ନୂଆଦିଳ୍ଳୀ,୮।୪: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ମତଦାନ ତାରିଖ ପାଖେଇ ଆସୁଛି। ଏହା ସହିତ ତୃଣମୂଳ କଂଗ୍ରେସ (ଟିଏମସି) ନିର୍ବାଚନ କମିଶନ ଏବଂ ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରତି ଆକ୍ରାମକ ହେବାରେ ଲାଗିଛି। ତୃଣମୂଳ କଂଗ୍ରେସ ନିର୍ବାଚନ କମିଶନରଙ୍କୁ ବିଜେପି ସପକ୍ଷରେ ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛି। ପଶ୍ଚିମବଙ୍ଗରେ ଏସଆଇଆର ପରେ ୯୦.୬୬ ଲକ୍ଷ ଭୋଟରଙ୍କ ନାମ ବାଦ ଦିଆଯିବାର ପ୍ରତିବାଦରେ ବୁଧବାର ଦିଲ୍ଲୀରେ ଟିଏମସିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଭେଟିଥିଲେ। ଏହି ବୈଠକ ମାତ୍ର ସାତ ମିନିଟ୍ ଚାଲିଥିଲା। ଟିଏମସି ଅଭିଯୋଗ କରିଛି ଯେ ମୁଖ୍ୟ ନିର୍ବାଚନ କମିଶନର ସେମାନଙ୍କ କଥା ଶୁଣି ନଥିଲେ ଏବଂ ସାତ ମିନିଟ୍ ଆଲୋଚନା ପରେ ସେମାନଙ୍କୁ କହିଥିଲେ ଗେଟ୍‌ ଲଷ୍ଟ ବା ଏଠାରୁ ବାହାରି ଯାଅ।’

ନିର୍ବାଚନ କମିଶନ ମଧ୍ୟ ଏହାର ଉତ୍ତର ରଖିଛନ୍ତି,  ଟିଏମସି ସାଂସଦ ଡେରେକ୍ ଓ'ବ୍ରାଏନ୍ ବୈଠକରେ ଚିତ୍କାର କରି କହିଥିଲେ, କହିଥିଲେ, ଆମେ ଏଠାକୁ ଶୁଣିବାକୁ ଆସିନାହୁଁ।ଏହା ପରେ, ବୈଠକରେ ପରିବେଶ ହୋଇଯାଇଥିଲା ଖୁବ୍ ସରଗରମ। ​ ସେପେଟ​‌ ଡେରେକ୍ ଓ'ବ୍ରାଏନ୍ କହିଛନ୍ତି, ନିର୍ବାଚନ କମିଶନଙ୍କ ବୈଠକ ସାତ ମିନିଟ୍ ଧରି ଚାଲିଥିଲା। ମୁଖ୍ୟ ନିର୍ବାଚନ କମିଶନ ଆମକୁ ‘ଗେଟ୍ ଲଷ୍ଟ’ କହିଥିଲେ। ଆମେ ସଂସଦରେ ଦ୍ୱିତୀୟ ବୃହତ ଦଳ, ତଥାପି ଆମର ମତାମତ ଶୁଣାଯାଇ ନଥିଲା।’ତେବେ ନିର୍ବାଚନ କମିଶନଙ୍କ ପକ୍ଷରୁ ମଧ୍ୟ ସଫେଇ ଦିଆଯାଇଛି ଓ ଟିଏମସି ନେତାଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଯାଇଛି।

ଟିଏମସି ରାଜ୍ୟସଭା ସାଂସଦ ଡେରେକ୍ ଓ'ବ୍ରାଏନ୍ ବୈଠକ ପରେ ମିଡିଆ ସହ କଥା ହୋଇ ନିର୍ବାଚନ କମିଶନଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଟିଏମସିର କହିବା ଅନୁସାରେ ୭ ମିନିଟରେ ବୈଠକ ଶେଷ ହୋଇଯାଇଥିଲା। ଓ’ବ୍ରାଏନଙ୍କ କହିବା ଅନୁସାରେ, ଜ୍ଞାନେଶ କୁମାରଙ୍କ ବ୍ୟତୀତ କୌଣସି ଅନ୍ୟ ନିର୍ବାଚନ କମିଶନ୍ ଗୋଟିଏ ବି ଶବ୍ଦ କହିନଥିଲେ। ସିଇସି ଜ୍ଞାନେଶ କୁମାର ଆମକୁ କେବଳ କହିଥିଲେ, ​‌ଗେଟ୍‌ ଲଷ୍ଟ। ଆମେ ନିର୍ବାଚନ କମିଶନଙ୍କୁ ଏହି ବୈଠକର ଟ୍ରାନ୍ସକ୍ରିପ୍ଟ ପ୍ରକାଶ କରିବାକୁ ଚ୍ୟାଲେଞ୍ଜ କରୁଛୁ। ନଚେତ୍, ଆମେ ଏହାକୁ ପ୍ରକାଶ କରିବୁ।

