ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ

-ମୋବାଇଲ୍ ଯୁଗରେ କମୁଛି ଚାହିଦା
-ନୂଆ ଟେକ୍ନୋଲୋଜି ସହ ଅତ୍ୟାଧୁନିକ ସେବା ପାଇଁ ହେବ ଯୋଜନା
ଭୁବନେଶ୍ଵର, ୨୫/୦୩ : ୭୦ରୁ ଅଧିକ ଡିଜିଟାଲ୍ କିଓସ୍କୋ ସ୍ଥାପନ ହେଲା । ଉଦ୍ଦେଶ୍ୟ ଥିଲା ସ୍ମାର୍ଟ ସିଟିରେ ଲୋକଙ୍କୁ ଇଣ୍ଟରନେଟ୍ ସେବା ଯୋଗାଇବା । କାହାରି ସାହାଯ୍ୟ ନେବାକୁ ପଡ଼ିବନି କି ସାଇବର କାଫେ ଦୌଡ଼ିବାକୁ ପଡ଼ିବନି । ହେଲେ ମୋବାଇଲ୍ ଯୁଗରେ ଅତ୍ୟାଧୁନିକ ଜ୍ଞାନ କୌଶଳର ଅଭାବ ଯୋଗୁଁ ଅଲୋଡ଼ା ହୋଇଯାଇଛି ସ୍ମାର୍ଟ କିଓସ୍କୋ । ସହରର ୨୩ଟି ସ୍ଥାନରେ ଲାଗିଥିବା ଏହି ଡିଜିଟାଲ୍ ସ୍ମାର୍ଟ କିଓସ୍କୋ ବ୍ୟବହାର ନହୋଇ ଖତ ହେବାକୁ ବସିଲାଣି । ଅଧିକାଂଶ ସ୍ଥାନରେ ଇଣ୍ଟରନେଟ୍ ଆସୁନଥିବା ବେଳେ କେତେକ ଖରାପ ହୋଇପଡ଼ିଛି । ଖାଲି ରାସ୍ତା କଡ଼ ନୁହେଁ ୱାର୍ଡ ଅଫିସ୍ରେ ଲାଗିଥିବା ସ୍ମାର୍ଟ କିଓସ୍କୋର ମଧ୍ୟ ବ୍ୟବହାର କରାଯାଉନାହିଁ । ଫଳରେ ଏବେ ଚିନ୍ତାରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍(ବିଏସ୍ସିଏଲ୍) ।
୨୦୧୯ରେ ସ୍ମାର୍ଟସିଟିରେ ଲୋକଙ୍କୁ ଇଣ୍ଟରନେଟ୍ ଡିଜିଟାଲ୍ ସେବା ଯୋଗାଇ ଦେବା ପାଇଁ ବିଏସ୍ସିଏଲ୍ ପକ୍ଷରୁ ଆରମ୍ଭ ହୋଇଥିଲା ଇଣ୍ଟିଗ୍ରେଟେଡ୍ ମଲ୍ଟିପୁଲ୍ ସର୍ଭିସ୍ ‘ଡିଜିଟାଲ କିଓସ୍କୋ’ । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହା ମାଧ୍ୟମରେ ଲୋକେ ସହଜରେ ସରକାରୀ ୱେବ୍ସାଇଟ୍ର ବ୍ୟବହାର କରିପାରିବେ । ଏଥିରେ ବିଏମ୍ସିର ହୋଲ୍ଡିଂ ଟ୍ୟାକ୍ସ ପୈଠ କରିବାଠାରୁ ଆରମ୍ଭ କରି ବିଲ୍ଡିଂ ନିର୍ମାଣ ଅନୁମତି ପର୍ଯ୍ୟନ୍ତ ସମସ୍ତ ଇଣ୍ଟରନେଟ୍ ସେବା ପାଇପାରିବେ । ଅଭିଯୋଗ, ରେଳ ଓ ବିମାନ ଟିକଟ ବୁକିଂ, ଟ୍ରେଡ୍ ଲାଇସେନ୍ସ, ଆଇଟିଆଇ, ବିବାହ ପ୍ରମାଣପତ୍ର ଭଳି ବିିଭିନ୍ନ ସେବା ଉପଲବ୍ଧ ରହିଛି । ଏପରିକି ଜରୁରୀକାଳୀନ କଲ୍ ପାଇଁ ସୁବିଧା ମଧ୍ୟ ରହିଛି । ଏମିତିକି ବାହାରୁ ଆସୁଥିବା ଯାତ୍ରୀମାନେ ଏହି ଡିଜିଟାଲ କିଓସ୍କୋ ବ୍ୟବହାର କରି ପର୍ଯଟନସ୍ଥଳୀ ଠାରୁ ଆରମ୍ଭ କରି ରହଣିସ୍ଥଳ ବିଷୟରେ ଜାଣିବାର ସମସ୍ତ ସୁବିଧା ରହିଛି । ଏଥିପାଇଁ ସହରର ପ୍ରମୁଖ ୨୫ଟି ସ୍ଥାନରେ ଏହାକୁ ସ୍ଥାପନ କରାଯାଇଛି ।
ସେହିପରି ୫୦ଟି ୱାର୍ଡ ଅଫିସ୍ରେ ଏହାକୁ ଲଗାଯାଇଛି । ହେଲେ ମୋବାଇଲ୍ ଯୁଗରେ ଏହାର ବ୍ୟବହାରୀକାରୀଙ୍କ ସଂଖ୍ୟା କମୁଛି । ମୋବାଇଲ୍ରେ ହୋଲ୍ଡିଂ ଟ୍ୟାକ୍ସଠାରୁ ଆରମ୍ଭ କରି ଟିକଟ କାଟିବା ପର୍ଯ୍ୟନ୍ତ ସମସ୍ତ ସେବା ଉପଲ୍ଲବ୍ଧ ହେଉଛି । ଏହି ସ୍ମାର୍ଟ କିଓସ୍କୋରେ ମୋବାଇଲ ବାଦ ଏମିତି କିଛି ଭିନ୍ନ ସେବା ଅଛି ଯାହାକୁ ଲୋକେ ଉପଯୋଗ କରିବେ । ତେଣୁ ଏହି ସ୍ମାର୍ଟ କିଓସ୍କୋର ବ୍ୟବହାର କମିବାର ଲାଗିଛି । ଏହି ସ୍ମାର୍ଟ କିଓସ୍କୋକୁ ପଥରରେ ଛେଚି କିଏ ଏହାର ଡିସ୍୍ପ୍ଲେ ଭାଙ୍ଗିସାରିଲାଣି ତ କିଏ ଏହା ଆଗରେ ବସି ବ୍ୟବସାୟ କଲାଣି । ଅଧିକାଂଶ ସ୍ଥାନରେ ଇଣ୍ଟରନେଟ୍ ସେବା ନଥିବାରୁ ତାହା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଗଲାଣି । ଏପରିକି ୫୦ଟି ୱାର୍ଡ ଅଫିସ୍ରେ ଲାଗିଥିବା ସ୍ମାର୍ଟ କିଓସ୍କୋକୁ ୱାର୍ଡ ଅଫିସର ମାନେ ବ୍ୟବହାର କରୁନାହାନ୍ତି । ୱାର୍ଡ ଅଫିସ୍କୁ ଲୋକେ ହୋଲ୍ଡିଂ ଟ୍ୟାକ୍ସ, ଭତ୍ତା, ଅଭିଯୋଗ ପାଇଁ ଆସୁଛନ୍ତି । ଏହି ଡିଜିଟାଲ କିଓସ୍କୋକୁ ବ୍ୟବହାର କରି ନିଜ କାର୍ଯ୍ୟ କରିବା ପାଇଁ ଲଗାଯାଇଛି । ହେଲେ ୱାର୍ଡ ଅଫିସରଙ୍କ ଅବହେଳା ଯୋଗୁ ଏହାକୁ କେହି ବ୍ୟବହାର କରୁନାହାଁନ୍ତି । ଏପରିକି ଅଧିକାଂଶ ସ୍ଥାନରେ ଏହା ଖରାପ ହୋଇପଡ଼ିଛି ।
ଏକାମ୍ର ହାଟ ନିକଟ, ୟୁନିଟ୍-୨ ହାଟ, ଗଣ୍ଡମୁଣ୍ଡା, ଜୟଦେବ ବାଟିକା, କଳିଙ୍ଗ ବିହାର, ବରମୁଣ୍ଡା, ଜୟଦେବ ବିହାର, ମାଷ୍ଟରକ୍ୟାଣ୍ଟିନ୍ ପରି ସ୍ଥାନରେ ଲାଗିଥିବା କିଓସ୍କୋ ଏବେ ଅଚଳ ହୋଇପଡ଼ିଛି । ତେବେ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ାଇବା ପାଇଁ ବିଏସ୍ସିଏଲ୍ ଚିନ୍ତା କରୁଛି । ଏନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବ ବିଏସ୍ସିଏଲ୍ । ଯେଉଁ ସୁବିଧା ମୋବାଇଲ୍ରେ ନାହିଁ ତାହା ଏଥିରେ ଉପଲବ୍ଧ କରାଇବ । ନୂଆ ଟେକ୍ନୋଲୋଜି ଆପଣାଇବାକୁ ଯୋଜନା ଚାଲିଛି ବୋଲି ବିଏସ୍ସିଏଲ୍ର ଜଣେ ଅଧିକାରୀ କହିଛନ୍ତି । ଏନେଇ ବିଏସ୍ସିଏଲ୍ ଜିଏମ୍ ସୁବ୍ରତ ବେହେରାଙ୍କ କହିବା କଥା, ମୋବାଇଲ୍ ବ୍ୟବହାର ସଂଖ୍ୟା ବଢ଼ିଲାଣି । ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ ତେଣୁ ସମସ୍ତେ ଲାପଟପ୍ ଓ ସ୍ମାର୍ଟ ଫୋନ୍ ମାଧ୍ୟମରେ ଇଣ୍ଟରନେଟ୍ ସୁବିଧା ପାଉଛନ୍ତି । ତେଣୁ ଡିଜିଟାଲ୍ ସ୍ମାର୍ଟ କିଓସ୍କୋ ପ୍ରତି ଆଗ୍ରହ ଦେଖାଉ ନାହାଁନ୍ତି । ଆମେ ଖୁବ୍ ଶୀଘ୍ର ନୂଆ ଟେକ୍ନୋଲୋଜି ସହ ଅତ୍ୟାଧୁନିକ ସେବା ଓ ୟୁନିକ୍ ସେବା ଯୋଗାଇ ଦେବୁ ।