ଅଭିଯୋଗ ଉଠାଇଲେ ଧର୍ମେନ୍ଦ୍ର, ଅପାରଗତା ଲୁଚାଇବାକୁ ଆଉ ଏକ ବାହାନା

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ବିଭିନ୍ନ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ମିଳୁନଥିବାର ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଯେଉଁ ବକ୍ତବ୍ୟ ଦେଇଛନ୍ତି, ତାହା କେବଳ ନିଜର ଅପରଗତା ଓ ସ୍ଥାଣୁତା ଲୁଚାଇବାକୁ । ଏହା ଏକ ବହାନା ବ୍ୟତୀତ ଆଉ କିଛି ନୁହେଁ । ବଜେଟ୍ ଓ ବିନା ବିତ୍ତିୟ ପ୍ରବନ୍ଧନରେ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହା ଅପାରଗତାର ଚରମ ନିଦର୍ଶନ ବୋଲି କେନ୍ଦ୍ର ପଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ସେ ଏବେ ୩ ଦିନ ପାଇଁ ଓଡ଼ିଶାରେ ଅଛନ୍ତି । ଯଦି କୌଣସି ଅର୍ଥ ବକେୟା ରହିଛି, ମୁଖ୍ୟଶାସନ ସଚିବ କିମ୍ବା ଅନ୍ୟ ବିଭାଗର ସଚିବ ତାଙ୍କ ସହ କଥା ହୋଇ ସମସ୍ୟାର ସମାଧାନ କରିପାରିବେ । ରାଜ୍ୟ ସରକାରଙ୍କ ଅଦୂରଦର୍ଶିତାରୁ ଇଣ୍ଡିଆନ୍ ଅଏଲ ରିଫାଇନାରୀରୁ ରାଜ୍ୟ ସରକାରଙ୍କୁ କ୍ଷତି ସହିବାକୁ ପଡ଼ୁଛି । ବ୍ୟକ୍ତିଗତ ଭାବେ ଏ ପ୍ରସଙ୍ଗରୁ ଉଦ୍ୟମ କରି ଓଡ଼ିଶାର ହକ୍କୁ ପୁଣି ପ୍ରଦାନ କରିବା ପାଇଁ ଉଦ୍ୟମ କରିଥିଲେ । ମୋଦି ସରକାର କେବେ ହେଲେ ଓଡ଼ିଶାର ସ୍ୱାର୍ଥ ସୁରକ୍ଷା କରିବାକୁ ପଛଘୁଞ୍ଚା ଦେଇ ନାହାନ୍ତି । ପୂର୍ବ ଭାରତ ଯେଉଁଥିରେ ଓଡ଼ିଶା ପ୍ରମୁଖ ଅଙ୍ଗ ଭାରତର ଏହି ପଛୁଆ ଭୂଭାଗର ଦ୍ରୁତ ବିକାଶ ମୋଦି ସରକାରଙ୍କ ପ୍ରାଥମିକତା । ପୂର୍ବୋଦୟରୁ ହିଁ ଭାରତ ଉଦୟ ହେବ ବୋଲି ମୋଦି ସରକାରଙ୍କର ସ୍ଲୋଗାନ ନୁହେଁ ବରଂ ପ୍ରତିବଦ୍ଧତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଅଭିଯୋଗ ଆଣି କହିଛନ୍ତି, ଓଡ଼ିଶା ସରକାର ଯୋଜନାର ଘୋଷଣା ବିନା ବଜେଟ୍ରେ ଓ କ୍ରିୟାନ୍ୱୟନ କାଗଜପତ୍ରରେ କରିବାରେ ଓଡ଼ିଶା ସରକାର ସିଦ୍ଧହସ୍ତ । ୨୦୧୪ରେ ମୋଦି ସରକାର ଆସିବା ପରେ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁସାରେ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶକୁ ୩୧%ରୁ ୪୨% ବୃଦ୍ଧି କରାଗଲା । ଏହାଦ୍ୱାରା ରାଜ୍ୟ ସରକାରଙ୍କ ହାତକୁ ତ୍ରୟୋଦଶ ଅର୍ଥ କମିଶନ ତୁଳନାରେ ଚତୁର୍ଦ୍ଦଶ ଅର୍ଥ କମିଶନରେ ୧୬୫% ଅର୍ଥ ବୃଦ୍ଧି କରାଯାଇଛି । ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିସ୍ ଆଧାରରେ ତୟୋଦଶ ଅର୍ଥ କମିଶନର ସୁପାରିସଠାରୁ ୬୯,୩୧୬ କୋଟି ଟଙ୍କା ମିଳିବାର ବ୍ୟବସ୍ଥା କରାଯିବା ରାଜ୍ୟ ସରକାରଙ୍କୁ ଜଣା ।
ଶ୍ରୀ ପ୍ରଧାନ କହିଛନ୍ତି, ଏ ପଟେ ୟୁସି ରାଜ୍ୟ ସରକାର ଦେଇନଥିବାବେଳେ ଟଙ୍କା କାହିଁକି ମିଳୁନି ବୋଲି ତର୍କ କରୁଛନ୍ତି । ମାତ୍ର ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ)ରେ କାହିଁକି ଟଙ୍କା ଖର୍ଚ୍ଚ ନହୋଇ ପଡ଼ି ରହିଛି? ଏ ତଥ୍ୟକୁ ମୁଖ୍ୟମନ୍ତ୍ରୀ କାହିଁକି ଲୁଚାଇ ରଖିବାକୁ ଚାହୁଁଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ୟୁସି ନଦେବା କାରଣରୁ ଅଙ୍ଗନବାଡ଼ି କେନ୍ଦ୍ର ଗୃହ ନିର୍ମାଣ ପାଇଁ ବ୍ୟୟ ବରାଦ ହୋଇଥିବା ୯୩.୭୬ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ୨୦୧୪ ମସିହା ଶେଷ ସୁଦ୍ଧା ହାତଛଡ଼ା କରିବାକୁ ପଡ଼ିଲା । ଆଇସିଡିଏସ୍ କାର୍ଯ୍ୟକ୍ରମରେ ୨୦୧୧-୧୬ ମଧ୍ୟରେ ବ୍ୟୟବରାଦ ଅନୁସାରେ ୧,୨୩୯.୨୩ କୋଟି ଟଙ୍କା ଖର୍ଚ୍ଚ କମ୍ ହେଲା । ରାଜ୍ୟରେ ଯୋଗ୍ୟ ବିବେଚିତ ୩୮.୩୯ ଲକ୍ଷ ଶିଶୁଙ୍କୁ ପୁଷ୍ଟିକର ଆହାର ଯୋଗାଇଦେବାକୁ ଥିବାବେଳେ ସେଥିରୁ ୩.୫୮ ଲକ୍ଷ ଅର୍ଥାତ ୯ % ପିଲାଙ୍କୁ ଯୋଗାଇ ଦିଆଗଲାନି । ଏପରି ସଂଗୀନ ଘଟଣା ମୁଖ୍ୟମନ୍ତ୍ରୀ କାହିଁକି ଭୁଲି ଯାଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।