ଭୁବନେଶ୍ୱର,୨୬/୧୧ : ଭୂସମ୍ପଦ ତଥ୍ୟାବଳୀ ରଥ ବା ଲ୍ୟାଣ୍ଡ ରିସୋର୍ସ ଇନଭେଣ୍ଟରିର ଶୁଭାରମ୍ଭ ଆଜି କୃଷି ଭବନ ଠାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ କରକମଳରେ ଅନୁଷ୍ଠିତ ହୋଇଛି । ଏଲ.ଆର୍.ଆଇ ଯାତ୍ରା REWARD pilotପ୍ରକଳ୍ପ ଅନ୍ତର୍ଗତ ୫ଟି ଜିଲ୍ଲା (ନୟାଗଡ଼, କୋରାପୁଟ, ସମ୍ବଲପୁର, ଢେଙ୍କାନାଳ ଏବଂ ଦେବଗଡ଼)ର ବିଭିନ୍ନ ପଞ୍ଚାୟତରେ ଆରମ୍ଭ ହେବ । ଏଥିରେ ଦେବଗଡ଼ ଜିଲ୍ଲାର ୮ଟି, ଢେଙ୍କାନାଳର ୧୪ଟି, କୋରାପୁଟର ୧୬ଟି, ନୟାଗଡ଼ର ୧୯ଟି ଏବଂ ସମ୍ବଲପୁରର ୨୨ଟି ପଞ୍ଚାୟତ ଅନ୍ତର୍ଭୁକ୍ତ ଅଟେ । ଉପରୋକ୍ତ ଜିଲ୍ଲାମାନଙ୍କରେ ଭୂସମ୍ପଦ ତଥ୍ୟାବଳୀ ରଥ ଆଜିଠାରୁ ଆରମ୍ଭ ହେଇ ଏକ ମାସ ପର୍ଯ୍ୟନ୍ତ ଚାଲିବ।
ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଲେ ଯେ, ଭୂସମ୍ପଦ ତଥ୍ୟକୁ ବ୍ୟବହାର କରି ଏଲ. ଆର୍.ଆଇ କାର୍ଡ଼ ପ୍ରସ୍ତୁତ କରାଯାଇଛି । ଏହି କାର୍ଡ଼ ବ୍ୟବହାର କରି ଚାଷୀ ଭାଇ ଓ ଭଉଣୀମାନେ ଜମିର ଉପାଦେୟତା, ଉପଯୁକ୍ତ ଫସଲ, ମାଟିର ସମସ୍ୟା ଓ ପ୍ରସ୍ତାବିତ ଉପଚାର ସମ୍ପର୍କରେ ଜାଣିପାରିବେ । ଏହି କାର୍ଡର ବ୍ୟବହାର ଦ୍ଵାରା ଚାଷୀ ଭାଇ ଓ ଭଉଣୀ ମାନେ ନିଜ ଜମିର ବିଭିନ୍ନ ଭୌତିକ ଓ ରାସାୟନିକ ଗୁଣବତ୍ତା ବିଷୟରେ ଜାଣିବା ସହ ଫସଲ ଚୟନ, ସାର ପରିଚାଳନା, ମୃତ୍ତିକା ସଂରକ୍ଷଣ ଉପାୟ ଓ ଉପଯୁକ୍ତ ଜଳ ସଂରକ୍ଷଣ ପଦ୍ଧତି ଆଦି ନିର୍ଦ୍ଧାରଣ କରିପାରିବେ।
ଏଲ.ଆର୍.ଆଇ ତଥା ବିଜ୍ଞାନଭିତ୍ତିକ ଜଳ ବିଭାଜିକା ପରିଚାଳନା ସମ୍ଵନ୍ଧରେ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଅବଗତ କରାଇବା ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ଏହି ଯାତ୍ରା ମାଧ୍ୟମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ନିର୍ଦ୍ଦେଶାଳୟ ଦ୍ୱାରା ଆବଣ୍ଟିତ ଏଲଆରଆଇ କାର୍ଡ଼ର ଉପାଦେୟତା ସମ୍ପର୍କରେ ଚାଷୀମାନେ ବିଶେଷ ଭାବରେ ଅବଗତ ହୋଇପାରିବେ । ଏତଦ୍ ବ୍ୟତୀତ ଉପ ଜଳବିଭାଜିକା ଅନ୍ତର୍ଗତ ନୂତନ କାର୍ଯ୍ୟର ଶୁଭାରମ୍ଭ ଓ ଭୂମି ପୂଜନ, ଏଲଆରଆଇ ମହୋତ୍ସବ, ଶ୍ରମଦାନ, ପାନୀ କି ପାଠଶାଲା ତଥା ପୂର୍ବ ସମ୍ପାଦିତ କାର୍ଯ୍ୟାବଳୀର ଲୋକାର୍ପଣ ମଧ୍ୟ ହେବ। ସଂପୃକ୍ତ ଜଳ ବିଭାଜିକା ଅଞ୍ଚଳ ଅନ୍ତର୍ଗତ ଚାଷୀ ସମୁହଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଅଟେ । ଏଲ.ଆର୍.ଆଇ କାର୍ଡ଼ର ତଥ୍ୟାବଳୀକୁ ବ୍ୟବହାର କରି ଲାଭବାନ ହୋଇଥିବା ଚାଷୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବାର ପରିକଳ୍ପନା କରାଯାଇଛି ବୋଲି କୃଷି ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ କହିଥିଲେ । ତତ୍ ସହିତ ଆଗାମୀ ପିଢ଼ିକୁ ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ପରିଚାଳନା ସମ୍ଵନ୍ଧରେ ଅବଗତ କରାଇବା ପାଇଁ ପଞ୍ଚାୟତ ସ୍ତରରେ ବିଦ୍ୟାଳୟମାନଙ୍କରେ କୁଇଜ ପ୍ରତିଯୋଗିତା ଆୟୋଜନ ହେବ। ଏହି ଯାତ୍ରାରେ ନିୟୋଜିତ ଭୁସମ୍ବଳ ତଥ୍ୟାବଳୀ ରଥର ଗତିବିଧି ଏମଆଇଏସ୍ ମୋବାଇଲ ଆପ୍ଲିକେସନ୍ ମାଧ୍ୟମରେ ପର୍ଯ୍ୟବେକ୍ଷଣ କରାଯିବ।
ଏହାର ସୁବ୍ୟବହାର ଦ୍ଵାରା ଜଳ ବିଭାଜିକା ଅଞ୍ଚଳରେ ଫସଲ ଅମଳ ବୃଦ୍ଧି ହେବାସହ ମୃତ୍ତିକା ଓ ଜଳ ସଂରକ୍ଷଣ ହୋଇପାରିବ ଯାହାକି ଜଳ ଛାୟା ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ଡା, କୃଷି ଅଧିକାରୀ, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଅଧିକାରୀମାନେ ଏହି ଅବସରରେ ଉପସ୍ଥିତଥିଲେ ।