ଭୁବନେଶ୍ୱର, ୯ ।୨ : ଶିଶୁ ପୁଷ୍ଟିସାରକୁ ସୁଦୃଢ଼ କରିବା, ରକ୍ତହୀନତା ନିରାକରଣ କରିବା ଏବଂ ଅନ୍ତନଳୀର କୃମି ସଂକ୍ରମଣକୁ ରୋକିବା ପାଇଁ ଫେବୃୟାରୀ ୧୦ରେ କୃମିନାଶକ ଦିବସ ପାଳନ କରାଯିବ। ଏହା ସହିତ ଫେବୃଆରୀ ମାସ ସାରା ରାଜ୍ୟରେ ଭିଟାମିନ୍ ଏ ସପ୍ଲିମେଣ୍ଟେସନ୍ (VAS) କାର୍ଯ୍ୟକ୍ରମ ଚାଲିବ I ସେହିପରି ଲିମ୍ଫାଟିକ ଫାଇଲେରିଆସିସ୍- ସମୂହ ଔଷଧ ସେବନ (ଏଲ୍ଏଫ୍ -ଏମଡିଏ) କାର୍ଯ୍ୟକ୍ରମ କିଛି ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଅବସରରେ ପରିବାର କଲ୍ୟାଣ ବିଭାଗ ଡାଇରେକ୍ଟର ଡ଼ା.ଶକ୍ତି ପ୍ରସାଦ ମିଶ୍ର କହିଥିଲେ ଜାତୀୟ କୃମି ନାସ ଦିବସ ଏକ ମୁଖ୍ୟ ଜନସ୍ବାସ୍ଥ୍ୟ ପଦକ୍ଷେପ। ଯାହା ଶିଶୁଙ୍କୁ ପରଜୀବୀ ସଂକ୍ରମଣରୁ ସୁରକ୍ଷା ଦେବା ସହିତ ମହିଳାମାନଙ୍କ ମଧ୍ୟରେ ରକ୍ତହୀନତା ଦୂର କରିବାରେ ସାହାଯ୍ୟ କରିଥାଏ । ନିୟମିତ ଭାବରେ କୃମିନାଶ ପଦକ୍ଷେପ ଉତ୍ତମ ପୁଷ୍ଟି ସାଧନ, ସ୍ୱାସ୍ଥ୍ୟକର ଅଭିବୃଦ୍ଧି ସମର୍ଥନ କରିଥାଏ। ଯାହା ସେମାନଙ୍କର ଦୀର୍ଘସୁତ୍ରୀ ବିକାଶ କ୍ଷେତ୍ରରେ ସହାୟକ ହୁଏ ।

୩୦ ଜିଲ୍ଲାରେ ୧ ରୁ ୧୯ବର୍ଷ ବୟସର ୧.୫୯ କୋଟିରୁ ଅଧିକ ପିଲା ଏବଂ ଗର୍ଭଧାରଣ ବୟସ (୨୦ ରୁ ୨୪ ବର୍ଷ) ର ୧୯ ଲକ୍ଷରୁ ଅଧିକ ମହିଳାଙ୍କୁ ଆଲବେଣ୍ଡାଯୋଲ ସେବନ କରିବାକୁ ଦିଆଯିବ। ଦ୍ଵିବାର୍ଷିକ ଭିଟାମିନ-ଏ-ସପ୍ଲିମେଣ୍ଟ (ଭିଏଏସ) କାର୍ଯ୍ୟକ୍ରମ ୯ରୁ ୬୦ ମାସ ବୟସର ୩୨ ଲକ୍ଷ ଶିଶୁଙ୍କୁ ପରିସର ଭୁକ୍ତ କରାଯିବ। ଯାହା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ସହିତଶିଶୁ ମୃତ୍ୟୁହାର ଓ ରୋଗା କ୍ରାନ୍ତ ହାର ହ୍ରାସ କରିବ।

ୟୁନିସେଫ ନ୍ୟୁଟ୍ରିସନ୍ ସ୍ପେଶାଲିଷ୍ଟ ସୌରଭ ଭଟ୍ଟାଚାର୍ଜି କହିଥିଲେ ଯେ କୃମିନାଶକ ଡୋଜ୍ ସହିତ ଭିଟାମିନ୍ ଏ ସପ୍ଲିମେଣ୍ଟେସନ୍ ବ୍ୟବସ୍ଥା କରିବା ଦ୍ୱାରା ପରିବାର ଗୁଡ଼ିକ ଗୋଟିଏ ପ୍ଲାଟଫର୍ମ ମାଧ୍ୟମରେ ବହୁବିଧ ଜରୁରୀ ସ୍ୱାସ୍ଥ୍ୟ ସେବା ପାଇପାରିବେ। ଏହି ସମନ୍ୱିତ ପଦ୍ଧତି ଶିଶୁଙ୍କ ପୋଷଣକୁ ସୁଦୃଢ଼ କରେ, ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ ଏବଂ ସୁସ୍ଥ ଅଭିବୃଦ୍ଧି ତଥା ଶିକ୍ଷା ଆହରଣ ନିମନ୍ତେ ଏକ ମଜଭୁତ ମୂଳଦୁଆ ପକାଇଥାଏ।

ଲିମ୍ଫାଟିକ ଫସିଲେରିଆସିସ – ସମୂହ ଔଷଧ ସେବନ (ଏଲ୍ଏଫ୍ - ଏମ୍ ଡି ଏ) ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଗଞ୍ଜାମ ଓ ଯାଜପୁର ଆଦି ପାଞ୍ଚଟି ଜିଲ୍ଲାର ସାତଟି ରୁପାୟନକାରି ୟୁନିଟରେ କାର୍ଯ୍ୟକାରୀ କରାଯିବ। ଏହି ଜିଲ୍ଲା ଗୁଡିକରେ ୧- ୨ ବର୍ଷବୟସର ପିଲାମାନଙ୍କୁ ମଧ୍ୟ କୃମିନାଶକ ଔଷଧ ଦିଆଯିବ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମନ୍ୱୟରେ କାର୍ଯ୍ୟକାରୀ ହେଉଥିବା ଏହି ପଦକ୍ଷେପରେ ସରକାରୀ, ସରକାରୀ ସହାୟତା ପ୍ରାପ୍ତ ଏବଂ ବେସରକାରୀ ସ୍କୁଲ ସମୂହ ତଥା ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ସଂପୃକ୍ତ ହେବେ। ଶିକ୍ଷକ, ଏ ଏନ୍ଏମ, ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀ ଏବଂ ଆଶାକର୍ମୀଙ୍କ ସମେତ ଦୁଇଲକ୍ଷରୁ ଅଧିକ ଲୋକଶକ୍ତି ଔଷଧ ସେବନ କରାଇବା କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ। ଏହି ଅଭିଯାନକୁ ୟୁନିସେଫ୍ସ ସମର୍ଥନ ଯୋଗାଇଦେଉଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଡ଼ା ଆଦିତ୍ୟ ମହାପାତ୍ର, ଆଡ଼ିସନାଲ ଡାଇରେକ୍ଟର ଶିଶୁ ସ୍ୱାସ୍ଥ୍ୟ , ଡ଼ା ସ୍ମୃତିଜିତ ପଟ୍ଟନାୟକ , ଜଏଣ୍ଟ ଡାଇରେକ୍ଟର- ନ୍ୟୁଟ୍ରିସନ ଏବଂ ଡ଼ା ସଞ୍ଜୟ କୁମାର ସାହୁ, ନ୍ୟୂଟ୍ରିସନ ଅଫିସର, ୟୁନିସେଫ ଉପସ୍ଥିତ ଥିଲେ।