ଭୁବନେଶ୍ୱର, ୨୨/୦୮: ପଦୋନ୍ନତି ହେଉ କି ବଦଳି ହୋଇଥିବା କୃଷି ଅଧିକାରୀ ଚଳିତ ମାସ ୩୧ ତାରିଖ ସୁଦ୍ଧା ଚାକିରିରେ ଯୋଗ ଦିଅନ୍ତୁ। ଏହା ନହେଲେ ସମ୍ପୃକ୍ତ ଅଧିକାରୀଙ୍କର ସେପ୍ଟେମ୍ବର ମାସରେ ଦରମା ବନ୍ଦ କରି ଦିଆଯିବ । କୃଷି ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି ।
କୃଷି ବିଭାଗ ପ୍ରମୁଖ ସଚିବ ଡ. ଅରବିନ୍ଦ କୁମାର ପାଢୀ ଏକ ଆଦେଶନାମା ଜାରିକରି ଉଲ୍ଲେଖ କରିଛନ୍ତି ଯେ, ଅଧିକାରୀମାନେ ବିଳମ୍ୱ ନ କରି ସେମାନଙ୍କର ନିଯୁକ୍ତ ସ୍ଥାନରେ ଯୋଗ ଦେବା ଉଚିତ । କୌଣସି ପରିସ୍ଥିତିରେ ସରକାରୀ ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ସ୍ଥଗିତ ରଖାଯିବ ନାହିଁ । ନିଯୁକ୍ତି ଆଦେଶର ପରିବର୍ତ୍ତନ ପାଇଁ ଅନୈତିକ ବାହ୍ୟ ପ୍ରଭାବ ଆଣିବାର ପ୍ରୟାସ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରମୁଖ ସଚିବ ଚେତାବନୀ ଦେଇଛନ୍ତି । କୃଷି ନିର୍ଦ୍ଦେଶାଳୟ, କ୍ଷେତ୍ର ପ୍ରତିଷ୍ଠାନର ମୁଖ୍ୟଙ୍କ ସମେତ ସମସ୍ତ ଅଧିକାରୀମାନଙ୍କୁ ଆଦେଶ ପାଳନ ଉପରେ ନଜର ରଖିବାକୁ ଏବଂ କୌଣସି ଅଧିକାରୀ କାର୍ଯ୍ୟସ୍ଥଳରେ ଯୋଗ ଦେଉନଥିଲେ ଏହା ବିଭାଗକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।