ଭୁବନେଶ୍ୱର, ୨୧/୦୧ : ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି ୨୦୨୦। ଏନେଇ ତିନିଦିନିଆ ରାଷ୍ଟ୍ରୀୟ କର୍ମଶାଳା ଆୟୋଜନ ହୋଇଛି। ଉଦଘାଟନୀ ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି। ଏହାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ସମୟରେ ସେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ତତ୍କାଳୀନ ସରକାର ଲୋକ ଦେଖାଣିଆ ଭାବେ କହିଥିଲେ ଯେ ଏନଇପି ଲାଗୁ କରିବେ, କିନ୍ତୁ ସେମାନେ ଏନଇପି ବଦଳରେ ଓଡ଼ିଶା ଶିକ୍ଷା ନୀତି ପ୍ରଚଳନ କରିବେ ବୋଲି ଚିନ୍ତା କରୁଥିଲେ। ମୋହନ ମାଝୀଙ୍କ ସରକାର ଆସିବା ପରେ ରାଜ୍ୟରେ ଏନଇପି ଲାଗୁ ହୋଇପାରିଲା। 

କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ନୂଆ ଶିକ୍ଷା ନୀତି ପାଠ୍ୟ ଖସଡ଼ା ପାଇଁ କମିଟି ଗଠନ ହୋଇଛି। ତଥାପି ଅନ୍ୟମାନଙ୍କ ଠାରୁ ପରାମର୍ଶ ନିଆଯାଉ। NEP ଲାଗୁ ପାଇଁ ଓଡ଼ିଶାର ଗୋଟିଏ ସର୍ତ୍ତ ଥିଲା, ଯେ ଓଡ଼ିଆ ସଂସ୍କୃତି ଐତିହ୍ୟକୁ ନେଇ ପାଠ୍ୟ ଖସଡ଼ା ପ୍ରସ୍ତୁତ ହେବ। ନୂଆ ଶିକ୍ଷା ନୀତିରେ ଓଡ଼ିଆ ଛାତ୍ରଛାତ୍ରୀ ବୀରଗାଥା, ଭାଷା, ନୌବାଣିଜ୍ୟ, ସ୍ଥପତି ସମ୍ପର୍କରେ ପାଠ ପଢିବେ। ବିଜ୍ଞାନରେ ପଠାଣି ସାମନ୍ତଙ୍କ ଉଦାହରଣ ଦିଆଯିବ। ଓସେନୋଲୋଜିରେ ସାମିଲ ହେବ ନୌବାଣିଜ୍ୟ ତଥ୍ୟ। କେବଳ ସେତିକି ନୁହେଁ, ଇତିହାସରେ ବକ୍ସି ଜଗବନ୍ଧୁ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ତଥ୍ୟ ମଧ୍ୟ ରହିବ ।

ଏହି ଖବରଟିକୁ ପଢନ୍ତୁ-ଲୋକସେବା ଭବନରେ ଏନ୍‌ଇପି କର୍ମଶାଳା, ମୁଖ୍ୟମନ୍ତ୍ରୀ କହିଲେ 'ଶିକ୍ଷା ହେଉଛି ଶକ୍ତି'

ରାଜ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଆସନ୍ତା ଶିକ୍ଷା ବର୍ଷରେ ସ୍କୁଲ ସ୍ତରରେ ଏହାକୁ ଲାଗୁ କରିବାକୁ କିଛି ଦିନ ତଳେ ବିଜ୍ଞପ୍ତି ପ୍ରକାଶ କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏହାର ସିଲାବସ ପ୍ରସ୍ତୁତ ପାଇଁ ୧୭ ଜଣିଆ ଷ୍ଟିଆରିଂ କମିଟି ଗଠନ ହୋଇଛି। ଗତକାଲି ଏହାର ମାର୍ଗଦର୍ଶିକା ଜାରି କରିଛନ୍ତି ସରକାର। ଏହାକୁ ସଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ କର୍ମଶାଳା ଜରିଆରେ ବିଶେଷଜ୍ଞଙ୍କ ମତାମତ ନିଆଯାଉଛି। ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଲାଗୁ କରିବା ପାଇଁ ଆଜିଠୁ ୩ ଦିନିଆ କର୍ମଶାଳା ଆରମ୍ଭ ହେଉଛି। ଆଜି ଲୋକସେବା ଭବନରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହିଛନ୍ତି। ଏହା ସହ ଅନେକ ଶିକ୍ଷାବିତ, ଏବଂ ଭାରତ ସରକାରଙ୍କ ଅଧିନସ୍ଥ ଅନେକ ଶିକ୍ଷା ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ୨୨ ଏବଂ ୨୩ ତାରିଖ ଦିନ ମଧ୍ୟ ଦୁଇ ଦିନିଆ ଆଲୋଚନା ହେବ।