ମୁମ୍ବାଇ,୨୪/୧୧: ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ର ଦେଓଲଙ୍କର ୮୯ ବର୍ଷ ବୟସରେ ପରଲୋକ ଘଟିଛି। ରୁପେଲି ପରଦାରେ ଅନେକ ସୁନେଲି ସ୍ମୃତି ଛାଡ଼ିଥିବା ଧର୍ମେନ୍ଦ୍ରଙ୍କ ପରଲୋକ କେବଳ ବଲିଉଡ୍‌ କିମ୍ବା ମନୋରଞ୍ଜନ ଦୁନିଆକୁ ନୁହେଁ ବରଂ ସମଗ୍ର ଭାରତର କଳାଜଗତରେ ବଡ଼ କ୍ଷତ ସୃଷ୍ଟି କରିଛି। ତେବେ ଜୀବନର ଛଅ ଦଶଦ୍ଧୀରୁ ଅଧିକ ସମୟ ଯାଏଁ, ତାଙ୍କ ନିଖୁଣ ଅଭିନୟର ଯାଦୁକରୀକୁ ସାରା ଦେଶ ଉପଭୋଗ କରିଛି। ଧର୍ମେନ୍ଦ୍ରଙ୍କୁ ନେଇ ଏମିତି କିଛି ଅକୁହା କଥା ରହିଛି, ଯାହାକି ହୁଏତ ଜନସାଧାରଣଙ୍କ ପାଖରେ ପହଞ୍ଚିନଥିବ। ଦିନ ଥିଲା ଫିମେଲ ଫ୍ୟାନ୍ସ ଧର୍ମେନ୍ଦ୍ରଙ୍କର ଦିୱାନୀ ଥିଲେ। ଖାଲି ଫ୍ୟାନ୍ସ କାହିଁକି ଅନେକ ଅଭିନେତ୍ରୀ ମଧ୍ୟ ତାଙ୍କୁ ଖୁବ୍ ପସନ୍ଦ କରୁଥିଲେ। ହେଲେ ଧର୍ମେନ୍ଦ୍ର ବଲିଉଡର ଡ୍ରୀମ୍‌ ଗାର୍ଲ ହେମା ମାଳିନୀଙ୍କ ପ୍ରେମରେ ପଡ଼ିଲେ ଏବଂ ତାଙ୍କୁ ବିବାହ କଲେ।  କିନ୍ତୁ, ଖୁବ କମ୍‌ ଲୋକ ଜାଣିଥିବେ ଯେ ହେମା ମାଳିନୀ ଧର୍ମେନ୍ଦ୍ରଙ୍କ ଜୀବନରେ ଆସିବା ପୂର୍ବରୁ, ସେ ଅନ୍ୟ ଜଣେ ଅଭିନେତ୍ରୀଙ୍କ ପାଇଁ ଦିୱାନା ଥିଲେ। ଏପରିକି ଧର୍ମେନ୍ଦ୍ର ସେହି ଅଭିନେତ୍ରୀଙ୍କ ଫିଲ୍ମ ୪୦ ଥର ଦେଖିଥିବା କ‌ଥା ମଧ୍ୟ ଶୁଣିବାକୁ ମିଳୁଛି।  ଧର୍ମେନ୍ଦ୍ର ନିଜେ ଏହା ସ୍ୱୀକାର କରିଥିଲେ। 

ଏକ ରିପୋର୍ଟ ଅନୁଯାୟୀ, ଧର୍ମେନ୍ଦ୍ର ଥରେ ପ୍ରକାଶ କରିଥିଲେ ଯେ ସେ ସୁରୈୟାଙ୍କ ସୌନ୍ଦର୍ଯ୍ୟରେ ଏତେ ମୁଗ୍ଧ ହୋଇଯାଇଥିଲେ ଯେ ତାଙ୍କ ଫିଲ୍ମ "ଦିଲଲଗୀ"କୁ ୪୦ ଥର ଦେଖିଥିଲେ। ସେ ତାଙ୍କର ଫିଲ୍ମ ଦେଖିବାର ସୁଯୋଗ ପାଇବା ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରୁଥିଲେ। ଧର୍ମେନ୍ଦ୍ର,  ସୁରୈୟାଙ୍କ ଅନ-ସ୍କ୍ରିନ୍‌ ପ୍ରେଜେନ୍ସ ଉପରେ ପୁରା ଫିଦା ହୋଇ ଯାଇଥିଲେ। ଆଜି ଏଭଳି ଜଣେ ବର୍ଷିଆନ କଳାକାରଙ୍କର ଦେହାନ୍ତ ତାଙ୍କ ସିନେମା କ୍ୟାରିୟରର ଅନେକ ସ୍ମୃତିକୁ ଜନମାନସରେ ତାଜା କରିଦେଉଛି।