ଏସିଆ ଏଲ୍ପିଜି ସମ୍ମିଳନୀରେ ଧର୍ମେନ୍ଦ୍ରଙ୍କ ସୂଚନା: ବିକଶିତ ଦେଶରେ ଉଦାହରଣ ପାଲଟିଛି ‘ଉଜ୍ଜ୍ୱଳା’

ନୂଆଦିଲ୍ଲୀ/ଭୁବନେଶ୍ୱର,୫ା୨(ଏଜେନ୍ସି/ବ୍ୟୁରୋ): ଚଳିତବର୍ଷ ଜାନୁଆରୀ ସୁଦ୍ଧା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀ ସଂଖ୍ୟା ୬ କୋଟି ଛୁଇଁଛି । ଗତ ୫ ବର୍ଷ ମଧ୍ୟରେ ଏହା ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏମିତି କି ବିକଶିତ ରାଷ୍ଟ୍ରଗୁଡ଼ିକ ଏବେ ଉଜ୍ଜ୍ୱଳାକୁ ଏକ ଉଦାହରଣ ଭାବେ ଗ୍ରହଣ କରି ଏହାକୁ ପ୍ରଶଂସା କରୁଛନ୍ତି । ପେଟ୍ରୋଲିୟମ୍ ତଥା ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଏହା କହିଛନ୍ତି ।
ନୂଆଦିଲ୍ଲୀରେ ଆୟୋଜିତ ଏସିଆ ଏଲ୍ପିଜି ସମ୍ମିଳନୀ ୨୦୧୯ରେ ଯୋଗଦେଇ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦେଶର ମହିଳାଙ୍କୁ ସଶକ୍ତ କରିବା ସହ ସେମାନଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ଯୋଜନା କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ହୋଇଛି । ଉଜ୍ଜ୍ୱଳା ମହିଳାଙ୍କୁ ସ୍ୱାସ୍ଥ୍ୟ ଓ ଆତ୍ମସମ୍ମାନ ଦେଇଛି । ଏଲ୍ପିଜି ଦ୍ୱାରା ମହିଳାଙ୍କ ସମୟ ସଞ୍ଚୟ ହେଉଛି ଏବଂ ଏହାଦ୍ୱାରା ସେମାନେ ଅନ୍ୟ କିଛି କାର୍ଯ୍ୟ କରିବାକୁ ସୁଯୋଗ ପାଉଛନ୍ତି ।
ତାଙ୍କ କହିବାନୁଯାୟୀ ୨୦୧୪ରେ ୧୨.୫ କୋଟି ଘରେ ଏଲ୍ପିଜି ସଂଯୋଗ ଥିଲା । ଏବେ ଉଜ୍ଜ୍ୱଳା ଯୋଜନାରେ ୬ କୋଟି ସଂଯୋଗ ଦିଆଯାଇଛି । ସରକାର ‘ପହଲ୍’ ଯୋଜନାରେ ଏଲ୍ପିଜି ଉପଭୋକ୍ତାଙ୍କ ପାଇଁ ସବ୍ସିଡି ବ୍ୟବସ୍ଥା ଆଣିଛନ୍ତି । ୨୦୧୮ ଡିସେମ୍ବର ସୁଦ୍ଧା ୨୩ କୋଟି ଉପଭୋକ୍ତା ଏଥିରେ ସାମିଲ ହୋଇଛନ୍ତି । ଡିବିଟିରେ ପହଲ୍ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛି । ଏହାଦ୍ୱାରା କେନ୍ଦ୍ର ସରକାର ପ୍ରାୟ ୫୦,୦୦୦ କୋଟି ଟଙ୍କା ସଞ୍ଚୟ କରିପାରୁଛନ୍ତି ।
ମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ମୋଦି ସରକାର ୨୦୧୪ରେ କ୍ଷମତାକୁ ଆସିବା ପରେ ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍’ ଏବଂ ‘ଇଜ୍ ଅଫ୍ ଲିଭିଙ୍ଗ୍’କୁ ଗୁରୁତ୍ୱ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ୨୦୨୨ ସୁଦ୍ଧା ସମସ୍ତଙ୍କୁ ବାସଗୃହ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ କରାଯାଇଛି ଏବଂ ପ୍ରତି ଘରେ ଶୌଚାଳୟ ବ୍ୟବସ୍ଥା କରାଯାଉଛି । ସେହିଭଳି ସୌଭାଗ୍ୟ ଯୋଜନାରେ ପ୍ରତି ଘରେ ବିଜୁଳି ଯୋଗାଇ ଦିଆଯାଉଥିବା ବେଳେ ଜନଧନ ଯୋଜନାରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଉଛି । ଏହି ଯୋଜନାରେ ୩୩ କୋଟି ଆକାଉଣ୍ଟ ଖୋଲାଯାଇଛି । ବିଦ୍ୟୁତ୍ ସୁବିଧାରୁ ବଞ୍ଚିତ ଥିବା ୧୮,୦୦୦ରୁ ଅଧିକ ଗାଁରେ ବିଜୁଳି ଯୋଗାଇ ଦିଆଯାଇଛି ।