କେନ୍ଦୁଝର ସଦର, ୨୩/୧୧: କେନ୍ଦୁଝର ଜିଲ୍ଲାର ଧରଣୀଧର ମେଡିକାଲ କଲେଜରୁ ସେଣ୍ଡକାପ ଦେଇ ରାଇକଳା ଢିପାସାହିକୁ ସଂଯୋଗ କରୁଥିବା ରାସ୍ତାଟି ଏକ ଗୁରୁତତ୍ୱପୂର୍ଣ ରାସ୍ତା। ଉକ୍ତ ରାସ୍ତା ଦେଇ ପ୍ରତେକ ଦିନ ସଦର ଚମ୍ପୁଆ, ଯୋଡ଼ା, ଝୁମ୍ପୁରା, ରାଇକଳା, କାଉଁରୀକଳା, ଗୋବର୍ଦ୍ଧନ, ଶଙ୍କିରୀ , ବୋଦାପୋଳଶା ଆଦି ପଞ୍ଚାୟତର ବହୁ ଗ୍ରାମର ଚାଷୀ ମାନେ ପରିବା ବିକ୍ରି ପାଇଁ ହେଉ ବା ଛାତ୍ର ମାନେ କଲେଜ, ରୋଗୀଙ୍କୁ ମେଡିକାଲ, ଆଦି ବିଭିନ୍ନ କାମରେ ଯାଇଥାନ୍ତି। ଏପରିକି ଏହି ରାସ୍ତା ଦେଇ ଜିଲ୍ଲା ସଦର ମହକୁମା କେନ୍ଦୁଝର ସହରକୁ ଯାଇଥାନ୍ତି। ମାତ୍ର ରାସ୍ତାଟିର କିଛି ଭାଗ ଗ୍ରାମ୍ୟ ଉନ୍ନୟନ ବିଭାଗ ପଞ୍ଚାୟତ ରାଜ ବିଭାଗ, କ୍ଷୁଦ୍ର ଜଳ ସେଚନ ବିଭାଗ, ଜଙ୍ଗଲ ବିଭାଗ ଅଧୀନରେ ଥିବାରୁ ରାସ୍ତାର ଉନ୍ନତି ମୂଳକ କାମ ହୋଇପାରୁନଥିଲା ।ଫଳରେ ଲୋକମାନେ ଯାତାୟାତର ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେଉଥିଲେ ।
ଏଥି ପାଇଁ ଯୁବ ଓ ଶ୍ରମ ବିକାଶ ମଞ୍ଚ ସମେତ ବିଭିନ୍ନ ସ୍ଥାନୀୟ ରାଜନେତା, ସମାଜ ସେବୀ ବିଭିନ୍ନ ସମୟରେ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ। ନଭେମ୍ବର ୧୭ ତାରିଖରେ ପତ୍ର ସଂଖ୍ୟା ୨୨୩୯୩ ଅନୁଯାୟୀ ମୋଟ ମେଡିକାଲ - ରାଇକଳା ପର୍ଯ୍ୟନ୍ତ ୨୨.୬ କିଲୋମିଟର ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନତାର କରାଯାଇଛି । ଏ ନେଇ ପୂର୍ତ୍ତ ବିଭାଗ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ସମ୍ବିତ ମହାନ୍ତିଙ୍କୁ ପଚାରିବାରୁ ଉକ୍ତ ରାସ୍ତା ଅଧୀନରେ ଥିବା ସମସ୍ତ ବିଭାଗକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ଏବଂ ଖୁବ ଶୀଘ୍ର ରାସ୍ତା କାମ ଆରମ୍ଭ ବୋଲି ସେ କହିଛନ୍ତି । ଉକ୍ତ ରାସ୍ତାଟି ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀର ରାସ୍ତା ହୋଇଥିବାରୁ ଆବଶ୍ୟକ ଡ୍ରେନେଜ, ଷ୍ଟ୍ରିଟ ଲାଇଟ, ଟ୍ରାଫିକ ସଂକେତ, ବ୍ୟାରିକେଡ ଆଦି ନିର୍ମିତ ହୋଇ ମଡେଲ ରାସ୍ତା ହେବ ବୋଲି ସ୍ଥାନୀୟ ଲୋକେ ଆଶାବାଦୀ ଅଛନ୍ତି।