କୋଣାର୍କ,୨୧/୧୧ : କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନେ ଏଣିକି ନୂଆ ରୂପରେ ସୂର୍ଯ୍ୟମନ୍ଦିର ଲାଇଟ ଆଣ୍ଡ ସାଉଣ୍ଡ ଶୋ ଦେଖିବାକୁ ପାଇବେ। ଶୁକ୍ରବାର ସନ୍ଧ୍ୟାରେ ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ସିଷ୍ଟମକୁ ଉଦଘାଟନ କରିଛନ୍ତି । ସୂର୍ଯ୍ୟମନ୍ଦିର ଦକ୍ଷିଣ ପୂର୍ବ ପାର୍ଶ୍ବରେ ୮ଟି ଅତ୍ୟାଧୁନିକ ପ୍ରୋଜେକ୍ଟର ମାଧ୍ୟମରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ପାଇଁ ବ୍ୟବସ୍ଥା ହୋଇଛି । ୪୦ମିନିଟର କାହାଣୀ ସୂର୍ଯ୍ୟ ମନ୍ଦିରରେ ପ୍ରଦର୍ଶିତ ହେଉଛି । ଓପନ ସାଉଣ୍ଡ ସିଷ୍ଟମରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ପର୍ଯ୍ୟଟକମାନେ ଏହାକୁ ମନ ଭରି ଉପଭୋଗ କରିବେ।

 

ଏକକାଳୀନ ୩ଶହରୁ ଅଧିକ ପର୍ଯ୍ୟଟକ ବସିବା ଭଳି ସ୍ବତନ୍ତ୍ର ଚେୟାର ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ୬ଟା ୩୦ରୁ ୭ଟା ୧୦ ଏବଂ ୭ଟା ୩୦ରୁ ୮ଟା ୧୦ପର୍ଯ୍ୟନ୍ତ ଦୁଇଟି ଶୋ ଚାଲିବ । ଗ୍ରୀଷ୍ମଦିନରେ ସମୟ ପରିବର୍ତ୍ତନ କରାଯିବ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ, ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପ୍ରତୀକ ସିଂ, ଏଏସଆଇ ସର୍କଲ ସୁପରିଣ୍ଟେଣ୍ଡାଣ୍ଟ ଡଃ ଡିବି ଗଡ଼ନାୟକ, ପର୍ଯ୍ୟଟନ ସହ ନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।