ଦେବଗଡ, ୨୧/୦୮: ଦେବଗଡ଼ ଡାକରା।  ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲା ଦେବଗଡ଼ ଜିଲ୍ଲା ଯୁବକ ଏକତା ମଞ୍ଚ । ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଦାବିରେ ବନ୍ଦ ରହିଛି । ଯାହାଫଳରେ ସବୁ ଅଫିସ, ଦୋକାନ ବଜାର, ସ୍କୁଲ, କଲେଜ ବନ୍ଦ ରହିଛି। ସହର ବିଭିନ୍ନ ଛକରେ ଯୁବକ ଏକତା ମଞ୍ଚର ସଦସ୍ୟମାନେ ଫିକେଟିଂ କରିବା ସହ ଆନ୍ଦୋଳନ ଜାରି ରଖିଛନ୍ତି। ଏଥିପାଇଁ ଯାନବାହନ ଯାତୟାତ ବନ୍ଦ ରହିଛି। 

ନୁଆଁ ବାଲିରୋଇ  ମୌଜାରେ ନବନିର୍ମିତ ସୁପର୍‌ ସ୍ପେସିଆଲିଟି  ହସପିଟାଲରେ ନିଅଣ୍ଟିଆ ସ୍ୱାସ୍ଥ୍ୟସେବା ଓ ନାନା  ଅବ୍ୟବସ୍ଥା ଦେଖି ଜନଅସନ୍ତୋଷ ଲାଗି ରହିଛି ।  ଜିଲ୍ଲା ଯୁବ ଏକତା ମଞ୍ଚ ପୁରଣା କୋଠାରେ ଏକ ୨୪ ଘଣ୍ଟିଆ ପୂର୍ଣ୍ଣକାଳୀନ ଚିକିତ୍ସାଳୟ ସ୍ଥାପନ କରିବା ଦାବିରେ ୧୨ ଘଣ୍ଟିଆ ‘ଦେବଗଡ଼ ବନ୍ଦ’ ଡାକରା ଦେଇଛି । ଏହି ବନ୍ଦରେ ଅତ୍ୟବଶ୍ୟକ ସାମଗ୍ରୀ, ଚିକିତ୍ସା ସେବା, ପରୀକ୍ଷାର୍ଥୀଙ୍କୁ ବାଦ୍ ଦିଆଯାଉଥିବା ବେଳେ ଦୋକାନ ବଜାର, ସରକାରୀ-ବେସରକାରୀ ଅନୁଷ୍ଠାନ, ବସ-ମଟର ବନ୍ଦ ରହିଛି। 

ବୁଧବାର  ଯୁବ ଏକତା ମଞ୍ଚ ତରଫରୁ  ସ୍ଥାନୀୟ ଗୋପାଲଜୀଉ ମନ୍ଦିର ପ୍ରାଙ୍ଗଣରେ  ପ୍ରସ୍ତୁତି ବୈଠକ କରି ଲୋକଙ୍କ ସହଯୋଗ  ଲୋଡ଼ାଯାଇଥିଲା । ମଞ୍ଚ ସଂଯୋଜକ ସୁରଞ୍ଜିତ  ମହାପାତ୍ର(ରକେଟ୍‌)ଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ବନ୍ଦ ପ୍ରସ୍ତୁତି ବୈଠକରେ ବରିଷ୍ଠ ବିଜେପି  ନେତା ତଥା ଜିଲ୍ଲା ଓକିଲ ସଂଘ ସଭାପତି  ସଚ୍ଚିକାନ୍ତ ଦାଶ, ଓକିଲ ମନୋଜ କୁମାର ପାଢୀ,  ସ୍ୱେଚ୍ଛାସେବୀ ପ୍ରଫୁଲ୍ଲ କୁମାର ନାଏକ,ବରିଷ୍ଠ  ସାମ୍ବାଦିକ ମିତ୍ରଭାନୁ ମହାପାତ୍ର ଓ ମାନସ  ରଞ୍ଜନ ଦ୍ୱିବେଦୀ ପ୍ରମୁଖ ବନ୍ଦ ସଫଳ କରିବାକୁ  ଆହ୍ୱାନ ଦେଇଥିଲେ । 

ଅନ୍ୟପକ୍ଷେ ଏହି ପ୍ରସଙ୍ଗକୁ  ନେଇ ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ ପାଇଁ ଭୁବନେଶ୍ୱର  ଅଭିମୁଖେ ପଦଯାତ୍ରା କରିଥିବା ଅର୍ଣ୍ଣବ ପଣ୍ଡା  ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ।  ପୂର୍ବତନ ବିଜେପି ବିଧାୟକ ସୁବାସଚନ୍ଦ୍ର  ପାଣିଗ୍ରାହୀ ଓ ଦଳୀୟ ମିଡିଆ ପ୍ରଭାରୀ ସୁଧୀର  କୁମାର ପାତ୍ରଙ୍କ ସହ ଅର୍ଣ୍ଣବ ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀଙ୍କ ପ୍ରକୋଷ୍ଠରେ ପହଞ୍ଚି ପୁରୁଣା  କୋଠାରେ ଉପଖଣ୍ଡ ଚିକିତ୍ସାଳୟ ସ୍ଥାପନ କରି ସହରବାସୀଙ୍କୁ ଚିକିତ୍ସା ସୁବିଧା କରିବାକୁ ଗୁହାରୀ କରିଛନ୍ତି। ସେହିପରି ପଦଯାତ୍ରୀ ଶ୍ରୀ ପଣ୍ଡାଙ୍କୁ  ନେଇ ପୂର୍ବତନ ବିଧାୟକ ଶ୍ରୀ ପାଣିଗ୍ରାହୀ, ସମ୍ବଲପୁର ସାଂସଦ ନୋମିନୀ ତଥା ବିଜେପି  ଜିଲ୍ଲା ସଭାପତି ଅରୁଣ କୁମାର ସାହୁ ଓ ଭାରପ୍ରାପ୍ତ  ପୌରାଧ୍ୟକ୍ଷ ପ୍ରଜିତ କୁମାର ଭୋଜ(ଝୁନୁ)ଙ୍କ ସହ ଜିଲ୍ଲା ବିଜେପି ଉପାଧ୍ୟକ୍ଷ ସତ୍ୟନାରାୟଣ  ପାଣି(ଟିଲୁ), କାଉନସିଲର୍‌ ମଧୁସୁଦନ ବାଘ,  କାର୍ତ୍ତିକ ମହାକୁଳ ତଥା ଦଳୀୟ କର୍ମୀ ଦେବାନନ୍ଦ  ନାଏକ ଓ କ୍ଷୀରୋଦ ବିହାରୀ ପ୍ରଧାନ(କୁନା)  ପ୍ରମୁଖ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଠାରେ  ପହଞ୍ଚି ପୁଣି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।