ତେହେରାନ,୧୨/୦୩ : ଆମେରିକା, ଇସ୍ରାଏଲ ଏବଂ ଇରାନ ଭିତରେ ଚାଲିଥିବା ଯୁଦ୍ଧ ଦ୍ୱାଦଶ ଦିନରେ ପହଞ୍ଚିଛି । ଯୁଦ୍ଧର ପ୍ରଥମ ଦିନରେ ଅର୍ଥାତ ଫେବ୍ରୁଆରୀ ୨୮ ତାରିଖରେ ହିଁ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଓ ଅନ୍ୟ ୫୦ ଜଣ ଶୀର୍ଷ ନେତା ଓ କମାଣ୍ଡର ନିପାତ ହୋଇଥିଲେ । ଏହା ସତ୍ତ୍ଵେ ଇରାନ ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକା ସହ ଲଢ଼ୁଛି ଏବଂ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଲଢ଼ିବ ବୋଲି ଦାବି କରୁଛି । ତେବେ ଏହା କିଭଳି ସମ୍ଭବ ବୋଲି ପ୍ରଶ୍ନ ଉଠୁଛି । ରିପୋର୍ଟ ଅନୁସାରେ ଯୁଦ୍ଧ ଲଢ଼ିବା ଲାଗି ଇରାନ ସ୍ୱତନ୍ତ୍ର ରଣନୀତି ଆପଣାଇଛି । ଯାହାର ନାମ ରଖାଯାଇଛି ଡିସେଣ୍ଟ୍ରାଲାଇଜ୍ଡ ମୋଜେକ ଡିଫେନ୍ସ ।
ମୋଜେକ୍ ଅର୍ଥ ଟାଇଲରେ ପ୍ରସ୍ତୁତ ଛୋଟ ଛୋଟ ଖଣ୍ଡ । ଏହି ରଣନୀତି ଅନୁସାରେ ସେନାର କମାଣ କୌଣସି ଜଣେ ନେତା ବା କମାଣ୍ଡରଙ୍କ ପାଖରେ ନ୍ୟସ୍ତ ନାହିଁ । ଏହାକୁ ୭ଟି ସ୍ୱତନ୍ତ୍ର ଭାଗରେ ବାଣ୍ଟି ଦିଆଯାଇଛି । ସବୁ ଭାଗକୁ ଗୋଟିଏ ଲେଖାଏ ୟୁନିଟ୍ ଭାବେ ବାଣ୍ଟିଦିଆଯାଇଛି । ଏଥିସହ ପ୍ରତ୍ୟେକ ନେତା ବା କମାଣ୍ଡରଙ୍କ ଲାଗି ୪ ଜଣ ଉତ୍ତରାଧିକାରୀଙ୍କୁ ମଧ୍ୟ ପୂର୍ବରୁ ଚୟନ କରି ରଖାଯାଇଛି । ଯଦି କୌଣସି ନେତା ବା କମାଣ୍ଡରଙ୍କ ମୃତ୍ୟୁ ହୁଏ ତେବେ ଯୁଦ୍ଧ ପ୍ରଭାବିତ ହେବନାହିଁ । ସେହିଭଳି ରଣନୀତି ଅନୁସାରେ ଶତ୍ରୁ ଯଦି ସବୁ ତୁଙ୍ଗ ନେତା, ସେଣ୍ଟ୍ରାଲ କମାଣ୍ଡ ସେଣ୍ଟର ବା ମୁଖ୍ୟାଳୟ ଉପରେ ଆକ୍ରମଣ କରି ନଷ୍ଟ କରେ ତେବେ ଅନ୍ୟ ସିଷ୍ଟମ ଲଢ଼େଇ ଜାରି ରଖିପାରିବେ । ଆମେରିକା ଯୁଦ୍ଧ ଉପରେ ଦୀର୍ଘ ୧୦ ବର୍ଷ ଧରି ଗବେଷଣା କରିବା ପରେ ଇରାନ ଏହି ରଣନୀତି ପ୍ରସ୍ତୁତ କରିଥିବା ଏହାର ବିଦେଶ ମନ୍ତ୍ରୀ ଅବାସ ଅରାଘଚି କହିଛନ୍ତି । ଡିସେଣ୍ଟ୍ରାଲାଇଜ୍ଡ ମୋଜେକ ଡିଫେନ୍ସ ଆଇଆରଜିସି (ଇସ୍ଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍) ସହ ସବୁଠାରୁ ଅଧିକ ଯୋଡି ହୋଇରହିଛି ।
