କମ୍ କି ବେଶି ସେକଥା ତ କହିପାରିବିନି, ହେଲେ ଧାଁ ଧପଡ଼ରେ ବନ୍ଧା ସହରୀ ଜୀବନରେ ବଣ ପାହାଡ଼ଘେରା ପ୍ରକୃତି ମାଆଠୁଁ ଯେତେବେଳେ ବି ମତେ ଡାକରାଟିଏ ମିଳିଛି ତା'ସହ ମିଶି ଯିବାର ସୁଯୋଗକୁ କେବେ ମୁଁ ହାତଛଡ଼ା ହେବାକୁ ଦେଇନି । ଉଭିଦ ବିଜ୍ଞାନ ପାଠ ପଢ଼ିଲା ବେଳଠୁଁ ତା’ମାନେ ଅଶି ଦଶକରୁ ଗଛଲତାର ଏ ମୋହ ଆହୁରି ଜକେଇ କରି ଧରିନେଇଛି ମତେ । ଜୀବନ ଜଞ୍ଜାଳର ଅସ୍ତାବଳରୁ ପଘା ଫିଠାଇ ଏବେବି କ୍ୱଚିତ୍ ଧାଇଁଯାଏ ମୁଁ ରହୁଥିବା ଛୋଟିଆ ସହରଟିକୁ ବେଢ଼ିରହିଥିବା ସେଇ ଅନୁଚ୍ଚ ପାହାଡ଼ଗୁଡ଼ିକର ପାଦଦେଶକୁ । ତହିଁ ପାହାଡ଼ଟି ସହ ରାଶି ରାଶି ଦିନ ବିତାଇଥିବା କିନ୍ତୁ ଏବେକାର ବିକଟ ସ୍ଥିତିରେ ନିଜ ଅସ୍ତିତ୍ୱ ନେଇ ସନ୍ଦିହାନ ଥିବା ନିପଟ ନଣ୍ଡା ପଥରଟିଏ ଉପରେ ବସିଯାଇ ମନେମନେ ହିସାବ କରୁଥାଏ ଦିନୁଦିନ ଅପସରି ଯାଉଥିବା ସେଇ ଦରଛିଣ୍ଡା ଶାଗୁଆ ଆବରଣର ପରିସୀମାକୁ । ସେଇଠି ମୋର ମନକୁ ଅନେକ ସମୟରେ କିନ୍ତୁ ଚାଲିଆସିଥାଏ ଅଙ୍ଗେନିଭା କଥା ଗୋଟିଏ । ଥରେ ଢେଙ୍କାନାଳର ଏକ ଇଞ୍ଜିନିୟରିଂ କଲେଜରୁ ନୂଆ ହେଇ ଆସିଥିବା ପିଲାଙ୍କୁ ସମ୍ବୋଧିତ କରିବାକୁ ଡାକରାଟି ପାଇ ବଡିସକାଳୁ ଗାଡ଼ି ନେଇ ବଲାଙ୍ଗିରରୁ ବାହାରିଲି । ପାଖାପାଖି ଛଅଘଣ୍ଟାର ବାଟ । ସେଇଠୁ କାମ ସାରି ଫେରୁ ଫେରୁ ଛାଇ ଲମ୍ବିବାର ବେଳ ହେଲାଣି । ଗାଡ଼ିରେ କେବଳ ଡ୍ରାଇଭର ଆଉ ମୁଁ । କଲେଜରୁ ବାହାରି ଆସି ରାସ୍ତାକାମ ଚାଲିଥିବା ଧୂମାଭ୍ର ଜାତୀୟ ରାଜପଥରେ କିଛି ବାଟ ଆସିବା ପରେ ଦେଖିଲୁ ଯେ ଭୟଙ୍କର ଟ୍ରାଫିକ୍-ଜାମ୍ । ବିକଳରେ ଓହ୍ଲାଇପଡ଼ି ବୁଝାବୁଝି କରିବାରୁ ଜଣାପଡ଼ିଲା ଯେ, ଗଲା ଦୁଇଘଣ୍ଟା ଧରି ଏ ଅବସ୍ଥା । ଅଗତ୍ୟା ବିକଳ୍ପ ଚିନ୍ତା କରୁ କରୁ ପାଖାପାଖି ଦୁଇ କିଲୋମିଟର ପରେ ବୋଇଣ୍ଡା ଛକରୁ ଜଙ୍ଗଲ ମଧ୍ୟଦେଇ ଏକ ରାସ୍ତା ବୁଲି ବୁଲି ଯାଇ ଆଠମଲ୍ଲିକ ନିକଟରେ ପୁଣି ଆସି ଆମେ ଆସିଥିବା ରାସ୍ତାରେ ମିଶିଥିବା କଥାଟି ଜଣାପଡ଼ିଲା । ଅନ୍ୟ ଏକ ଗାଡ଼ିର ଡ୍ରାଇଭର ଭରସାରେ ଏକାଥରକେ ଚାରିଟି ଗାଡ଼ି ସେଇ ବାଟଟି ଧଇଲୁ ବେଳାବେଳି ଘରକୁ ଫେରିବାର ଆଶା ନେଇ ।
ସଦ୍ୟନିର୍ମିତ କଳା ମଚମଚ ପିଚୁରାସ୍ତାର ଦୁଇଧାରକୁ ଲାଗି ବେଶ୍ ଘଞ୍ଚଜଙ୍ଗଲ, କାଁ ଭାଁ ଝୁପୁଡ଼ିଘର ଗୋଟିଏ କି ଦି’ଟାକୁ ବାଦ୍ ଦେଇ । ରାସ୍ତା ସରିବାର ନାମ ନେଉନଥାଏ । ମୋ କ୍ଷୁଦ୍ର ମସ୍ତିଷ୍କର ଗୋଟିଏ ପଟକୁ ଅଳସ ଅପରାହ୍ନର ଆଶ୍ଳେଷରେ ଶୟନ-ଉଦ୍ୟତ କମନୀୟ ଅରଣ୍ୟର ଶୋଭା ମୋହିନେଉଥିବା ବେଳେ ଅନ୍ୟ ପଟଟି କିନ୍ତୁ ଛଟପଟ ହେଉଥାଏ ନିଘଞ୍ଚ ବନର ଛାତି ଉପରେ ଧାଉଁଥିବା ସର୍ପିଳ ରାସ୍ତା ଆଢୁଆଳରେ ଚାଲିଥିବା ବନ-ଦୋହନର ମୂକସାକ୍ଷୀଗୁଡ଼ିକୁ ଆଖିସାମ୍ନାରେ ପାଇ । କଥାଟି ମନକୁ ଚାଲିଆସିବା ମାତ୍ରକେ ଆପେ ଆପେ ହେତୁ ହୋଇଯାଏ ଯେ, ଏ ଭୂଖଣ୍ଡରେ ଏତେ ଅରଣ୍ୟ ଥାଇ ଆମେ ହୁଏତ ତାକୁ ହେପାଜତରେ ରଖିବା ଦାୟିତ୍ୱଟି ଏକବାରେ ଭୁଲିଯାଉଛେ ସିନା, ମରୁଦେଶ ଗୁଡ଼ିକରେ ଯେଉଁଠି ଏ ଅମୂଲ୍ୟ ସଂପଦଟି କେବଳ ସପନର ଅଧୀନରେ ଥାଏ, ସେଇଠି ବନ ଖଣ୍ଡିଏ ଆପଣେଇବା ପାଇଁ ଲୋକେ କେତେ ବିକଳ ହୁଅନ୍ତି ସତରେ!
