ଧର୍ମଶାଳା, ୧୫।୧୨: ଆକ୍ରମଣକାରୀ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜେନାପୁର ଥାନା ସାମ୍ନାରେ ବିଜେପିର ଧାରଣା । ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତାମାନେ ବିଳମ୍ବିତ ରାତିରୁ ଧାରଣା ବସିଛନ୍ତି । ରବିବାର ଅପରାହ୍ନରେ ପନ୍ତୁରୀ ଠାରେ ବିଜେପି ଯୁବ ସଂଗଠକ ସୁନୀଲ ପଣ୍ଡାଙ୍କୁ ମରଣାନ୍ତକ ଆକ୍ରମଣ କରିବା  ଓ  ତାଙ୍କ ଗାଡ଼ିକୁ ଭଙ୍ଗା ରୁଜା ଘଟଣାରେ ସମ୍ପୃକ୍ତ ବିଜେଡି କର୍ମୀମାନଙ୍କୁ ପୁଲିସ ତୁରନ୍ତ ଗିରଫ ଦାବିରେ ଏହି ଧାରଣା ଦିଆଯାଇଛି। ଆହତ ସୁନିଲଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଧାରଣାରେ ବସିଛନ୍ତି। ଯାଜପୁର ରୋଡ୍ ଏସଡିପିଓ ଲକ୍ଷ୍ମୀଧର ସ୍ବାଇଁ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି। 

ଅପରପକ୍ଷେ ବିଜେପି କର୍ମୀ ମାନଙ୍କୁ ଗିରଫ ଦାବିରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନେତୃତ୍ୱରେ ବିଜେଡି କର୍ମୀମାନେ ଭୁବନେଶ୍ୱର ସ୍ଥିତ ଡିଜି କ୍ୟାମ୍ପ ସମ୍ମୁଖରେ ରବିବାର ରାତିରୁ ମଧ୍ୟ ଧାରଣାରେ ବସି ରହିଛନ୍ତି। ରବିବାର ମଧ୍ୟାହ୍ନରେ ଶ୍ରୀ ବଳବନ୍ତରାୟଙ୍କ ପନ୍ତୁରୀ ସ୍ଥିତ ଫାର୍ମ ହାଉସରେ ବିଜେଡିର ବୈଠକ ଚାଲିଥିବା ବେଳେ କିଛି ବିଜେପି କର୍ମୀମାନେ ସେଠାରେ ପଶି ଟେକାପଥର ମାଡ଼ କରିଥିଲେ  । ଏଥିରେ ୨୦ରୁ ଉର୍ଦ୍ଧ୍ବ ମହିଳା ଓ ଯୁବ ଛାତ୍ର କର୍ମୀମାନେ ଆହତ ହୋଇଥିବା ଅଭିଯୋଗ ହୋଇଛି । ଦଳର ରାଜ୍ୟ ଯୁବ ଛାତ୍ର କର୍ମକର୍ତ୍ତାଙ୍କ ସମେତ ବରିଷ୍ଠ ନେତା ମାନେ ଭୁବନେଶ୍ୱର ଠାରେ ଧାରଣା ସ୍ଥଳରେ ପହଞ୍ଚିଛନ୍ତି ।