କାର୍ତ୍ତିକ ପୂର୍ଣ୍ଣିମା ଦିନ ସମସ୍ତ ଦେବଦେବୀ ପୃଥିବୀ ପୃଷ୍ଠକୁ ଅବତରଣ କରିଥାନ୍ତି ଦୀପାବଳି ପାଳନ କରିବାକୁ,ଯାହାକୁ କୁହାଯାଏ ଦେବଦୀପାବଳି । ଏହି ଦିନ ଦେବଦେବ ମହାଦେବ ତ୍ରିପୁରାସୁରକୁ ବଧ କରି ଦେବଗଣଙ୍କୁ ଆଶ୍ୱସ୍ତ କରିଥିଲେ । ଦେବଗଣ କାଶୀଠାରେ ସମବେତ ହୋଇ ପ୍ରଭୁଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି ଦୀପ ଜଳାଇଥିଲେ । ଏଣୁ ପ୍ରତିବର୍ଷ କାଶୀରେ ଭବ୍ୟ ଦେବଦୀପାବଳି ଉତ୍ସବ ଆୟୋଜନ ହୋଇଥାଏ । ଏହି ପବିତ୍ର ଦିନରେ ବିଶେଷ ଉପାୟ କଲେ ରାହୁ-କେତୁ-ଶନି ଭଳି ଶକ୍ତ ଗ୍ରହଙ୍କର ଦୋଷରୁ ମୁକ୍ତି ମିଳିପାରେ ।
କ’ଣ କରିବେ ଉପାୟ...
ରାହୁ-କେତୁ ଦୋଷରୁ ମୁକ୍ତି ପାଇବା ଲାଗି ଏବଂ କୁଣ୍ଡଳୀରେ ଏହି ଦୁଇଗ୍ରହଙ୍କ ପ୍ରଭାବକୁ ସନ୍ତୁଳିତ କରିବା ଲାଗି ଦେବଦୀପାବଳି ଦିନ କୌଣସି ଶିବାଳୟକୁ ଯାଆନ୍ତୁ ଏବଂ ଗଙ୍ଗାଜଳ ଏବଂ କଞ୍ଚା ଗାଈକ୍ଷୀରରେ ଶିବଲିଙ୍ଗର ଅଭିଷେକ କରନ୍ତୁ । ଏଥିସହିତ ଶିବ ପଞ୍ଚାକ୍ଷରୀ ‘ଓମ୍ ନମଃ ଶିବାୟ’ ଜପ କରନ୍ତୁ ।
କୁଣ୍ଡଳୀରେ ଗୁରୁ ବୃହସ୍ପତି ପ୍ରଭାବ ଦୁର୍ବଳ ଥିଲେ ଭାଗ୍ୟ ଉଜ୍ୱଳ ହୁଏ ନାହିଁ କିମ୍ବା ଘରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହୋଇପାରିନଥାଏ । ଏହି ଦୋଷ ଦୂର କରିବା ଲାଗି ଦେବଦୀପାବଳି ଦିନ ଅଁଳା ଗଛ ମୂଳରେ ଦୀପ ଜାଳିବା ସହିତ ଏହି ଦେବ ବୃକ୍ଷକୁ ୭ଥର ପରିକ୍ରମା କରନ୍ତୁ । ଦେଖିବେ ଗୁରୁ ଗ୍ରହ ଶୁଭ ପରିଣାମ ଦେବା ଆରମ୍ଭ କରିବେ ।
ଅତି ମନ୍ଥର ଗତିରେ ଅତିକ୍ରମ କରୁଥିବା ଗ୍ରହରାଜ ଶନିଙ୍କ କୋପ ଦୃଷ୍ଟିରେ ରହିଲେ ଜୀବନରେ ଦୀର୍ଘ କାଳ ଧରି ସମସ୍ୟା ଲାଗି ରହେ । ଶନିଙ୍କ କୋପରୁ ରକ୍ଷା ପାଇବା ଲାଗି ଦେବ ଦୀପାବଳି ଦିନ କଳା ରାଶି ଦାନ କରନ୍ତୁ । ଏଥିସହିତ କଳା ରାଶି ଗଙ୍ଗା ନଦୀରେ ଅଥବା ନିକଟସ୍ଥ କୌଣସି ପବିତ୍ର ନଦୀରେ ପ୍ରବାହିତ କରି ଦିଅନ୍ତୁ । ଶନି ଦୋଷ ଜନିତ କଷ୍ଟ ନିଶ୍ଚୟ ଲାଘବ ହୋଇଯିବ।