ଏହି ପରିପ୍ରେକ୍ଷୀରେ ‘ସାଉଦି ଗ୍ରୀନ୍ ଇନିସିଏଟିଭ୍' ନାମରେ ନାମିତ ଏକ ଅନନ୍ୟ ପ୍ରଚେଷ୍ଟା ସଂପର୍କରେ କିଛି ଜାଣିନେଇ ଏ ଆଲୋଚନାକୁ ଆରମ୍ଭ କରିବା । ସାଉଦି ଆରବ ସରକାର ତଥା ବିଭିନ୍ନ ୱେବ୍ସାଇଟ୍ରେ ଦିଆଯାଇଥିବା ତଥ୍ୟରୁ ଏହି ବିଶାଳ ପ୍ରକଳ୍ପ ସମ୍ବନ୍ଧରେ ଅନେକ କଥା ଜଣାପଡ଼େ । ଏହି ପ୍ରକଳ୍ପ ମାଧ୍ୟମରେ ନିର୍ଦ୍ଧାରିତ ରୀତିରେ ବନୀକରଣର ସାହାଯ୍ୟ ନେଇ ମରୁଭୂମିକରଣକୁ ମାତ୍ ଦେବାର ଚେଷ୍ଟା କରାଯାଉଛି ବୋଲି କହିଲେ ଭୁଲ୍ ହେବନାହିଁ । ଯାହା ବିଚାର କରାଯାଇଅଛି ଯେ ଦେଶର ବିଭିନ୍ନ ଜାଗାରେ ପାଖାପାଖି ୧୦ ବିଲିଅନ ଗଛ ଲଗାଯିବ । ଏହା ହୁଏତ ୭୪ ମିଲିୟନ ହେକ୍ଟର ମରୁଜର୍ଜରିତ ଜମିକୁ ବ୍ୟବସ୍ଥିତ କରିଦେବ । ପୁଣି ଏହି ସାମଗ୍ରିକ ପ୍ରଚେଷ୍ଟାରେ ତାତିଲା ପରିବେଶୀୟ ଏକକଟିର ବାୟୁର ମାନ ସୁଧୁରିଯାଇ ଧୂଳିଝଡ଼ର ମାତ୍ରା ବି କମ୍ ହୋଇଯିବ ବୋଲି ଆକଳନ କରାଯାଇଅଛି ବିଶେଷଜ୍ଞ ମହଲରେ । ପୁଙ୍ଖାନୁପୁଙ୍ଖ ବିଚାର କରି ଅଙ୍ଗାରକ ନିର୍ଗମନ, ଭୂ-ଭାଗ ଓ ସାମୁଦ୍ରିକ ଅଂଶର ପରିବେଶାନୁକୂଳ ବିକାଶ, ଜୈବବିବିଧତା, ସ୍ୱଚ୍ଛ ବା ସବୁଜ ଶକ୍ତି ପରି ଆହୁରି କେତେ ବିଷୟକୁ ବି ଏଥିରେ ସାମିଲ କରାଯାଇଅଛି ।
୨୦୧୬ ମସିହାରେ ‘ଭିଜନ୍ ୨୦୩୦' ନାମରେ ପ୍ରସ୍ତାବିତ ଏହି ପ୍ରକଳ୍ପଟି ୨୦୨୧ ମସିହାରେ ଆରମ୍ଭ ହୋଇଥିବା କଥାଟି ବି ଏଥିରେ ଉଲ୍ଲେଖ ଅଛି । ଏଠାରେ ସାଉଦି ଆରବର ଜଳବାୟୁକୁ ନେଇ କିଛି ନକହିଲେ ପାଠକ ପ୍ରତି ଅବିଚାର ହେବ ବୋଲି ମୋର ଧାରଣା । ବ୍ରିଟାନିକାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ସେଠାରେ ମୁଖ୍ୟତଃ ତିନିପ୍ରକାର ଜଳବାୟୁ ଦେଖାଯାଏ, ପ୍ରାୟ ଦେଶଟିଯାକ ଖେଳେଇ ହୋଇ ରହିଥିବା ଉଷ୍ଣ ମରୁଭୂମି, ପଶ୍ଚିମ ପାଶ୍ୱର୍ରେ ଅବସ୍ଥିତ ‘ଷ୍ଟେପ୍' ବା ଖଣ୍ଡିତ ଚୃଣଭୂମି ଏବଂ ୟେମେନ୍ ନିକଟବର୍ତ୍ତୀ ଅଳ୍ପକିଛି ଆର୍ଦ୍ର ଉଚ୍ଚଭୂମି । ଦେଶଟିର ପ୍ରାୟ ଅଧିକାଂଶ ଅଞ୍ଚଳ ବର୍ଷାର ଅଭାବ ହେତୁ ଚରମ ଉଷ୍ଣ ଜଳବାୟୁ ଦ୍ୱାରା କବଳିତ ।
ପୁନଶ୍ଚ ‘କ୍ଲାଇମେଟ୍ ଚେଞ୍ଜ ପର୍ଫର୍ମେନ୍ସ ଇଣ୍ଡେକ୍ସ' ନାମକ ୱେବ୍ସାଇଟ୍ ସୂଚାଇଦିଏ ଯେ, ଏହି ଦେଶ ଜଳବାୟୁ ପରିବର୍ତ୍ତନ ମାନକରେ ୬୭ତମ ସ୍ଥାନରେ ରହି ଏ ଦିଗରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ତଥା ୨୦୬୦ ମସିହା ସୁଦ୍ଧା କାର୍ବନ ନିର୍ଗମନର ହାରକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ ଆଣିବାକୁ ସାଉଦି ଆରବର ଘୋଷଣାକୁ ମଧ୍ୟ ଏଥିରେ ସନ୍ଦେହ ଚକ୍ଷୁରେ ଦେଖାଯାଇଅଛି । ସେ ଯାହେଉ, ଏ କଥା ଶହେ ପ୍ରତିଶତ ସତ ଯେ ଏମିତି ବେଶି ନିର୍ଗମନ ଜାରି ରହିଲେ ଖଣିଜ ତୈଳ ବଳରେ ବଳୀୟାନ ଏହି ଧନୀ ରାଷ୍ଟ୍ର ଯେ, ଆଗକୁ ଜଳବାୟୁ ପରିବର୍ତ୍ତନର କୋପରୁ ବର୍ତ୍ତିବା ଅସମ୍ଭବ ହୋଇପଡିବ ବୋଲି ପରିବେଶ ବିଶେଷଜ୍ଞମାନେ ବାରମ୍ବାର ତାଗିଦ କରୁଛନ୍ତି । ‘ଜି-୨୦ କ୍ଲାଇମେଟ୍ ରିକ୍ସ ଏଟ୍ଲାସ୍'ରୁ ମଧ୍ୟ ଏ ନେଇ ଅନେକ ତଥ୍ୟ ମିଳିଥାଏ । ସେଥିପାଇଁ ହୋଇପାରେ ଏହି ‘ସାଉଦି ଗ୍ରୀନ୍ ଇନିସିଏଟିଭ୍' ଉପରେ ଜୋର୍ଦାର୍ କାମ ଚାଲିଛି । ଅନ୍ୟାନ୍ୟ ଅନେକ ବିଷୟ ସହ ଏହି କ୍ରମରେ ୨୦୩୦ ମସିହା ବେଳକୁ ଅତି କମ୍ରେ ୬୦୦ ମିଲିୟନ ବୃକ୍ଷ ରୋପଣ କରିବାର ଯୋଜନା କରାଯାଇଅଛି ଏ ପ୍ରକଳ୍ପଟିରେ ।
