ନୂଆଦିଲ୍ଲୀ ୦୧/୦୭: କୁଲ୍‌ ଷ୍ଟାଇଲ୍‌ରେ କ୍ରିକେଟ୍‌ ଟିମ୍‌ର ନେତୃତ୍ୱ ନେବା ପାଇଁ ଏମ୍‌ ଏସ୍‌ ଧୋନି ବେଶ ଲୋକପ୍ରିୟ । ସେଥିପାଇଁ ଫ୍ୟାନ୍‌ ତାଙ୍କୁ ଦୀର୍ଘ ବର୍ଷ ହେଲା ସ୍ନେହରେ ‘କ୍ୟାପ୍ଟେନ୍‌ କୁଲ୍‌’ ନାମରେ ସମ୍ବୋଧନ କରିଆସୁଛନ୍ତି । ଏହି ଲୋକପ୍ରିୟ ନାଁକୁ ନିଜର କରିବା ଲାଗି ଧୋନି ଟ୍ରେଡ୍‌ମାର୍କ ଆବେଦନ ଦାଖଲ କରିଛନ୍ତି । କ୍ରୀଡ଼ା ତାଲିମ, କୋଚିଂ ସେବା ଓ ଟ୍ରେନିଂ ସେଣ୍ଟର୍‌ଗୁଡ଼ିକ ନିମନ୍ତେ ‘କ୍ୟାପ୍ଟେନ୍‌ କୁଲ୍‌’ ନାଁ ବ୍ୟବହାର କରିବାର ବିଶେଷାଧିକାର ଚାହାନ୍ତି ଧୋନି । ସେଥିପାଇଁ ସେ ଏହି ପଦକ୍ଷେପ ନେଇଛନ୍ତି ।

ଟ୍ରେଡ୍‌ ମାର୍କସ ରେଜିଷ୍ଟ୍ରୀ ପୋର୍ଟାଲ ଅନୁସାରେ, ଧୋନିଙ୍କ ଆବେଦନକୁ ଗ୍ରହଣ କରାଯିବା ସହିତ ତାଙ୍କର ବିଜ୍ଞାପନ ମଧ୍ୟ ଦିଆଯାଇଛି । ଗତ ଜୁନ୍‌ ୧୬ ତାରିଖରେ ଔପଚାରିକ ଟ୍ରେଡ୍‌ମାର୍କ ପତ୍ରିକାରେ ଏହି ଟ୍ରେଡ୍‌ମାର୍କ ପ୍ରକାଶ ପାଇଥିଲା । ଧୋନିଙ୍କ ଓକିଲ ମାନସୀ ଅଗ୍ରୱାଲ କହିଛନ୍ତି, ଟ୍ରେଡ୍‌ମାର୍କ ଆଇନ କ୍ଷେତ୍ରରୁ ମିଳିଥିବା ସଦ୍ୟ ଖବର ପାଇଁ ଆମେ ବହୁତ ଖୁସି । ଏହି ଯାତ୍ରା ଏତେ ସହଜ ନ ଥଲା । ଧୋନିଙ୍କ ଟିମ୍‌ ପ୍ରଥମେ ‘କ୍ୟାପ୍ଟେନ୍‌ କୁଲ୍‌’ ନାଁ ଟ୍ରେଡ୍‌ମାର୍କ ପାଇଁ ଆବେଦନ କରିଥିଲେ । କିନ୍ତୁ ରେଜିଷ୍ଟ୍ରୀ ଟ୍ରେଡ୍‌ ମାର୍କ ଅଧିନିୟମର ଧାରା ୧୧(୧) ଅନ୍ତର୍ଗତ ଆପତ୍ତି କରିଥିଲା । ପୂର୍ବରୁ ରେକର୍ଡରେ ସମାନ ଧରଣର ଟ୍ରେଡ୍‌ମାର୍କ ଥିଲା । ତେଣୁ ଲୋକେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି ବୋଲି ଏହା ଚିନ୍ତା ଦର୍ଶାଇଥିଲା ।

କିନ୍ତୁ ଧୋନିଙ୍କ ନ୍ୟାୟିକ ଟିମ୍‌ ଯୁକ୍ତି ଦର୍ଶାଇଲା, ‘କ୍ୟାପ୍ଟେନ୍‌ କୁଲ୍‌’ ଶବ୍ଦର ଧୋନିଙ୍କ ସହ ସ୍ପଷ୍ଟ ଓ ଅନନ୍ୟ ସମ୍ପର୍କ ରହିଛି । ଧୋନିଙ୍କ ଫ୍ୟାନ୍‌ ଓ ଗଣମାଧ୍ୟମ ଦୀର୍ଘ ବର୍ଷ ଧରି ଏହି ଡାକ ନାଁକୁ ବ୍ୟାପକ ଭାବେ ବ୍ୟବହାର କରିଆସୁଛନ୍ତି । ଏହା ଧୋନିଙ୍କ ସାର୍ବଜନୀନ ପରିଚୟର ଅଂଶ ହୋଇଛି । ଧୋନିଙ୍କ ସହିତ ଦୀର୍ଘ ବର୍ଷ ଧରି ଯୋଡ଼ି ହୋଇ ରହିଥିବାରୁ ‘କ୍ୟାପ୍ଟେନ୍‌ କୁଲ୍‌’ ନାଁ ତାଙ୍କ ଜୀବନର ଅଭିନ୍ନ ଅଂଶ ହୋଇଛି । କ୍ରୀଡ଼ା ଓ ମନୋରଞ୍ଜନ ଜଗତ ପାଇଁ ଏହି ନାଁର ଉପଯୋଗ ହେବ ଯେହେତୁ, ଦ୍ୱନ୍ଦ୍ୱର ଆଶଙ୍କା ବହୁତ କମ୍‌ ବୋଲି ଧୋନିଙ୍କ ନ୍ୟାୟିକ ଟିମ୍‌ ସ୍ପଷ୍ଟ କଲା । ଏହି ଟ୍ୟାଗ୍‌ ଧୋନିଙ୍କ କମର୍ସିଆଲ ଛବି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ରେଜିଷ୍ଟ୍ରୀ ସ୍ୱୀକାର କଲା । ସେଲିବ୍ରିଟି ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷମାନେ ବ୍ୟବସାୟରେ ନିଜର ଛବିକୁ ସୁରକ୍ଷିତ ରଖିବା ପାଇଁ କିଭଳି ବ୍ୟକ୍ତିଗତ ବ୍ରାଣ୍ଡିଂ ଓ ଅନନ୍ୟ ପରିଚୟର ଶକ୍ତିକୁ ବ୍ୟବହାର କରନ୍ତି, ସଦ୍ୟ ମାମଲା ତା’ର ଉଦାହରଣ ।