ସନ୍ଧ୍ଯାରେ ମନୋହର ପାରିକରଙ୍କ ଶେଷକୃତ୍ୟ: ସଚ୍ଚୋଟ ଓ ନିର୍ଭୀକ ରାଜନେତାଙ୍କ ସମ୍ପର୍କରେ କିଛି…

source:www.business-standard.com
ପାଣାଜି ୧୮/୩: କର୍କଟ ରୋଗରେ ପୀଡିତ ହୋଇ ବହୁ ଦିନ ଧରି ଯନ୍ତ୍ରଣା ଭୋଗିବା ପରେ ଗତକାଲି ସନ୍ଧ୍ୟାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର । ଆଜି ସନ୍ଧ୍ୟାରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ତାଙ୍କର ଶେଷ ଦର୍ଶନ ପାଇଁ ଗତକାଲିଠାରୁ ପାଣାଜି ସ୍ଥିତ ତାଙ୍କ ବାସଭବନରେ ନେତା, ମନ୍ତ୍ରୀ, ସମର୍ଥକ, ଶୁଭେଚ୍ଛୁ ଏବଂ ବନ୍ଧୁବାନ୍ଧବଙ୍କ ଭିଡ଼ ଲାଗିଛି।
ତାଙ୍କର ପାର୍ଥିବ ଶରୀରକୁ ପ୍ରଥମେ ପାଣାଜି ସ୍ଥିତ ରାଜ୍ଯ ବିଜେପି କାର୍ଯ୍ଯାଳୟ ଓ ପରେ କଳା ଏକାଡେମୀକୁ ନିଆଯିବ । ଅପରାହ୍ନ ୪ଟା ପର୍ଯ୍ୟନ୍ତ କଳା ଏକାଡେମୀରେ ତାଙ୍କ ପାର୍ଥିବ ଶରୀରକୁ ରଖାଯିବ। ସେଠାରେ ସର୍ବ ସାଧାରଣଙ୍କ ଦର୍ଶନ ପାଇଁ ବ୍ଯବସ୍ଥା କରାଯାଇଛି । ସନ୍ଧ୍ୟା ୫ଟାରେ ପାଣାଜିଠାରୁ ପ୍ରାୟ ୪ କିଲୋମିଟର ଦୂର କାମ୍ପାଲର ଏସ୍ଏଜି ଗ୍ରାଉଣ୍ଡରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।
ଆରଏସଏସ ସହ ପିଲାଦିନରୁ ସମ୍ପର୍କ
ପାରିକର ପିଲାଦିନରୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଦସ୍ୟ ଭାବେ ଯୋଗ ଦେଇଥିଲେ । ସ୍କୁଲରେ ପଢ଼ୁଥିଲାବେଳେ ଶେଷ ବର୍ଷ ଆଡକୁ ସେ ସଂଘରେ ଚିଫ୍ ଇନଷ୍ଟ୍ରକ୍ଟର ( ମୁଖ୍ୟ ପ୍ରଶିକ୍ଷକ) ଭାବେ ନିୟୋଜିତ ହୋଇଥିଲେ । ଆଇଆଇଟିରୁ ଡିଗ୍ରୀ ହାସଲ କଲା ପରେ ମାପସୁଆକୁ ଫେରି ନିଜର ବ୍ୟକ୍ତିଗତ ବ୍ୟବସାୟ ଜାରି ରଖିବା ସହିତ ସଂଘ କାର୍ଯ୍ୟ ବି ସଂଚାଳନ କରିଥିଲେ । ଏହାଯୋଗୁ ମାତ୍ର ୨୬ ବର୍ଷ ବୟସରେ ସେ ସଂଘଚାଲକ ପଦବିରେ ଅବସ୍ଥାପିତ ହୋଇଥିଲେ । ତାଙ୍କୁ ଅନେକ ସମୟରେ ଆରଏସଏସର ପ୍ରଚାରକ ବୋଲି ଆଖ୍ୟା ଦିଆଯାଇଥିଲା । କିନ୍ତୁ ପାରିକର ସବୁବେଳେ ସଂଘ ସହିତ ନିଜର ସମ୍ପର୍କକୁ ନେଇ ଗର୍ବ ଅନୁଭବ କରୁଥିଲେ । ସେ ଅନେକ ଥର ସାର୍ବଜନୀନ ଭାବେ ବୟାନ ଦେଇଥିଲେ କି ସଂଘରେ ସାମିଲ ହେବା ଯୋଗୁ ତାଙ୍କୁ ଶୃଙ୍ଖଳିତ ହେବା, ସାମାଜିକ ଦାୟିତ୍ୱ ନିର୍ବାହ କରିବା, ଜାତୀୟତାବାଦରେ ଉଦବୁଦ୍ଧ ହେବା ଏବଂ ପ୍ରଗତିଶୀଳ ଚିନ୍ତାଧାରା ସମ୍ପନ୍ନ ହେବାର ସୁଯୋଗ ମିଳିଥିଲା ।
ରାଜନୈତିକ ଜୀବନ