ଏ ତ ଗଲା ଗୋଟିଏ । ଆଉ ଏକ ଖୁବ୍ ସୁନ୍ଦର ଉଦାହରଣ ହେଉଛି ଭିନ୍ନ ଏକ ମରୁ ପ୍ରଦେଶ ଇସ୍ରାଏଲ୍ର ସବୁଜ ବିକାଶ । ପରିବେଶକୁ ବିଚାରକୁ ନେଲେ ଇସ୍ରାଏଲ୍ ଏକ ବିଚିତ୍ର ଦେଶ । ଭୂମଧ୍ୟସାଗରୀୟ ଜଳବାୟୁର ଅନ୍ତର୍ଭୁକ୍ତ ଏ ଦେଶର ଖରାବେଳ (ମେ-ସେପ୍ଟେମ୍ବର) ଭାରି ଗରମ ଓ ଶୁଖିଲା ହୋଇଥିବାବେଳେ ଶୀତକାଳ (ଅକ୍ଟୋବର-ଏପ୍ରିଲ) ଥଣ୍ଡା ଓ ଭିଜା ଭିଜା । ହେଲେ ଏଠାରେ ସବୁଠୁ ଜାଣିବାର କଥାଟି ହେଉଛି ଏହାର ଦକ୍ଷିଣରେ ଥିବା ‘ନେଗେଭ୍' ନାମକ ବିରାଟ ମରୁ ଅଞ୍ଚଳ, ଯାହାକି ଇସ୍ରାଏଲର ପାଖାପାଖି ୬୦ ପ୍ରତିଶତ ସ୍ଥଳଭାଗକୁ ଅକ୍ତିଆର କରି ରହିଛି । ନେଗେଭ୍ର ବିକାଶ ସହ ଜଡ଼ିତ ‘କେକେଏଲ୍-ଜେଏନ୍ଏଫ୍' ନାମକ ଏକ ସଂସ୍ଥା ପ୍ରଦାନ କରିଥିବା ତଥ୍ୟରୁ ଜଣାଯାଏ, ଆସ୍ଡଡ୍ ରୁ ଇଲାଟ୍ ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହି ମରୁଭୂମିଟି ପ୍ରାୟ ୧୪୪୭୫ ବର୍ଗକିଲୋମିଟର ଅଞ୍ଚଳରେ ରହିଥିବାବେଳେ ଏଠାରେ କେବଳ ଗୋଟିଏ ବର୍ଗକିଲୋମିଟର ଭିତରେ ୭୮ଜଣ ଲୋକ ବାସ କରିଥାନ୍ତି । କାହିଁକି ନା, ଏହାର ବାର୍ଷିକ ହାରାହାରି ବୃଷ୍ଟିପାତ ମାତ୍ର ୨୫ମି.ମି.ରୁ ୨୫୦ମି. ମି. ଭିତରେ ହିଁ ସୀମିତ ହୋଇଥାଏ । ଏହିପରି ପ୍ରତିକୂଳ ପରିସ୍ଥିତିକୁ ଦୃଢ଼ଭାବରେ ମୁକାବିଲା କରିବା ପାଇଁ ସେ ଦେଶର ସରକାର ଏ ଅଞ୍ଚଳରେ ବନୀକରଣ ମାଧ୍ୟମରେ ମରୁଭୂମିକରଣକୁ ରୋକିବାର ଏକ ଆଶ୍ଚର୍ଯ୍ୟଜନକ ପ୍ରଚେଷ୍ଟା ଆରମ୍ଭ କଲେ । ଏ ସଂକ୍ରାନ୍ତରେ ମାସାଚ୍ୟୁସେଟ୍ ଇଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ତରଫରୁ ୨୦୧୪ ମସିହାରେ ପ୍ରକାଶିତ ‘ଦ ନେଚର୍ ଅଫ୍ ନେଗେଭ୍' ନାମକ ଏକ ବିସ୍ତୃତ ରିପୋର୍ଟ ଦର୍ଶାଇଦିଏ ୧୯୦୧ ମସିହାରେ ଆରମ୍ଭ ହୋଇଥିବା ‘କେରେନ୍ କାଏମେଟ୍ ଏଲ' ଇସ୍ରାଏଲ୍ ବା ଜିଉଇସ୍ ନ୍ୟାସନାଲ୍ ଫଣ୍ଡ୍ ହେଉଛି ସେଇ ଦେଶର ଏକ ପ୍ରଧାନ ବେସରକାରୀ ସଂସ୍ଥା, ଯାହାକି ଉଭୟ ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ଥିର କରିବାରେ ତଥା ଅଞ୍ଚଳର ବିକାଶଧାରାକୁ ପ୍ରବହମାନ ରଖିବାରେ ନିରନ୍ତର ଭାବରେ କାର୍ଯ୍ୟ କରିଆସିଛି, ଏକାଦିକ୍ରମେ ଦଶନ୍ଧି ଦଶନ୍ଧି ଧରି ।
ଏହି ସଂସ୍ଥା ମାଧ୍ୟମରେ ଏକଶତାବ୍ଦୀ ମଧ୍ୟରେ ୨୪୦ ମିଲିୟନ ଗଛ ରୋପଣ କରାଯାଇ ପ୍ରାୟ ଏକଲକ୍ଷ ଏକର ଜମିରେ ସବୁଜିମା ଫେରାଇ ଅଣାଗଲାଣି । ଅନ୍ୟାନ୍ୟ ସୂତ୍ରରୁ ଜଣାଯାଏ, ସଂସ୍ଥାର ବନୀକରଣ ବିଭାଗର ଡାଇରେକ୍ଟର ୟୋସେଫ୍ ୱିଜ୍ଙ୍କ ତତ୍ତ୍ୱାବଧାନରେ ୧୯୬୪ ମସିହାରେ ‘ୟାତିର୍ ବନ'ର ପ୍ରଥମ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରକଳ୍ପଟିରେ ଏଲେପୋ ପାଇନ୍ ବା ଭୂମଧ୍ୟସାଗରୀୟ ସାଏପ୍ରେସ୍ ପରି କୋଣାକାର ବୃକ୍ଷସମୂହ ମୁଖ୍ୟ ହୋଇଥିଲେ ହେଁ ଓଲିଭ୍, ଡିମିରି, ଇଉକାଲିପଟ୍ସ ତଥା ଆକାଶିଆ ପରି ଗଛ ସାଙ୍ଗକୁ ଅଙ୍ଗୁର ଓ ବୁଦାଜାତୀୟ ଗଛସବୁକୁ ବୁଝି ବିଚାରି ଲଗାଯାଇଛି । ଅକ୍ଳାନ୍ତ ଚେଷ୍ଟାର ଫଳସ୍ୱରୂପ ଏହି ୟାତିର୍ ଜଙ୍ଗଲଟି ଉତ୍ତର ନେଗେଭ୍ ମରୁ ଅଞ୍ଚଳଟିକୁ ଏମିତି ରୂପାନ୍ତରିତ କରିଦେଇଛି ଯେ, ଏହା ବିଶ୍ୱର ଅନ୍ୟ ପ୍ରାନ୍ତର ଲୋକଙ୍କ ପାଇଁ ଶିକ୍ଷାଲାଭ କରିବାର ଏକ ପ୍ରକୃଷ୍ଟ ଉଦାହରଣ ରୂପରେ ବର୍ତ୍ତମାନ ଉଭା ହୋଇଛି ।