ଅନ୍ୟପକ୍ଷେ ନିର୍ବାଚନ କମିଶନ୍ ଟିଏମସିର ଦାବିକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି। କମିଶନଙ୍କ ସୁତ୍ରରୁ କୁହାଯାଇଛି ଡେରେକ୍ ଓ'ବ୍ରାଏନ୍ ନିର୍ବାଚନ କମିଶନଙ୍କ ଉପରେ ଚିଲାଇବା ସହ ଅଭଦ୍ର ବ୍ୟବହାର କରିଥିବାରୁ ତାଙ୍କୁ ମୁଖ୍ୟ ନିର୍ବାଚନ କମିଶନ କହିବାକୁଦେଇନଥିଲେ। ସିଇସି ଜ୍ଞାନେଶ କୁମାର ଓ'ବ୍ରାଏନଙ୍କୁ ମର୍ଯ୍ୟାଦାର ସହ କଥା ହେବାକୁ ଅନୁରୋଧ କରିଥିଲେ। ଏହା ସହ କହିଥିଲେ କମିଶନଙ୍କ କକ୍ଷରେ ଚିଲାଇବା ଓ ଅଭଦ୍ର ବ୍ୟବହାର କରିବା ଉଚିତ୍ ନୁହେଁ। ସିଇସି ଟିଏମସି ନେତାଙ୍କୁ କେବଳ ସିଧା ଓ ସ୍ପଷ୍ଟ କଥା କହିଥିଲେ, ଯାହାକୁ ସେ ଗ୍ରହଣ କରିନଥିଲେ। ନିର୍ବାଚନ କମିଶନର ଅଧିକାରୀମାନେ କହିଛନ୍ତି ଯେ ଓ'ବ୍ରାଏନ୍ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିତ୍କାର କରିଥିଲେ ଏବଂ ତାଙ୍କୁ ଚୁପ୍ ରହିବାକୁ କହିଥିଲେ।

ନିର୍ବାଚନ କମିଶନଙ୍କ ଘୋଷଣାର ତୁରନ୍ତ ପରେ କମିଶନ ବଙ୍ଗଳାର ମୁଖ୍ୟ ସଚିବ, ଡିଜିପି ଓ ଗୃହ ସଚିବଙ୍କ ସହିତ ବହୁ ବରିଷ୍ଠ ଅଧିକାରୀଙ୍କୁ ବଦଳି କରିଦେଇଥିଲେ, ଯାହାକୁ ମମତା ବାନାର୍ଜୀ ଏକତରଫା ବୋଲି କହିଛନ୍ତି। ସେଭଳି ଟିଏମସି ଅଭିଯୋଗ କରିଛି ଯେ, ଏସଆଇଆର ନାଁରେ ବଙ୍ଗଳାର ଲକ୍ଷ ଲକ୍ଷ ମତଦାତାଙ୍କ ନାଁ କାଟି ଦିଆଯାଇଛି। ଏହି ଘଟଣା ପରେ, ନିର୍ବାଚନ କମିଶନ ତାଙ୍କ ଅଫିସିଆଲ୍ ଆକାଉଣ୍ଟରୁ ଏକ ପୋଷ୍ଟରେ ତୃଣମୂଳ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କମିଶନ ପୋଷ୍ଟରେ ଲେଖିଛନ୍ତି, ‘ଏଥର ପଶ୍ଚିମବଙ୍ଗରେ ନିର୍ବାଚନ ଭୟମୁକ୍ତ, ହିଂସାମୁକ୍ତ, ଭୟଭୀତ, ପ୍ରଲୋଭନମୁକ୍ତ,ଚଢାଉ ଏବଂ ବୁଥ୍ କ୍ୟାପଚରିଂ ବିନା ହେବ।’ ପଶ୍ଚିମବଙ୍ଗରେ ଏପ୍ରିଲ ୨୩ରେ ୧୫୨ଟି ଆସନ ପାଇଁ ଏବଂ ଏପ୍ରିଲ ୨୯ରେ ୧୪୨ଟି ଆସନ ପାଇଁ ଭୋଟ୍ ନିଆଯିବ। ଏକ ଶାନ୍ତିପୂର୍ଣ୍ଣ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ, ରାଜ୍ୟରେ ୨୪୦୦ କମ୍ପାନୀ ସୁରକ୍ଷା ବାହିନୀ ଏବଂ ୩୦୦୦ ସଶସ୍ତ୍ର ବାହିନୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ନିର୍ବାଚନ ପରବର୍ତ୍ତୀ ହିଂସାକୁ ରୋକିବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ, ଭୋଟ ଗଣତି ପରେ ମଧ୍ୟ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍‌) ର ୫୦୦ କମ୍ପାନୀ ନିୟୋଜିତ ରହିବେ।