘୋଡ଼ାଇ ଦେଇଛି ଚତୁର୍ଦ୍ଦିଗକୁ । ଷ୍ଟ୍ରିଟ୍‌ ଲାଇଟ୍‌ ହେଉ କି ଗାଡ଼ି ଲାଇଟ୍‌, କିଛି କାଟୁ କରୁନଥିଲା । କୁହୁଡ଼ି ଏମିତି ମାଡ଼ିଗଲା ଯେ ୧୦ ମିଟର ଦୂରତା ବି ଦିଶିଲାନି । ଶୁକ୍ରବାର ରାତିରୁ ଏମିତି କୁହୁଡ଼ି ଆଚ୍ଛାଦିତ କରିଥିଲା ଉପକୂଳ ଓଡ଼ିଶାକୁ । ଭୋରୁ ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା । ସକାଳ ୯ଟା ଯାଏଁ ନାକେଦମ୍‌ କରିଥିଲା ଜନଜୀବନକୁ ।
ପାଣିପାଗ ପୂର୍ବାନୁମାନ, ଶନିବାର ରାତି ଓ ରବିବାର ସକାଳେ ବି ଉପକୂଳ ଓଡ଼ିଶାକୁ କୁହୁଡ଼ି ଘେରିବ । ମଧ୍ୟମ ଧରଣ କିମ୍ବା ଘନ କୁହୁଡ଼ି ଆଚ୍ଛାଦିତ କରିବ । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ କୁହୁଡ଼ି ସମ୍ଭାବନା ରହିଛି ।
ଶୁକ୍ରବାର ରାତିରୁ ଘନ କୁହୁଡ଼ି ଘେରିଥିଲା ଉପକୂଳ ଓଡ଼ିଶାକୁ । କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ, ନୟାଗଡ଼, ଭଦ୍ରକ ଜିଲ୍ଲାରେ ଭୀଷଣ କୁହୁଡ଼ି ଆଚ୍ଛାଦିତ କରିଥିଲା । ଘନ କୁହୁଡ଼ି ଯୋଗୁ ରାସ୍ତାରେ ଗାଡ଼ି ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ଟ୍ରକ୍‌, କାର୍‌ ସମେତ ବହୁ ସଂଖ୍ୟକ ଗାଡ଼ିମୋଟର ଜାତୀୟ ରାଜପଥରେ ଅଟକିବାକୁ ବାଧ୍ୟ ହୋଇଥିଲେ । କେତେକ ଜାଗାରେ ଛୋଟ ଛୋଟ ଦୁର୍ଘଟଣା ବି ଘଟିଥିଲା । କଟକ-ଭୁବନେଶ୍ୱର ରାସ୍ତାର ବହୁ ଜାଗାରେ ଗାଡ଼ିମୋଟର ଫସି ରହିଥିଲେ ।
ଘନ କୁହୁଡ଼ି ଯୋଗୁ ବିମାନ ସେବା ବି ପ୍ରଭାବିତ ହୋଇଥିଲା । ଭୋର ୪ଟା ୩୭ରେ ପହଞ୍ଚିଥିବାକୁ ଥିବା ଦିଲ୍ଲୀ (ଇଣ୍ଡିଗୋ ୨୨୧୪) ବିମାନ ଭୁବନେଶ୍ୱରରେ ଅବତରଣ କରିପାରିନଥିଲା । କୁହୁଡ଼ି ଯୋଗୁ ବିମାନଟି କୋଲକାତାକୁ ଡାଇଭର୍ଟ ହୋଇଯାଇଥିଲା । ପାଗ ସୁଧୁରିବା ପରେ ବିମାନ ପୁଣି ଭୁବନେଶ୍ୱର ମୁହାଁ ହୋଇଥିଲା । ସକାଳ ୯ଟା ୧୦ରେ ଏହି ବିମାନ ଭୁବନେଶ୍ୱରରେ ଓହ୍ଲାଇଥିଲା । ସେହିପରି ଏୟାର ଏସି÷ଆର କୋଲକାତା-ଭୁବନେଶ୍ୱର ବିମାନ (୫୩୫) ଭୋର୍‌ ୩ଟା ୧୪ରେ ପହଞ୍ଚିବାର ଥିଲା । ମାତ୍ର ଏହା ରୁଟ୍‌ ବଦଳାଇ ଭାଇଜାକକୁ ଡାଇଭାର୍ଟ ହୋଇଥିଲା । ଦିନ ୧୧ଟା ୧୯ରେ ଏହା ଭୁବନେଶ୍ୱର ଆସିଥିଲା । ସେହିପରି କୁହୁଡ଼ି ଯୋଗୁ କୋଲକାତା, ଦିଲ୍ଲୀ, ବେଙ୍ଗାଲୁରୁରୁ ଆସିବାକୁ ଥିବା ୧୦ଟି ବିମାନ ବିଳମ୍ବରେ ଆସି ପହଞ୍ଚିଥିଲା । ଭୁବନେଶ୍ୱରରୁ ଦିଲ୍ଲୀ, କୋଲକାତା, ମୁମ୍ବାଇ, ବେଙ୍ଗାଲୁରୁ, ଗୌହ୍ୱାଟି, ହାଇଦ୍ରାବାଦ ଯିବାକୁ ପ୍ରାୟ ୧୫ଟି ବିମାନ ନିର୍ଦ୍ଧାରିତ ସମୟରୁ ବିଳମ୍ବରେ ଉଡ଼ାଣ ଭରିଥିଲା ।
ପାଣିପାଗ ବିଭାଗ କହିଛି, ଶନିବାର ରାତିରୁ ରବିବାର ସକାଳ ପର୍ଯ୍ୟନ୍ତ କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ, ନୟାଗଡ଼, ଭଦ୍ରକ ଜିଲ୍ଲାରେ ମଧ୍ୟମରୁ ଘନ କୁହୁଡ଼ି ଘେରିବ । ଆସନ୍ତାକାଲି ରାତିରେ ବି ଉପକୂଳ ଓଡ଼ିଶାରେ କୁହୁଡ଼ି ସମ୍ଭାବନା ଅଛି । ୨୨ ତାରିଖରେ ଉତ୍ତର ଓଡ଼ିଶା ଓ ୨୩ରେ ଉପକୂଳ ଓଡ଼ିଶାରେ କୁହୁଡ଼ି ହୋଇପାରେ । ଆସନ୍ତା ୨ ଦିନ କେତେକ ସ୍ଥାନରେ ପାରଦ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ କମ୍‌ ରହିବ । ଦୁଇଦିନ ପରେ କ୍ରମଶଃ ରାତି ତାପମାତ୍ରା ବଢ଼ିବ ।