ଏକ ମରୁଭୂମିର ସବୁଜ ରୂପାନ୍ତରଣର ଭିନ୍ନ ଏକ ଦିଗ ଆମେ ଜୋଡାନ ଦେଶର ‘ଡେଡ୍ ସି ଉପତ୍ୟକା'ରେ ଥିବା ଅଲ୍ ଜଫା ଅଞ୍ଚଳରେ ଦେଖିପାରିବା । ‘ପର୍ମାକଲ୍ଚର୍' ବା ପ୍ରାକୃତିକ ଢାଞ୍ଚାରେ ବିକଶିତ ସଂସ୍ଥାନର ମୂଳମନ୍ତ୍ର ନେଇ ଗଢିଉଠିଥିବା ମରୁ ଖାଦ୍ୟ ଜଙ୍ଗଲଟି ଜଳଧାରଣ ଶକ୍ତିକୁ ମଧ୍ୟ ବେଶ୍ ବଢ଼ାଇ ଦେଇଥିବାର ନଜିର ରହିଛି । ଏକ୍ସନ୍ ଇକୋଲୋଜି ତରଫରୁ ପ୍ରକାଶିତ ଏକ ଆଲେଖ୍ୟରୁ ଏହା ସ୍ପଷ୍ଟ ଯେ, ଏକ ମରୁ ଉପତ୍ୟକା ଯେଉଁଠାରେ କି ବର୍ଷ ଭିତରେ ମାତ୍ର ୧୦୦ରୁ ୧୫୦ମି. ମି. ବର୍ଷା ହୋଇଥାଏ ସେଇ ଅଞ୍ଚଳରୁ ଦଶ ଏକର ମାତ୍ର ନିଜ ହାତକୁ ନେଇ ଜିଓଫ୍ ଲଟନ୍ ନାମକ ଜଣେ ଉତ୍ସାହୀ ମଣିଷ ବର୍ଷାରେ ପ୍ରତି ବୁନ୍ଦା ଜଳକୁ ସୁରକ୍ଷିତ ରଖିବାକୁ ପ୍ରୟାସ କରି ଅସମ୍ଭବ ସଫଳତା ହାସଲ କରିଥିଲେ ।
ଏହିପରି ମରୁ ଅଞ୍ଚଳଗୁଡ଼ିକୁ ପୁନଃ ଶସ୍ୟଶ୍ୟାମଳା କରିବାକୁ ବିଶ୍ୱସ୍ତରରେ ଅନେକ ପ୍ରୟାସ କରାଯାଇଛି । ଗୋବି ଭଳି ମରୁଭୂମିକୁ ବାନ୍ଧିରଖିବା ପାଇଁ ସତୁରି ଦଶକରୁ ଆରମ୍ଭ ହୋଇଥିବା ଚୀନ ଦେଶର ଥ୍ରୀ ନର୍ଥ ସେଲ୍ଟର୍ ଫରେଷ୍ଟ ପ୍ରୋଗ୍ରାମ ହେଉ, କି ଆଫ୍ରିକାର ସାହିଲ୍ ମରୁଭୂମିର କ୍ରମାଗତ ପ୍ରସାରକୁ ରୋକିବା ପାଇଁ ୧୫କି. ମି. ଚଉଡ଼ା ତଥା ୭୦୦୦କି.ମି. ଲମ୍ବର ସେ ଗଛଲଗା କାର୍ଯ୍ୟକ୍ରମ ଅବା ହେଉ, ଭାରତର ଥର୍ ମରୁଭୂମିରେ ବନୀକରଣ ପ୍ରକଳ୍ପ, ସବୁ ଭିତରେ ଯେଉଁ କଥାଟି ବାରି ହୋଇଯାଉଛି, ସିଏ ହେଉଛି ଜୀବରହିତ ଏକ ଅତି ଶୁଷ୍କ ପରିବେଶରୁ ଅନ୍ତତଃ ଚଳିହେଉଥିବା ଏକ ଅନୁକୂଳ ବାତାବରଣର ସୃଷ୍ଟି କରିବାର ଅଭିନବ ପ୍ରୟାସ ହିଁ ଏ ଅଦମ୍ୟ ଚେଷ୍ଟା । ଆମ ବିଶାଳ ଦେଶ ଭାରତରେ ଏହିପରି ଅନେକ ସ୍ୱଳ୍ପ ବୃଷ୍ଟି ଅଞ୍ଚଳ ସବୁ ରହିଥିଲେ ହେଁ କ୍ରମାଗତ ଭାବରେ ମରୁଭୂମିକରଣ ଜାରି ରହିଥିବା ପଶ୍ଚିମ-ଓଡ଼ିଶା ପରିପ୍ରେକ୍ଷୀରେ ଏହାର ମହତ୍ତ୍ୱ ଯେ କାହିଁରୁ କେତେ, ଏକଥାକୁ ଅସ୍ୱୀକାର କରିହେବନାହିଁ ।