ନୂଆଦିଲ୍ଲୀ, ୩୧/୧୨ : ପ୍ରତି ମ୍ୟାଚରେ ଦମଦାର ପ୍ରଦର୍ଶନ । ମ୍ୟାଚ ମାନେ ଶତକ । ଯିଏ ବି ତାଙ୍କ ରେକର୍ଡ ଶୁଣୁଛୁ ସେ ପ୍ରଂଶସା ନକରି ରହି ପାରୁନି । ତଥାପି ଭାରତୀୟ କ୍ରିକେଟ ଦଳରେ ତାଙ୍କର ସ୍ଥାନ ନାହିଁ । ପୁଣିଥରେ ଚୟନକର୍ତ୍ତାଙ୍କ ଉପରେ ଉଠିଛି ପ୍ରଶ୍ନବାଚୀ । ଯୁବ କ୍ରିକେଟର ଦେବିଦତ୍ତ ପାଡିକଲଙ୍କ ପ୍ରଦର୍ଶନ ଏବେ ବିଜୟ ହଜାରେ ଟ୍ରଫିରେ ଉଚ୍ଚ କୋଟିର ରହିଛି । ତେବେ ଭାରତୀୟ ଦଳରେ ତାଙ୍କ ସ୍ଥାନ ମିଳୁ ବୋଲି ମଧ୍ୟ ପ୍ରଂଶସକମାନେ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି ।
ଚଳିତ ବିଜୟ ହଜାରେ ଟ୍ରଫିରେ ପାଡିକଲ ଝାଡଖଣ୍ଡ ବିପକ୍ଷରେ ୧୪୭, କେରଳ ବିପକ୍ଷରେ ୧୨୪ ଏବଂ ପୁଡୁଚେରୀ ବିପକ୍ଷରେ ୧୧୩ ରନର ପାଳିଖେଳି ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । କେବଳ ଏତିକି ନୁହେଁ ଲିଷ୍ଟ୍- ଏ କ୍ରିକେଟରେ ମଧ୍ୟ ତାଙ୍କ ରେକର୍ଡ ଭଲ ରହିଛି । ପାଡିକଲ ୩୬ ପାଳିରେ ୧୨ ଶତକ ଏବଂ ୧୨ ଅର୍ଦ୍ଧଶତକ ହାସଲ କରିଛନ୍ତି । ୮୨.୫୬ ହାରରେ ସେ ୨୪୭୭ ରନ ମଧ୍ୟ କରିଛନ୍ତି । ତେବେ ଦୁର୍ଭାଗ୍ୟର ବିଷୟ କି ଏହି ଯୁକ କ୍ରିକେଟରଙ୍କୁ କେବଳ ଟି-୨୦ରେ ସୁଯୋଗ ମିଳିଥିଲା । ମାତ୍ର ଦିନିକିଆରେ ଶକ୍ତିଶାଳି ପ୍ରଦର୍ଶନ କରୁଥିଲେ ସୁଦ୍ଧା ଦିନିକିଆ ଦଳରେ ତାଙ୍କୁ ସୁଯୋଗ ମିଳୁନାହିଁ ।
ତେବେ ଅନ୍ୟ ଏକ ଦିଗକୁ ଆମେ ଯଦି ଭାବିବା ତାହେଲେ ତାଙ୍କୁ ଦଳରେ ସୁଯୋଗ ମିଳିବା ମଧ୍ୟ କଷ୍ଟକର । ଏବେ ଭାରତୀୟ ଦଳ ଦିନିକିଆରେ ଦମଦାର ପ୍ରଦର୍ଶନ ଜାରି ରଖିଛି । ଦିନିକିଆରେ ରୋହିତଙ୍କ ସହ ଗିଲ୍ ଏବଂ ଜୟସ୍ବାଲଙ୍କ ଭଳି ଖେଳାଳି ପାଳି ଆରମ୍ଭ କରୁଥିବାବେଳେ ବିରାଟ ପଛକୁ ରହିଛନ୍ତି । ପାଡିକଲ କାହା ସ୍ଥାନରେ ସୁଯୋଗ ପାଇବେ ତାହା କାଠିକର ପାଠ ହୋଇ ଯାଉଛି । ଅନ୍ୟପଟେ ଦଳରୁ ବାହାରେ ରହିଥିବା ଇଶାନ କିଶାନ ମଧ୍ୟ ଏବେ ଫର୍ମରେ ରହିଛନ୍ତି । ତାଙ୍କୁ ଦଳରେ ସୁଯୋଗ ମଧ୍ୟ ମିଳୁନାହିଁ ।