ଗୋଆରେ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ସହ ପ୍ରତିଦ୍ୱନ୍ଦ୍ୱିତା କରିବା ଲକ୍ଷ୍ୟରେ ପାରିକରଙ୍କୁ ଆରଏସଏସରୁ ବିଜେପିକୁ ଅଣାଯାଇଥିଲା । ସେ ୧୯୯୪ ମସିହାରେ ବିଜେପି ଟିକେଟରେ ଗୋଆ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୯ ମସିହା ଜୁନରୁ ନଭେମ୍ବର ମାସ ଯାଏଁ ସେ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିଥିଲେ । ସେ ପ୍ରଥମ ଥର ପାଇଁ ୨୦୦୦ ମସିହା ଅକ୍ଟୋବର ୨୪ରୁ ୨୦୦୨ ଫେବ୍ରୁଆରୀ ୨୭ ଯାଏଁ ଗୋଆର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୨୦୦୨ ଜୁନରେ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ଏବଂ ଆଉ ଥରେ ଏହି ପଦବିରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ । କିନ୍ତୁ ୨୦୦୫ ଜାନୁଆରୀରେ ଗୋଆ ବିଜେପିର ଚାରି ଜଣ ବିଧାୟକ ଇସ୍ତଫା ଦେବାରୁ ତାଙ୍କ ସରକାର ସଂଖ୍ୟାଗରିଷ୍ଠତା ହରାଇଥିଲା । ଏହାଯୋଗୁ କଂଗ୍ରେସର ପ୍ରତାପ ସିଂ ରାଣେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୭ରେ ଦିଗମ୍ବର କାମାତଙ୍କ ନେତୃତ୍ୱରେ କଂଗ୍ରେସ ବିଧାନସଭା ନିର୍ବାଚନରେ ବିଜୟ ଲାଭ କରିଥିଲା । କିନ୍ତୁ ୨୦୧୨ ମାର୍ଚ୍ଚରେ ପାରିକରଙ୍କ ନେତୃତ୍ୱରେ ବିଜେପି ଏବଂ ତା’ର ସହଯୋଗୀ ଦଳଗୁଡିକ ୨୪ଟି ଆସନରେ ଜିତି ବିପୁଳ ବିଜୟ ଲାଭ କରିଥିଲେ । ତେଣୁ ସେତେବେଳେ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲେ । ସେ ୨୦୧୪ ପର୍ଯ୍ୟନ୍ତ ଗୋଆର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । କିନ୍ତୁ ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ । ସେ ପ୍ରଥମେ ଗୋଆ ଛାଡିବାକୁ ଅମଙ୍ଗ ଥିଲେ ମଧ୍ୟ ପରେ ଏଥିପାଇଁ ରାଜି ହୋଇଥିଲେ । ସେ ୨୦୧୪ରୁ ୨୦୧୭ ଯାଏଁ ଏହି ପଦବିରେ ରହିଥିଲେ । ସେ ଏହି ସମୟରେ ୟୁପିରୁ ରାଜ୍ୟସଭାର ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ୨୦୧୭ରେ ସେ ପୁଣି ଗୋଆକୁ ଫେରି ଆଉ ଥରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ ।

ସଚ୍ଚୋଟ, ନିର୍ଭୀକ, ନିର୍ମଳ