ପୂର୍ବତନ କମାଣ୍ଡର ମହମ୍ମଦ ଅଲି ଜାଫ୍ରି (୨୦୦୭-୨୦୧୯) ସମୟରେ ଏହାର ବିକାଶ ହୋଇଥିଲା । ଏହି ୭ ବ୍ୟବସ୍ଥା ଭିତରେ ରହିଛି ଆଇଆରଜିସି, ବସିଜ୍ ମିଲିସିଆ, ନିୟମିତ ସେନା, ମିସାଇଲ ୟୁନିଟ୍, ନୌସେନା ଓ ସ୍ଥାନୀୟ ୟୁନିଟ୍ । ଏସବୁ ବିଭାଗ ଗୋଟିଏ ନେଟୱର୍କରେ କାମ କରନ୍ତି । ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେଲେ ମଧ୍ୟ ସ୍ଥାନୀୟ ୟୁନିଟ୍କୁ କାର୍ଯ୍ୟ କରିବା ଲାଗି ସ୍ୱତନ୍ତ୍ର ଅଧିକାର ମିଳିଥାଏ । ଆମେରିକା ୨୦୦୧ରେ ଆଫଗାନିସ୍ତାନ ଉପରେ ଏବଂ ୨୦୦୩ରେ ଇରାକ ଉପରେ ଆକ୍ରମଣ କରିଥିଲା । ଇରାକର ତତ୍କାଳୀନ ରାଷ୍ଟ୍ରପତି ସଦ୍ଦାମ ହୁସେନଙ୍କ ଶାସନର ପତନ ଘଟିଥିଲା । ତାର କାରଣ ଥିଲା ଆମେରିକା ସେନା ଇରାକର ସେଣ୍ଟ୍ରାଲ କମାଣ୍ଡ ସିଷ୍ଟମକୁ ଧ୍ୱଂସ କରିବା । ଇରାନ ସେହି ଯୁଦ୍ଧରୁ ଏକଥା ଶିକ୍ଷାଲାଭ କରିଥିଲା ଯେ କେବଳ ସେଣ୍ଟ୍ରାଲ କମାଣ୍ଡ ଉପରେ ନିର୍ଭର କରିବା ବିପଜ୍ଜନକ ହୋଇପାରେ । ତେଣୁ ଇରାନ ତାର ସେନାକୁ ସେଣ୍ଟ୍ରାଲାଇଜ ନକରି ଭାଗଭାଗ କଲା । ସେହିଭଳି ଯୁଦ୍ଧରେ ଇରାନର ଯୁଦ୍ଧାସ୍ତ୍ରର ମଧ୍ୟ ବଡ ଭୂମିକା ରହିଛି । ଇରାନ ଶସ୍ତା ଅସ୍ତ୍ରଶସ୍ତ୍ର ତିଆରି କରୁଛି । ମାତ୍ର କିଛି ହଜାର ଡଲାରରେ ସାହେଦ ଡ୍ରୋନ ନିର୍ମାଣ କରୁଛି । କିନ୍ତୁ ଏହାକୁ ରୋକିବା ବା ଧ୍ୱଂସ କରିବା ଲାଗି ଆମେରିକାକୁ ବହୁମୂଲ୍ୟର ମିସାଇଲ ବ୍ୟବହାର କରିବାକୁ ପଡୁଛି । ଯୁଦ୍ଧ ଯେତେ ଲମ୍ବିବ ଆର୍ଥିକ ଓ ରାଜନୈତିକ ପ୍ରଭାବ ସେତେ ପଡିବ । ଇରାନର ଫୋକସ୍ ତୁରନ୍ତ ଯୁଦ୍ଧ ବିଜୟ ଉପରେ ନୁହେଁ । ଏହାର ଫୋକସ୍ ହେଉଛି ଶତ୍ରୁକୁ ଥକେଇ ପକାଇବା ଏବଂ ଶତ୍ରୁ ଉପରେ ପ୍ରବଳ ଆର୍ଥିକ ବୋଝ ପକାଇବା।
ଏହି ଖବରଟିକୁ ପଢନ୍ତୁ- ଆମେରିକା-ଇରାନ ଯୁଦ୍ଧକୁ ନେଇ ଦୁଇ ବର୍ଷ ପୂର୍ବେ ଭବିଷ୍ୟବାଣୀ କରିଥିଲେ ବେଜିଂର ଏହି ବିଶେଷଜ୍ଞ, କହିଥିଲେ ଯୁଦ୍ଧରେ ଜିତିବ କିଏ...