ଭୁବନେଶ୍ଵର, ୦୨/୧୧ : କିଛି ଦିଶିଲାନି। ଚାରିଆଡ଼େ ଯେମିତି ଧୂଆଁ ଧୂଆଁ । ଦୀପାବଳି ଧୂଆଁ ସହିତ କୁହୁଡି । ରାସ୍ତାରେ ଭିଜିବିଲିଟି ରେଞ୍ଜ(ଦୃଶ୍ୟମାନ ଦୂରତା) ଥିଲା ପ୍ରାୟ ୧୦୦ ମିଟର । ସ୍ଥାନେ ସ୍ଥାନେ ଘନ କୁହୁଡ଼ି ଯୋଗୁ ୫୦ ମିଟର ଆଗକୁ ବି ଦେଖାଯାଉନଥିଲା। ଶନିବାର ସକାଳୁ ସକାଳୁ କଟକ-ଭୁବନେଶ୍ଵରରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଦୀପାବଳିରେ ପ୍ରବଳ ବାଣ ଫୁଟା ଯୋଗୁଁ ପ୍ରଦୂଷଣ ବଢିଛି। ସେହିପରି ପୁରୀରେ ମଧ୍ୟ ଘନ କୁହୁଡ଼ି ପଡ଼ିଛି। କୁହୁଡ଼ି ଚାଦର ତଳେ ଶ୍ରୀମନ୍ଦିର ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଛି। ଦୂରରୁ ଶ୍ରୀମନ୍ଦିରର ଚୂଡ଼ା ଦେଶ ଓ ମୁଖ୍ୟ ମନ୍ଦିର ଦୃଶ୍ୟମାନ ହେଉନି। 

ଗୁରୁବାର ରାତିରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। ଗୁରୁବାର ଭୁବନେଶ୍ୱରରେ ନିର୍ଧୁମ ବାଣ ଫୁଟିଥିଲା। ରାଜଧାନୀର ବାୟୁର ମାନ (ଏକ୍ୟୁଆଇ) ଦ୍ରୁତ ଗତିରେ ବିଗିଡ଼ି ଥିଲା । ୨ ଦିନ ତଳେ ସ୍ୱଚ୍ଛ ସହର ଥିବା ଭୁବନେଶ୍ୱର ବାରୁଦିଆ ଗନେ୍ଧଇଲା । ମାତ୍ର ଶୁକ୍ରବାର ସକାଳେ ବର୍ଷା ପରେ ଭୁବନେଶ୍ୱରରେ ସ୍ଥିତି ସୁଧୁରିଥିଲା। ହେଲେ ସନ୍ଧ୍ୟା ପରେ ପୁଣି ଆରମ୍ଭ ହୋଇଗଲା ଦୀପାବଳି ସେଲିବ୍ରେସନ । ଢୋ ଢା ବାଣ ମାଡ଼ରେ କମ୍ପିଲା ଭୁବନେଶ୍ୱର । ତେବେ ରାତି ୮ଟାବେଳକୁ ବାୟୁମଣ୍ଡଳର ସ୍ଥିତି ଦ୍ରୁତ ଗତିରେ ଖରାପ ହେଲା । କୁହୁଡ଼ି ମାଡ଼ି ଆସିଲା । ଧୂଆଁ ବେଶୀ ନଥିଲେ ବି କୁହୁଡ଼ି ଯୋଗୁ ପୁରା ରାଜଧାନୀ ଧୂଆଁମୟ ଲାଗୁଥିଲା । ୯ଟା ପରେ କିଛି ଦିଶିଲାନି । ସନ୍ଧ୍ୟା ୭ଟାବେଳେ ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ୧୫୫ ଥିଲା ଏକ୍ୟୁଆଇ ମାନ । ରାତି ୯ଟାବେଳକୁ ୧୬୫, ୧୦ଟାରେ ୧୬୮ । ପଟିଆରେ ସନ୍ଧ୍ୟା ୭ଟାରେ ଥିଲା ୧୨୨ । ରାତି ୧୦ଟାରେ ୧୨୫ । 

ଶୁକ୍ରବାର ଅପରାହ୍ନ ୪ଟାର ରିପୋର୍ଟ ଅନୁସାରେ, ଭୁବନେଶ୍ୱରରେ ନୂଆପଲ୍ଲୀ ଆଇଆରସି ଅଞ୍ଚଳରେ ଏକ୍ୟୁଆଇ ୨୩୦, ୟୁନିଟ୍‌-୮ ଅଞ୍ଚଳରେ ୨୪୭, କ୍ୟାପିଟାଲ ଥାନା ପାଖ ଇଲାକାରେ ୨୦୦ ଓ ପଳାଶୁଣୀରେ ୨୧୩ ରହିଛି । ଚନ୍ଦ୍ରଶେଖରପୁରରେ ୧୪୭, ଖଣ୍ଡଗିରି ଥାନା ପାଖ ଇଲାକାରେ ୧୯୭ ରେକର୍ଡ ହୋଇଛି ଏକ୍ୟୁଆଇ । ଖୋଦ୍‌ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହୁଛି, ସପ୍ତାହେ ତଳେ ଭୁବନେଶ୍ୱରର ଏସବୁ ଅଞ୍ଚଳରେ ଏକ୍ୟୁଆଇ ସ୍ତର ଭଲ ଥିଲା । ହଠାତ୍‌ ବଦଳିଯିବା ନେଇ ଦୀପାବଳି ବାଣକୁ ହିଁ ଦାୟୀ କରିଛନ୍ତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । 

ଗୁରୁବାର ସନ୍ଧ୍ୟା ୬ଟାବେଳେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ଏକ୍ୟୁଆଇ ୯୦ ତଳେ ଥିଲା । ସକାଳ ୯ଟାବେଳକୁ ୧୪୩ । ପଟିଆରେ ଦୀପାବଳି ସନ୍ଧ୍ୟା ୬ଟାରେ ଏକ୍ୟୁଆଇ ୬୯ ଥିଲା । ରାତି ୧ଟାବେଳକୁ ୧୧୦ ଟପିଲା । ନୂଆପଲ୍ଲୀ, ୟୁନିଟ୍‌-୮, ପଳାଶୁଣି ଅଞ୍ଚଳରେ ଗତ ୨୪ ଘଣ୍ଟାରେ ନିମ୍ନସ୍ତର ଖସିଯାଇଛି ବାୟୁର ମାନ । ଏକ୍ୟୁଆଇ ୧୦୦ରୁ ୨୦୦ ଭିତରେ ରହିଲେ ଫୁସଫୁସ ରୋଗୀ, ହୃଦରୋଗୀ, ଶିଶୁଙ୍କ ପାଇଁ ଶ୍ୱାସକ୍ରିୟାରେ ସମସ୍ୟା ଆଣିପାରେ।