ଭାରତର କିଛି ନିର୍ମଳ ଭାବମୂର୍ତ୍ତି ଏବଂ ଦକ୍ଷ ରାଜନେତାଙ୍କ ଗଣତି କରାଗଲେ, ସେମାନଙ୍କ ଭିତରେ ସ୍ଥାନ ପାଇବେ ମନୋହର ପାରିକର । ଖାଲି ନିଜର ସଚ୍ଚୋଟତା ନୁହେଁ, ବରଂ ନିଜର ସରଳ ଏବଂ ନିରାଡମ୍ବର ଜୀବନଯାପନ ପାଇଁ ସେ ବେଶ୍ ପ୍ରସିଦ୍ଧ । ଏହି କାରଣରୁ ଗୋଆର ଲୋକେ ତାଙ୍କୁ ଖୁବ୍ ଭଲ ପାଉଥିଲେ । କିନ୍ତୁ ତାଙ୍କର ଲୋକପ୍ରିୟତା ଖାଲି ଗୋଆ ଭିତରେ ସୀମିତ ନଥିଲା । ମୋଦି ସରକାର ଅମଳରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାମ କରି ବି ସେ ଯଥେଷ୍ଟ ସୁନାମ ଅର୍ଜନ କରିଥିଲେ । ତାଙ୍କରି କାର୍ଯ୍ୟକାଳ ସମୟରେ ଭାରତର ସେନା ପିଓକେ ଭିତରେ ପଶି ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା । ସେ ଏତେ ମାତ୍ରାରେ କର୍ମନିଷ୍ଠ ଥିଲେ ଯେ ଜୀବନର ଶେଷନିଃଶ୍ୱାସ ପର୍ଯ୍ୟନ୍ତ ନିଜର କର୍ତ୍ତବ୍ୟକୁ ସୂଚାରୁରୂପେ ସଂପାଦନ କରିବାକୁ ପ୍ରୟାସ କରିଥିଲେ । ଗୁରୁତର ଅସୁସ୍ଥତା ସତ୍ତେ୍ୱ ସେ ମୁଖ୍ୟମନ୍ତ୍ରୀ ଭାବେ ସମସ୍ତ କାର୍ଯ୍ୟ ନିର୍ବାହ କରୁଥିଲେ । ଏମିତିକି ନାକରେ ପାଇପ୍ ଲାଗିଥିବାବେଳେ ସେ ବିଧାନସଭାରେ ବଜେଟ ପ୍ରସ୍ତାବ ଆଗତ କରିଥିଲେ । ମୃତ୍ୟୁ ଆଗରେ ସେ ନିଜର ମୁଣ୍ଡ ନୁଆଁଇ ନଥିଲେ । କିନ୍ତୁ ମୃତ୍ୟୁକୁ ଆଜି ପର୍ଯ୍ୟନ୍ତ କିଏ ଜିତିପାରିଛି ଯେ? ତେଣୁ ପାରିକର ବି ଶେଷରେ ହାର ମାନିଲେ । ଆଉ ମୃତ୍ୟୁ ତାଙ୍କୁ ସବୁଦିନ ପାଇଁ କୋଳେଇ ନେଲା । ୧୯୫୫ ଡିସେମ୍ବର ୧୩ରେ ଗୋଆର ମାପୁସାରେ ଜନ୍ମିତ ମନୋହର ପାରିକରଙ୍କ ପୂରା ନାମ ହେଉଛି ମନୋହର ଗୋପାଲକ୍ରିଷ୍ଣା ପ୍ରଭୁ ପାରିକର । ସେ ମାରଗାଓ ସ୍ଥିତ ଲୟୋଲା ହାଇସ୍କୁଲରେ ପାଠ ପଢ଼ିଥିଲେ । ପରେ ( ୧୯୭୮ ମସିହାରେ) ବମ୍ବେ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜିରୁ ମେଟାଲର୍ଜି ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିଥିଲେ । କୌଣସି ରାଜ୍ୟର ବିଧାୟକ ହେବାରେ ସେ ହେଉଛନ୍ତି ପ୍ରଥମ ଆଇଆଇଟି ଇଞ୍ଜିନିୟର ।
ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଥିଲେ
୨୦୧୩ ମସିହାରେ ଗୋଆରେ ବିଜେପିର ଏକ ସମ୍ମିଳନୀ ସମୟରେ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦିଙ୍କୁ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ପାରିକର ହିଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ । ଏହାକୁ ଦଳର ଅଧିକାଂଶ ନେତା ଜୋରଦାର ସମର୍ଥନ କରିଥିଲେ । ଆଉ ତା’ ପରେ ଯାହା ହେଲା ତାହା ଇତିହାସ । ୨୦୧୪ରେ ମୋଦିଙ୍କ ନେତୃତ୍ୱରେ ବିଜେପି ଭାରତର ସାଧାରଣ ନିର୍ବାଚନରେ ବିପୁଳ ବିଜୟ ଲାଭ କରିଥିଲା ।
