ନୂଆଦିଲ୍ଲୀ,୩ା୨(ଏଜେନ୍ସି): ବର୍ତ୍ତମାନ ସମୟରେ ପ୍ଲମ୍ବର୍ଙ୍କ ବିନା ଯେକୌଣସି ନିର୍ମାଣ ସମ୍ପର୍କରେ କଳ୍ପନା ଅଧୁରା ରହିଯିବ । ସେହିଭଳି ଦେଶର ସବୁ ବଡ଼ ସହର ତଥା ରାଜ୍ୟ ରାଜଧାନୀରେ ଆଖି ବନ୍ଦ କରି ପ୍ଲମ୍ବିଂ ଶିଳ୍ପର ଜଣକୁ ଠଉରେଇଲେ, ନିଶ୍ଚିତ ଭାବେ ତା’ର ପରିଚୟ ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଶା ସହ ଯୋଡ଼ି ହୋଇଥିବ । କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଏହା କହିଛନ୍ତି ।
ନୂଆଦିଲ୍ଲୀରେ ଆୟୋଜିତ ପ୍ଲମ୍ବିଂ ସ୍କିଲ୍ ମହୋତ୍ସବରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ସବୁ ଗରିବଙ୍କ ଘର ଉପରେ ପକ୍କା ଛାତ ରହୁ, ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ରହିଛି । ୨୦୨୨ ସୁଦ୍ଧା ଦେଶରେ ଏମିତି ଘର ନ ଥିବ, ଯାହା ପକ୍କା ହୋଇ ନ ଥିବ ।
ସେ କହିଛନ୍ତି, ମୋଦି ସରକାର ଏ ବର୍ଗର ଲୋକମାନଙ୍କୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ନିକଟରେ ପ୍ରଧାନମନ୍ତ୍ରୀ ଜୀବନ ବୀମା ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ବୀମା ଯୋଜନା ଅଣାଯାଇଛି । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ପ୍ରଶିକ୍ଷଣ ନେଇଥିବା ଲୋକଙ୍କୁ ମଧ୍ୟ ଏହି ବୀମା ସୁବିଧା ମିଳୁଛି । ଆଗାମୀ ୨ ବର୍ଷ ମଧ୍ୟରେ ଭାରତର ଛୋଟ ଗାଁରୁ ଆରମ୍ଭ କରି ସହରରେ ବାସ କରୁଥିବା ସବୁ ପ୍ଲମ୍ବରଙ୍କୁ ବୀମା ଯୋଗାଇବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି । ସେହିଭଳି ଦେଶରେ ଜଣେ ହେଲେ ବି ପ୍ଲମ୍ବର ରହିବେନି ଯେଉଁମାନଙ୍କର ଜନଧନ ବ୍ୟାଙ୍କ ଖାତା ଖୋଲାଯାଇ ନ ଥିବ । ସବୁ ପ୍ଲମ୍ବରଙ୍କୁ କେନ୍ଦ୍ର ସରକାର ଓ କ୍ଷେତ୍ରୀୟ ଦକ୍ଷତା ପରିଷଦ ମିଳିତ ଉଦ୍ୟମରେ ପ୍ରଶିକ୍ଷଣ ଦିଆଯିବ ।
ଚତ୍ରକାର ଯେପରି ଚିତ୍ର ଆଙ୍କିବାରେ ସିଦ୍ଧହସ୍ତ, ମୂର୍ତ୍ତିକାର ଯେମିତି ନିଖୁଣ ଭାବେ ମୂର୍ତ୍ତି କରେ, ପ୍ଲମ୍ବରମାନେ ମଧ୍ୟ କୌଣସି ଶିଳ୍ପୀ, କଳାକାର ଓ ବିଶ୍ୱକର୍ମାଙ୍କଠାରୁ କମ୍ ନୁହନ୍ତି ବୋଲି କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ କହିଛନ୍ତି ।
ସେ କହିଛନ୍ତି, ଶ୍ରମିକଙ୍କ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିବା ପାଇଁ ମୋଦି ସରକାର ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ଆଣିଛନ୍ତି । ଏଥିରେ ଗରିବ ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ୩ ମାସ ମଧ୍ୟରେ ୧୦ ଲକ୍ଷଙ୍କୁ ୩ ହଜାର କୋଟିର ସ୍ୱାସ୍ଥ୍ୟସେବା ମିଳିଛି । କିନ୍ତୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ବାରମ୍ବାର ଅନୁରୋଧ କରିବା ସତ୍ତେ୍ୱ ରାଜ୍ୟ ସରକାର ଆୟୁଷ୍ମାନ ଭାରତକୁ ଲାଗୁ କରୁନାହାନ୍ତି । ଓଡ଼ିଶା ଆୟୁଷ୍ମାନ ଭାରତ ଲାଗୁ କଲେ, କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇର ପ୍ଲମ୍ବର ନିଜ ପରିବାର ସଦସ୍ୟଙ୍କୁ ଦିଲ୍ଲୀର ମେଡିକାଲ୍ରେ ଚିକିତ୍ସା କରାଇପାରିବ ।
ଚଳିତ ଅନ୍ତରୀଣ ବଜେଟ୍ରେ ସରକାର ଶ୍ରମିକମାନଙ୍କ ପାଇଁ ଶ୍ରମଯୋଗୀ ଯୋଜନାରେ ମାସିକ ୩,୦୦୦ ଟଙ୍କାର ପେନ୍ସନ୍ ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ସରକାର ଓ କର୍ମଚାରୀ ଅଧା ଅଧା ପ୍ରିମିୟମ ଭରିବେ । ଏପରିକି ସ୍କିଲ୍ ଇଣ୍ଡିଆ ସାର୍ଟିଫିକେଟ୍ ସହ ପ୍ଲମ୍ବିଂ କ୍ଷେତ୍ର ସହ ଯୋଡ଼ି ହୋଇଥିବା ବ୍ୟକ୍ତିବିଶେଷଙ୍କୁ ମୁଦ୍ରା ଯୋଜନାରେ ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ ବୋଲି ଦକ୍ଷତା ବିକାଶ ମନ୍ତ୍ରୀ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ପ୍ଲମ୍ବିଂ ଶିଳ୍ପରେ ୮ ଲକ୍ଷ ଲୋକ କାମ କରୁଛନ୍ତି । ରେଳପଥ, ବ୍ୟାଙ୍କିଙ୍ଗ୍,ପେଟ୍ରୋଲିୟମ କ୍ଷେତ୍ରରେ ମଧ୍ୟ ଏତେ ସଂଖ୍ୟକ ଲୋକ କାମ କରୁନାହାନ୍ତି । ପୂର୍ବରୁ ପ୍ଲମ୍ବିଂରେ କେବଳ ପାଇପ୍, ଟ୍ୟାପ୍ ଓ ନଳ ବ୍ୟବହାର ହେଉଥିଲା । ଏବେ ସେନ୍ସର୍ ଯୁଗ ହେଲାଣି । ଟ୍ୟାପ୍ ଆଗରେ ହାତ ଦେଖାଇଲେ ସ୍ୱୟଂକ୍ରିୟ ଭାବେ ପାଣି ବାହାରୁଛି । ଏହି ନୂଆ ଟେକ୍ନୋଲୋଜି ଆଗାମୀ ଦିନରେ ପ୍ଲମ୍ବିଂ ଶିଳ୍ପର ନୂଆ ରୂପରେଖ ଆଣିବ ।

ପୁଣି ସରଗରମ ମହାରାଷ୍ଟ୍ର ରାଜନୀତି ! ନଓ୍ବାବ ମଲିକଙ୍କ...