ପାରିକର ଓ ସର୍ଜିକାଲ ଷ୍ଟ୍ରାଇକ୍
ପାରିକର ପ୍ରତିରକ୍ଷା ମନ୍ତ୍ରୀ ଥିବା ସମୟରେ ୨୦୧୬ ସେପ୍ଟେମ୍ବର ୧୮ରେ ଉରି ସେନା କ୍ୟାମ୍ପ ଉପରେ ଆକ୍ରମଣ ହୋଇଥିଲା । ଏଥିରେ ଭାରତର ୧୯ ଜଣ ଯବାନ ପ୍ରାଣ ହରାଇଥିଲେ । ଏହାପରେ ଭାରତ ତା’ର ପ୍ରତିଶୋଧ ନେଇଥିଲା । ସେଇ ମାସ ୨୯ ତାରିଖରେ ଭାରତର ସେନା ପିଓକେ ଭିତରେ ପଶି ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା । ପାରିକର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଏହି ଅପରେସନର ତତ୍ତ୍ୱାବଧାନ କରିଥିଲେ ।

ସ୍କୁଟରରେ ବସି ବୁଲୁଥିଲେ
ସାଧାରଣତଃ ରାଜନେତାମାନେ ସବୁବେଳେ ନିଜର ଥାଟ ଦେଖାଇବାକୁ ଉଦ୍ୟମ କରିଥାନ୍ତି । କିନ୍ତୁ ପାରିକର ସେଭଳି ନଥିଲେ । ସେ ଅତି ସାଧାରଣ ଲୋକଙ୍କ ଭଳି ଜୀବନ ନିର୍ବାହ କରୁଥିଲେ । ଏମିତିକି ମୁଖ୍ୟମନ୍ତ୍ରୀ ପଦରେ ରହିବା ସତ୍ତେ୍ୱ ସେ ସ୍କୁଟରରେ ଗୋଆର ରାଜଧାନୀ ପାଣାଜୀର ବିଭିନ୍ନ ସ୍ଥାନରେ ବୁଲୁଥିଲେ ଏବଂ ଲୋକଙ୍କ ସମସ୍ୟା ବୁଝୁଥିଲେ । ସେ ମଧ୍ୟ ଦୋକାନ ଯାଇ ବିଭିନ୍ନ ଜିନିଷ କିଣୁଥିଲେ ଏବଂ ହୋଟେଲରେ ସାଧାରଣ ଲୋକଙ୍କ ସହ ଖାଉଥିଲେ । ଏହି କାରଣରୁ ତାଙ୍କୁ ସାଧାରଣ ଜନତାଙ୍କ ମୁଖ୍ୟମନ୍ତ୍ରୀ ବୋଲି କୁହାଯାଉଥିଲା ।

ଶେଷ ସମୟରେ ବି କାର୍ଯ୍ୟରତ ଥିଲେ
ପାରିକର ଗତ ବର୍ଷ ଠାରୁ କର୍କଟ ରୋଗରେ ପୀଡିତ ହୋଇଥିଲେ । ଏଥିପାଇଁ ତାଙ୍କୁ ବାରମ୍ବାର ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡୁଥିଲା । ମୃତ୍ୟୁ ପୂର୍ବର କିଛି ମାସ ତାଙ୍କ ଅବସ୍ଥା ଆହୁରି ଗୁରୁତର ହୋଇଯାଇଥିଲା । ଏମିତିକି ତାଙ୍କ ନାକରେ ପାଇପ୍ ଲାଗିଲା । ହେଲେ ଏହାକୁ ଖାତିର ନକରି ସେ ବିଧାନସଭାରେ ବଜେଟ ଆଗତ କରିଥିଲେ । ସେ ସେଇପରି ଅବସ୍ଥାରେ ଅନେକ ସରକାରୀ ପ୍ରକଳ୍ପର ଉଦ୍ଘାଟନ କରିଥିଲେ । ସେ ଦଳ ଏବଂ ସରକାରର ମୁଖ୍ୟ ଭାବେ ପ୍ରାୟ ସମସ୍ତ କାର୍ଯ୍ୟ କରୁଥିଲେ । ପ୍ରତିଦିନ ଅନେକ ଲୋକଙ୍କୁ ସାକ୍ଷାତ ବି କରୁଥିଲେ । ସେ ମୃତ୍ୟୁକୁ ଭୟ କରୁନଥିଲେ । ତାହା ସେ ନିଜ କାର୍ଯ୍ୟଧାରାରେ ଦେଖାଇ ଦେଇଗଲେ । ତାଙ୍କ ପରି ଜଣେ ନେତା ପାଇବା ବିରଳ । ତାଙ୍କର ମୃତ୍ୟୁରେ ଭାରତ ଜଣେ ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ ଏବଂ ଦକ୍ଷ ରାଜନେତାଙ୍କୁ ହରାଇଛି ।